ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ମିଆଦି ଆନ୍ଦୋଳନ ପାଇଁ ମହାପ୍ରସ୍ତୁତି



କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ ରୂପ ଦେଇ ୨୦୧୬ମସିହାରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଜନ୍ମଗ୍ରହଣ କଲା। ଏହି ସଙ୍ଗଠନରେ ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଜନଗଣ ସାମିଲ ହେଇ ଲଗାତାର ଆନ୍ଦୋଳନ କରି ଆସିଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା, କେନ୍ଦ୍ରାପଡା ସହର ସମେତ ବିଭିନ୍ନ ଗାଁରେ ପଦଯାତ୍ରା, କନିକା ସହିଦ ପୀଠରୁ କେନ୍ଦ୍ରାପଡା ପୁରୁଣା ମେଡିକାଲ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ସହିତ ସଭା, ପୂର୍ବ ବିଧାନସଭାର ଜିଲ୍ଲାରେ ଥିବା ସମସ୍ତ ଲୋକପ୍ରତିନିଧି ମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିବା, ରାଜ୍ୟପାଳ ଭବନ ଆଗରେ ଗଣଧାରଣା ଦେବା ସହିତ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୂର୍ବତନ ରାଜ୍ୟପାଳ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଯଥାର୍ଥତାକୁ ସମର୍ଥନ କରିଥିଲେ। ଏହାବାଦ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭେଟି ଆନ୍ଦୋଳନକାରୀମାନେ ମଧ୍ୟ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗରାପୁରସ୍ଥିତ ଗାନ୍ଧିମୂର୍ତି ନିକଟରେ ୧୮ ଦିନ ଗଣ ଧାରଣା ଦିଆଯିବା ସହିତ ଗୋଟିଏ ଦିନ ସାରା ଜିଲ୍ଲାରେ ଅର୍ଥନୈତିକ ଅବରୋଧ ମଧ୍ୟ କରାଯାଇଥିଲା। ଦୁଃଖ ଓ କ୍ଷୋଭର ବିଷୟ ସବୁ ଜିଲ୍ଳାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ଓ ନବୀନ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ବଢ଼େଇ ୧୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେବି କେନ୍ଦ୍ରାପଡା ଜିଲ୍ଲା ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କରିବା ଜିଲ୍ଲାବାସୀଙ୍କୁ ହତାଶ କରିଛି। ଏହି ସମୟ ମଧ୍ୟରେ ସରକାର ବଦଳିଛି। ନୂଆ ସରକାର କେନ୍ଦ୍ରାପଡା ଜିଲ୍ଲା ପ୍ରତି ଓ ମେଡିକାଲ କଲେଜ ପ୍ରତିଷ୍ଠାର ଯଥାର୍ଥତା ପ୍ରତି ଦୃଷ୍ଟି ଦେବେ ବୋଲି ଶୁକ୍ରବାର ଦିନ କେନ୍ଦ୍ରାପଡା ପବ୍ଲିକ ରିଡିଙ୍ଗ ରୁମ ପରିସରରେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ଅଧିବେଶନରେ ଦୃଢ଼ ମତ ପ୍ରକାଶ ପାଇଛି। କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଘଟଣାର କ୍ରମ ବିକାଶ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କର୍ମକର୍ତ୍ତା ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ରାଜକୁମାର ବିଶ୍ୱାଳ, ପ୍ରଭାକର ସାମଲ, ନରୋତ୍ତମ ପାର୍ଥସାରଥୀ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଦାଶରଥି ସାହୁ, ବୈଷ୍ଣବ ସ୍ୱାଇଁ, ନାରଦ ଚନ୍ଦ୍ର ବିଶ୍ୱାଳ, ବସନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଗୋଲକ ଚନ୍ଦ୍ର ମହାଭୋଇ, କୁଳମଣି ଦାଶ, କେଦାର ସାମନ୍ତରାୟ, ବାବାଜୀ ଚରଣ ମହାରଣା, ଭାଗିରଥି ଜେନା, ପ୍ରତାପ ଚନ୍ଦ୍ର ପରିଡା, ଚିତ୍ତରଞ୍ଜନ ମହାନ୍ତି, ଅଭିମନ୍ୟୁ ରାଉତ, ଶ୍ରୀଧର ମହାନ୍ତି, ସୁମିତ୍ରା ଜେନା, ସୁହାନା ବେଗମ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ବ୍ୟାପକ ସଚେତନତା ସହିତ ସମସ୍ତ ବ୍ଲକରେ ସଭାମାନ କରାଯିବ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ଆଲୋଚନା କରିବାକୁ ସ୍ଥିର କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading