ମା’ ରମାଦେବୀ ଥିଲେ ନାରୀ ସଶକ୍ତିକରଣର ଅଗ୍ରଧାବିକା



କେନ୍ଦ୍ରାପଡ଼ା,୩ା୧୨: ଆଜିକୁ ଶହେ ବର୍ଷ ପୂର୍ବେ ଯେତେବେଳେ ଦେଶରେ ମହିଳାମାନେ ଘର କୋଣରୁ ବାହାରକୁ ଆସିବା କଳ୍ପନାତୀତ ଥିଲା ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ୧୯୨୧ ମସିହାରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ରମାଦେବୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ। ପରବର୍ତ୍ତୀ ସମୟରେ ତାଙ୍କ ଉଦ୍ୟମରେ ହଜାର ହଜାର ମହିଳାଙ୍କୁ ଆନ୍ଦୋଳନ ମଧ୍ୟକୁ ଆକର୍ଷିତ କରି ଆଣିପାରିଥିଲେ। ଏଥିପାଇଁ ତାଙ୍କୁ ଦେଶରେ ମହିଳା ସଶକ୍ତିକରଣର ଅଗ୍ରଧାବିକା ବୋଲି ମା’ ରମାଦେବୀ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ଆଲୋଚକମାନେ ମତ ପ୍ରକାଶ କରିଛନ୍ତି। ସ୍ୱାଧୀନ ଦେଶର ସରକାରମାନେ ରାଜନୈତିକ କାରଣରୁ ଅନେକ ରାଜନେତାଙ୍କୁ ବହୁ ଭାବରେ ମହିମା ମଣ୍ଡିତ କରୁଥିବା ବେଳେ ସ୍ୱାଧୀନତା ପ୍ରାପ୍ତି ପରେ ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଥିବା ମା’ ରମାଦେବୀଙ୍କୁ ଉପଯୁକ୍ତ ସମ୍ମାନ ଜଣାଇ ତାଙ୍କର ୧୨୫ତମ ଜନ୍ମ ବାର୍ଷିକକୁ ବର୍ଷବ୍ୟାପୀ ପାଳନ କରିବାକୁ ଆଲୋଚକମାନେ ଦାବି କରିଥିଲେ। ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଡ. ବାସୁଦେବ ଦାସ ମୁଖ୍ୟ ଆଲୋଚକ ଓ ଗାଳ୍ପିକା ଅବନ୍ତୀ ବେହେରା ସହ ଆଲୋଚକ ରୂପେ ଯୋଗଦେଇଥିବା ବେଳେ ସମ୍ପାଦକ ଆଦିକନ୍ଦ ରାଉଳ ଆଭିମୁଖ୍ୟ ପ୍ରଦାନ ଏବଂ ମହେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୁଭାଂଶୁ କୁମାର ଦାସ, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ନ୍ରୁସିଂହ ତ୍ରିପାଠୀ, ଶରତ ରାଉତ, ରଣଧୀର ଜେନା, ଶ୍ରୀଧର ମହାନ୍ତି, ବୈଷ୍ଣବ ସ୍ୱାଇଁ, ତପନ ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading