ବିଲରେ ଭିଜୁଛି ସୁନାର ଫସଲ , ମୁଣ୍ଡରେ ହାତ ଦେଇ ବସିଛି ଚାଷୀ



କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ହୋଇଥିବା ସୁନାର ଫସଲ(ଧାନ ଚାଷ) ଏବେ ବିଲରେ ଭିଜୁଛି। କାରଣ ଲଘୁଚାପ ଜନିତ ବର୍ଷା ଗତ ୫ ଦିନ ଧରି ଲାଗି ରହିଛି। ଏହା ଫଳରେ ବିଲରେ ଅମଳ ହେବାକୁ ଥିବା ଧାନ ଏବେ ବର୍ଷାରେ ଭିଜୁଛି। ଅନେକ ସ୍ଥାନରେ ଧାନରେ ଗଜା ବାହାରିଲାଣି। ଏଭଳି ଅବସ୍ଥା ଦେଖି ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ବିଲରେ ୩୦ ଭାଗ ଧାନ କାଟି ରଖିଥିଲେ। କଟା ଧାନକୁ ଖଳାକୁ ଆଣିବା ସହ ବାକି ଧାନ କାଟିଥାନ୍ତେ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏବେ ଚାଷୀମାନେ କେବଳ ନିଜ ଭାଗ୍ୟକୁ ଆଦରି ପଡି ରହିଥିବା କହିଛନ୍ତି। କାରଣ ସରକାର ଯେଉଁ କ୍ଷତିପୂରଣ ପ୍ରଦାନ କରନ୍ତି ତାହା ୫୦ ଭାଗ ମଧ୍ୟ ନୁହେଁ। ଚାଷୀଟି ଯଦି ୧ ଲକ୍ଷ ଟଙ୍କାର ଧାନ ଅମଳ କରିବ ବୋଲି ଲକ୍ଷ ରଖିଥାଏ ଓ ବର୍ଷାରେ ଧାନ ନଷ୍ଟ ହୋଇଯାଏ ତେବେ ଚାଷୀକୁ ୨୦ ରୁ ୩୦ ହଜାର ଟଙ୍କା କ୍ଷତି ପୂରଣ ମିଳେ। ତାହା ପୁଣି ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ସେମାନଙ୍କୁ ମିଳେ। ତେଣୁ ଚଳିତ ଲଘୁଚାପ ବର୍ଷା ଚାଷୀଙ୍କ ସୁନାର ଫସଲକୁ ନଷ୍ଟ କରି ଦେଇଥିବା କୃଷକ ଆଦିକନ୍ଦ ରାଉଳ କହିଛନ୍ତି। ସେ କହିଛନ୍ତି ସେ ୫ ଏକର ଧାନ ଫସଲ କରିଛନ୍ତି। ଏହାକୁ ବିକ୍ରି କରିଥିଲେ ଅଢେଇ ଲକ୍ଷ ଟଙ୍କା ପାଇଥାନ୍ତେ। ହେଲେ ବର୍ଷା ହୋଇଯିବା ପରେ ଯେଉଁ ଧାନ ଅମଳ ହେବ ତାହା ଏଫଏକ୍ୟୁ ମାନର ଧାନରେ ପରିଗଣିତ ହେବ ନାହିଁ। ତେଣୁ ଏହାକୁ ସମବାୟ ସମିତି କିଣିବ ନାହିଁ। ବାଧ୍ୟ ହୋଇ ଆମେ ବେପାରୀଙ୍କୁ ଅଧା ଦାମରେ ବିକ୍ରି କରିବୁ। କିନ୍ତୁ ଯଦି ବର୍ଷା ଲାଗି ରହେ ତାହା ହେଲେ ବିଲରେ ସବୁ ଧାନ ଗଜା ହାଇଯିବ। ଶେଷରେ ବିଲରେ ଗୋରୁ ଚରିବେ ଓ ଚାଷୀକୂଳ ହତାଶ ହୋଇଯିବେ ବୋଲି ସେ କହିଛନ୍ତି। କୃଷକ ନେତା ରମଣୀରଞ୍ଜନ ରାଉତରାୟ କହିଛନ୍ତି ବର୍ତ୍ତମାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ଚାଷୀମାନେ ଯେଉଁ ଧାନ ଫସଲ କରିଥିଲେ ତାହା ସୁନାର ଫସଲ ଭଳି ଚାଷୀକୂଳ ମୁହଁରେ ହସ ଫୁଟାଇଥିଲା। ଚାଷୀମାନେ ଧାନ କାଟିବା ଆରମ୍ଭ କରି ଦେଇଥିଳେ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ସୁନାର ଫସଲକୁ ନଷ୍ଟ କରି ଦେଇଛି। ତେଣୁ ସରକାର କ୍ଷୟକ୍ଷିତର ଉପଯୁକ୍ତ ଆକଳନ କରି ଯଦି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ତେବେ ଚାଷୀମାନେ ଅଣ୍ଟା ସଳଖି ଛିଡା ହୋଇ ପାରିବେ। ଏଭଳି ନ ହେଲେ ଚାଷୀମାନେ ଦେବାଳିଆ ହୋଇଯିବେ। କାରଣ କୃଷି ସମବାୟ ସମିତି ଓ ସାହୁକାରଙ୍କ ଠାରୁ ଋଣ ଆଣି ସେମାନେ ଫସଲ କରିଥିଲେ। ଫସଲ ବେଶ ଭଲ ହୋଇଥିଲା। ଧାନ ବିକ୍ରି କରି ଚାଷୀମାନେ ଋଣ ପରିଶୋଧ କରିବେ ବୋଲି ଯୋଜନା କରିଥିଲେ। ଏଥିସହ ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାନ୍ତେ। ହେଲେ ବର୍ଷା ଧାନ ଫସଲକୁ ନଷ୍ଟ କରି ଦେଇଛି ବୋଲି ସେ କହିଛନ୍ତି। ଫସଲ କ୍ଷୟକ୍ଷତି ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ କହିଛନ୍ତି ଚାଷୀମାନଙ୍କ ଯେତିକି ପରିମାଣର ଫସଲ ନଷ୍ଟ ହେବ ତାହାକୁ ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ସରକାର ଏ ନେଇ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଛାଡିବା ପରେ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଆକଳନ ହେବ। ଯେଉଁ ଚାଷୀର ଯେତିକି ଫସଲ ନଷ୍ଟ ହୋଇଥିବ ତାଙ୍କୁ ସେହି ପରିମାଣର କ୍ଷତିପୂରଣ ପ୍ରଦାନ କରାଯିିବ।


Discover more from

Subscribe now to keep reading and get access to the full archive.

Continue reading