ନବୀନଙ୍କ ଆଗରେ ବଡ଼ ଆହ୍ୱାନ-କେମିତି ଦଳକୁ ସଂଗଠିତ କରି ପୁଣି ଥରେ ଛିଡ଼ା କରିବେ



ଭୁବନେଶ୍ୱର,୨୮/୧୨- ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି) ସ୍ଥିତି ଫାଟ ଫାଳ ଗଡ଼ବଡ଼ ଅବସ୍ଥା ଦେଇ ଗତି କରୁଛି । ନେତା, କର୍ମୀଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁଠି ଫାଟ ପଦାକୁ ବାହାରିଲାଣି ତ ଆଉ କେଉଁଠି ଭିତରେ ଭିତରେ ତୁତୁମେଁମେଁ ଆରମ୍ଭ ହୋଇଯାଇଛି । ୨୪ ବର୍ଷର ଲମ୍ବା ରାଜୁତି ପରେ କ୍ଷମତାଚ୍ୟୁତ ବିଜେଡି ଭିତରେ ଏବେ ମାଡ଼ିଯାଇଛି ନିରାଶାର କଳାବାଦଲ । ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳର ଅଧିକାଂଶ ବଡ଼ ନେତା ନିରବ । କାଁ ଭାଁ ନେତାଙ୍କୁ ଛାଡ଼ିଦେଲେ, ଅନେକ ପରାଜିତ ନେତା ସ୍ଥାଣୁ । ଟିକଟ ଦୌଡ଼ରୁ ବାଦ୍ ପଡ଼ିଥିବା ଆଶାୟୀ ମୁହଁ ଫେରାଇଲେଣି । ତୃଣମୂଳସ୍ତରରେ ସରପଂଚ ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଦଳ ଡେଇଁଲେଣି । ଅନେକଙ୍କୁ ଅନାସ୍ଥା ଭୟ ଗୋଡ଼ାଇଲାଣି । ମମତା ମହାନ୍ତ, ସୁଜିତ କୁମାରଙ୍କ ଭଳି ରାଜ୍ୟସଭା ସାଂସଦ ବିଜେଡି ଛାଡ଼ିବା ପରେ ରାଜ୍ୟସ୍ତରରୁ ନେଇ ତୃଣମୂଳ ଯାଏଁ ବିଜେଡି ନେତା ଓ କର୍ମୀଙ୍କ ବିଶ୍ୱାସ ଦୋହଲି ଯାଇଛି । ଗୋଟିଏ ପଟେ ‘ଅପରେସନ ଲୋଟସ୍‌’ ଡର ଓ ଅନ୍ୟପଟେ ଅନିଶ୍ଚିତତାର ଆଶଙ୍କାରେ ନେତା, କର୍ମୀ ସବୁ ପୀଡ଼ିତ । କେହି କାହାକୁ ଭରସା କରିପାରୁନାହାନ୍ତି ।
ଏଭଳି ସ୍ଥିତିରେ ଆସନ୍ତା ୩୦ରେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି,ଶେରଗଡ଼,କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ଅଞ୍ଚଳ ପରିଦର୍ଶନ କରିବେ। କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ। ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।ସେହିପରି ୩୧ ତାରିଖରେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିବେ । ରାଜନଗର ନିର୍ବାଚନମଣ୍ଡଳୀ ଚନ୍ଦନନଗର ଠାରେ ଠିକ ଦିନ ୧୧ଟାରେ ପହଁଚି ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲହାନୀ ଆକଳନ କରି ବର୍ଷାରେ କ୍ଷତିଗ୍ରସ୍ତ ଚାଷୀକୁଳ ସହ ଆଲୋଚନା କରିବେ । ଏଯାବତ୍ ଏଭଳି କଠିନ ପରିସ୍ଥିତିକୁ କେବେ ସାମ୍ନା କରିନଥଲେ ନବୀନ । ନବୀନ ପଟ୍ଟନାୟକ ନିଜ ୨୭ ବର୍ଷର ଲମ୍ବା ରାଜନୈତିକ ଯାତ୍ରାରେ ସବୁଠାରୁ ବଡ଼ ଆହ୍ୱାନର ସାମ୍ନା କରୁଛନ୍ତି ।
ନବୀନଙ୍କ ଆଗରେ ବଡ଼ ଆହ୍ୱାନ-କେମିତି ଦଳକୁ ସଂଗଠିତ କରି ପୁଣି ଥରେ ଛିଡ଼ା କରିବେ? କର୍ମୀ, ନେତାଙ୍କ ଭିତରେ କିଭଳି ଫେରାଇ ଆଣିବେ ଆତ୍ମବିଶ୍ୱାସ? ବିଜେଡିକୁ ନେଇ ଯେଉଁ ଅନିଶ୍ଚିତତା ଓ ଆଶଙ୍କା ନେତା, କର୍ମୀଙ୍କ ଭିତରେ ପଶିଗଲାଣି, କେମିତି ତାହାକୁ ଦୂର କରିବେ? ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ । ସଙ୍କଟ ସମୟରେ ଦଳକୁ ଏକାଠି ରଖିବାକୁ ନବୀନ ଅଂଟା ଭିଡ଼ି ବ୍ରହ୍ମପୁର ବିବାଦ ତୁଟାଇବା ପରେ ନବୀନ ବାଲେଶ୍ୱର ଜିଲ୍ଲାର ନେତାଙ୍କୁ ଡାକି ଆଲୋଚନା କରିଛନ୍ତି । ଟିକଟ କଟିଥିବା ନେତାଙ୍କୁ ବୁଝାଇଛନ୍ତି ।
ମାତ୍ର ଅସନ୍ତୁଷ୍ଟ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହି ସମନ୍ୱୟ ରଖିବା ଭଳି ଟାଣୁଆ ସଂଗଠକ ଓ ରଣନୀତିକାର ଭୂମିକା କିଏ ନେବ? ଏଭଳି ଏକ ସମୟରେ ବିଜେଡି ସାଂଗଠନିକ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛି । ଇତିମଧ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଗତ ୨୧ ତାରିଖରେ ଶେଷ ହୋଇଛି । ଦଳୀୟ ସୂତ୍ର ଅନୁସାରେ ପ୍ରାୟତଃ ସବୁ ନିର୍ବାଚନମଣ୍ଡଳୀରୁ ସଭ୍ୟ ସଂଗ୍ରହ ତାଲିକା ଆସି ପହଞ୍ଚିଛି । ପ୍ରତିଷ୍ଠା ଦିବସ ପରେ ଚୂଡ଼ାନ୍ତ ସଂଖ୍ୟା ହିସାବ କରାଯିବ । ଏହାପରେ ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ସାଂଗଠନିକ ନିର୍ବାଚନ ହେବ । ତା’ପରେ ରାଜ୍ୟସ୍ତରୀୟ ସାଂଗଠନିକ ନିର୍ବାଚନ ହେବ ପୂର୍ବରୁ ଦଳର ସଭ୍ୟ ସଂଖ୍ୟା ୧ କୋଟି ଥିବାବେଳେ ଏଥର ଏହି ସଂଖ୍ୟା ଛୁଇଁବା ନେଇ ଅନେକ ଆଶଙ୍କା ମନରେ ରହିଛି ।


Next Post

ଆସନ୍ତା ୩୧ରେ କେନ୍ଦ୍ରାପଡା ଗସ୍ତ କରିବେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ , ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ଦେଖିବେ

Sat Dec 28 , 2024
ଭୁବନେଶ୍ୱର, ୨୮।୧୨ : ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ । କେନ୍ଦ୍ରାପଡା ଜିଲାର ରାଜନଗର ନିର୍ବାଚନମଣ୍ଡଳୀ ଚନ୍ଦନନଗର ଠାରେ ଠିକ ଦିନ ୧୧ଟାରେ ପହଁଚି ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲହାନୀ ଆକଳନ କରିବେ । ବର୍ଷାରେ କ୍ଷତିଗ୍ରସ୍ତ […]

KANIKA