ଅଦିନିଆ ବର୍ଷା ଧୋଇ ନେଲା ବର୍ଷକର ଦାନା : ଧାନ କଚଡା ପାଣିରେ ଭାସୁଛି , ଚିନ୍ତାରେ ଚାଷୀ


ପଟ୍ଟାମୁଣ୍ଡାଇ ୨୨/୧୨ କ-ପଟ୍ଟମୁଣ୍ଡାଇ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ପାଣିରେ ପାଚିଲା ଧାନ ଲୋଟିରହିଛି । ଯଦିଓ ବର୍ଷା ହ୍ରାସ ପାଇଛି ତେବେ ବିଲରେ ପାଣି ଛିଡ଼ା ହୋଇଛି। ପାଣି ଖଲାସ କରିବାକୁ ନେଇ ଚାଷୀ ନାକେଦମ ହେଲେଣି। କ୍ଷେତରୁ ପାଣି ଶୀଘ୍ର ନ ଛାଡ଼ିଲେ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ ମତାପ୍ରକାଶ କରିଛନ୍ତି ।  

ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସେ ଚାଷ କରିଥିବା ୭ ଏକର ଚାଷଜମି ଜଳମଗ୍ନ ହୋଇଛି। ଅମଳ ସମୟରେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଆହାର ଉପରେ ପାହାର ଦେଇଛି। ଯଦିଓ ବର୍ଷା କମିଛି ତେବେ ଧାନବିଲରୁ ପାଣି ଶୁଖିବା ପାଇଁ ଆଠଦିନ ଲାଗିବ। ଏହି ଆଠଦିନ ମଧ୍ୟରେ ପଡ଼ି ଯାଇଥିବା ପାଚିଲା ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ଯେଉଁ ଧାନ ଗଜା ହେବନି ସେଗୁଡିକ କଳା ଫିମ୍ପି ମାରିଯିବ, ଫଳରେ ସେ ଧାନକୁ ମଣ୍ଡିରେ ମିଲର ନେବନାହିଁବର୍ଷ ଯାକର ଆହାର ଏହି ଅଦିନିଆ ବର୍ଷା ଛଡାଇ ନେଲା। ଋଣ ଆଣି ଚାଷ କରିଥିଲୁ ଏବେ ଫସଲ ନଷ୍ଟ ଚିନ୍ତା ଘରିଛି ବୋଲି ଚାଷୀ ସୁରେନ୍ଦ୍ର କହିଛନ୍ତି।

ଧୋୟାଞ୍ଚଳଚାଷୀ ଦେବେନ୍ଦ୍ର ବିଶ୍ଵାଳ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ମୋଟ ଧାନଜମି ମଧ୍ୟରୁ ୮୦ ପ୍ରତିଶତ ଖରିଫ ଋତୁରେ ଚାଷ କରାଯାଇଥାଏ। ତେବେ ଆଦିନିଆ ଲଗାଣ ବର୍ଷା ଯୋଗୁଁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିଲରେ ପାଚିଲା ଧାନ ପଡ଼ିରହିବା ସହିତ ପାଣିରେ ବୁଡି ରହିଛି। ବର୍ଷା ଯୋଗୁ ଧାନ ସହ ରବି ଫସଲ ବିରି, ମୁଗ, ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଦିନିଆ ବର୍ଷାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ନଥିବା ପରି ସନ୍ଦେହ ଉପୁଜିଛି ।

କୃଷକ ନେତା ବିଜୟ ଦାସ କୁହନ୍ତି ସେହିପରି ଅଦିନିଆ ବର୍ଷାର ପ୍ରଭାବରେ ବର୍ଷକର ଅମଳ ଆଖି ଆଗରେ ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀ ଚିନ୍ତାରେ ପଡିଛନ୍ତି । ଏକର ଏକର ଚାଷ ଜମିରେ ବର୍ଷାପାଣି ଜମି ରହିବା ଯୋଗୁଁ କଟା ହୋଇଥିବା ଧାନ ଗଜା ହେବାକୁ ବସିଲାଣି । ଯେଉଁ ସବୁ କ୍ଷେତରେ ଧାନ କଟାଯାଇନାହିଁ ତାହା ଏବେ କାଟିବା ସମ୍ଭବ ହେଉନାହିଁ । ଏବେ ଏମିତି ପରିସ୍ଥିତି ଭିତରେ ଅନେକ କ୍ଷତି ସହିବା ଚିନ୍ତାରେ ଚାଷୀ ସରକାରୀ ସହାୟତା ଲୋଡିଛନ୍ତି ।

ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଥିବା ଚାଷ ସମ୍ପର୍କରେ ସୁବର୍ଣ୍ଣପୁର ବଡଚାଷୀ କୁଞ୍ଜବିହାରୀ ନାୟକ କହିଛନ୍ତି,୧୮ ଏକର ଚାଷଜମି ଲୋନ କରି ଚାଷ କରିଥିଲି । ସବୁ କ୍ଷତି ହୋଇଗଲା । ସରକାର ଯଦି କିଛି ସାହାଯ୍ୟ କରିବେ ତାହାହେଲେ ଉପକୃତ ହେବିନହେଲେ ଭାସିଯିବିଧାନ ବିକି କର୍ଜ ସୁଝିଥାନ୍ତି । ଗତ ଅକ୍ଟୋବରରେ ସାମୁଦ୍ରିକ ବାତ୍ୟା ଦାନା ବର୍ଷାରେ ଫସଲ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା। ଯାହା ବି କିଛି ବଞ୍ଚି ରହିଥିଲା ତାହାକୁ ସାଇତି ରଖିବା ଲାଗି ଚେଷ୍ଟା କରିବା ସମୟରେ ଏବେ ପୁଣିଥରେ ଅଦିନିଆ ବର୍ଷା ସବୁ କିଛି ଖାଇଦେଲା। ପାଚିଲା ଧାନ ଅମଳ କରିବାକୁ ସମୟ ମିଳିଲାନି। ଏବେ ଋଣ କିଭଳି ସୁଝିବି ଜାଣିପାରୁନି।

କେତେକ ଚାଷୀ ପ୍ରଶାସନର ଅପରାଗତାକୁ ଦୋଷ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଲଘୁଚାପ ବର୍ଷାର ଦୁଇ ଦିନ ଆଗରୁ ଆମକୁ କ୍ଷେତରୁ ଧାନ ନେଇଆସିବାକୁ କୁହାଗଲା। ଆମେ କଣ ମେସିନ୍‌ ଯେ ୪୮ ଘଣ୍ଟାରେ ଜମିର ଧାନ କାଟିଦେବୁ। ଯେଉଁମାନେ ଅଧେ କି ଗୋଟେ ଏକର ଜମିରେ ଚାଷ କରିଥିଲେ ସେମାନେ ସିନା ଧାନ କାଟି ନେଇଗଲେ, ବଡଚାଷୀ କେମିତି ଧାନ କାଟିଥାନ୍ତେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ବର୍ଷା ହେବା ନେଇ ଯଦି କିଛିଦିନ ପୂର୍ବରୁ ସୂଚନା ଦିଆଯାଇଥାନ୍ତା ତେବେ ଆମେ ଫସଲ ଅମଳ କରିପାରିଥାନ୍ତୁ। ସତର୍କ ପାଇଁ ଘୋଷଣା କରିଦେଲେ କିଛି ହେବନି। ଫସଲ କିଭଳି ଜମିରୁ ଅମଳ ହୋଇ ଘରକୁ ଆସିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିଲା।ମାତ୍ର ଏବେ ଚାଷୀଙ୍କ ସର୍ବସ ଅଦିନିଆ ବର୍ଷାରେ ଚାଲିଗଲା । ସବୁଠୁ ଅଧିକ ଚିନ୍ତାରେ ପଡ଼ିଛନ୍ତି ଋଣ ଆଣିଥିବା ଚାଷୀ। ୪ରୁ ୫ ଏକର ଜମିରେ ଚାଷ କରିବା ଲାଗି ସମବାୟ ବ୍ୟାଙ୍କ ଓ ସାଉକାର ପାଖରୁ ଋଣ ଆଣିଥିଲେ। ଏବେ ତାକୁ କିଭଳି ସୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି।

 


Discover more from

Subscribe now to keep reading and get access to the full archive.

Continue reading