ପିଲାବେଳେ ଶୁଣିଥିଲୁ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି । ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ ପଦବୀରେ ଥିବା ଲୋକଙ୍କ ବକ୍ତବ୍ୟରୁ ପ୍ରମାଣ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ସମୟକୁ ଦେଖିଲେ ସର୍ବଦା ଦେଶପ୍ରେମ, ବିକାଶ ଓ ଅଗ୍ରଗତିର ଧ୍ୱନି ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା । ନିର୍ବାଚନ ସରିବା ପରେ ବାୟୁବ ପରିସ୍ଥିତି ବୁଝାପଡ଼ିଛି। ଗତ ୬ ମାସ ହେବ ଦେଶରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିଯୁକ୍ତି କମିବା, ଔଦ୍ୟୋଗିକ ପ୍ରଗତିରେ ବାଧା ଉପୁଜିବା, ଅଭିବୃଦ୍ଧି ହ୍ରାସ ପାଇବା, ଲୋକଙ୍କ ହାତରେ ଟଙ୍କା ନ ଥିବାରୁ ବଜାର ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଏହା ସତ୍ତ୍ୱେ ବର୍ତ୍ତମାନର ଶାସକଙ୍କୁ ଏସବୁ ବ୍ୟସ୍ତ କରୁନାହିଁ ।
ସାଧାରଣରେ ବାସ୍ତବତାକୁ ସମସ୍ତେ ହୃଦୟଙ୍ଗମ କରିପାରି ନ ଥାଆନ୍ତି। ମନୁଷ୍ୟକୃତ ବଡ଼ ବିପଦ ଦେଖାଦେଲେ ଓ ତାହାକୁ ପ୍ରତ୍ୟକ୍ଷ ଅନୁଭବ କରୁଥିବା ବ୍ୟକ୍ତି ଜାଣିପାରିଥାଆନ୍ତି। ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ବ୍ୟକ୍ତି କଦାପି ବ୍ୟବସ୍ଥା ଭିତରକୁ ପ୍ରବେଶ କରିବାକୁ ଚାହିଁ ନ ଥାଏ । ଯେତେବେଳେ ଗୋଟେ ‘ଘୋ’ ସୃଷ୍ଟି ହୁଏ ଏବଂ ସରକାର କିଛି ଭୁଲ କରୁଛନ୍ତି ବୋଲି ହୃଦ୍ବୋଧ ହୁଏ, ସେତେବେଳେ ସାଧାରଣ ଲୋକ ସଜାଗ ହୋଇ ନିଜର ଅଧିକାର ମାଗିଥାଆନ୍ତି। ଅବଶ୍ୟ ଯେଉଁମାନେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି, ସେମାନଙ୍କୁ ଦେଶପ୍ରେମୀ କୁହାଯାଉଛି । ବିରୋଧ କରୁଥିବା ବ୍ୟକ୍ତି ଦେଶଦ୍ରୋହ ଆଖ୍ୟା ପାଉଛନ୍ତି। ଫଳରେ ବ୍ୟବସ୍ଥା ବିରୋଧୀ ହେବାକୁ ଅନେକେ ଡରିଲେଣି। କିନ୍ତୁ ଏଠି ମନେରଖୁବାକୁ ହେବ ଯେ, ଦେଶର ଅର୍ଥ ସରକାର ନୁହେଁ ।
୨୦୨୪ ସାଧାରଣ ନିର୍ବାଚନ ଓ ପ୍ରତିବାଦର ବର୍ଷ ଭାବେ ତା’ର ସ୍ମୃତି ଛାଡ଼ିଗଲା । ଶାସନ, ପ୍ରଶାସନ ଏବଂ ବ୍ୟବସ୍ଥା ଭିତରେ ଓ ବାହାରେ ଥିବା ଲୋକମାନେ ବାସ୍ତବତା କ’ଣ ବୁଝିବାକୁ ଆରମ୍ଭ କରୁଛନ୍ତି। ବିଗତ ବର୍ଷ ଅନ୍ଧକାର ଏବଂ ବିପଦର ବର୍ଷ ଭାବେ ମନେରହିବ । ତେବେ ନୂଆବର୍ଷ-୨୦୨୫ରେ ସେହି ପୁରୁଣା ଜିନିଷ ଘଣ୍ଟା ନ ଯିବ ବୋଲି ସମସ୍ତେ ଆଶା କରିବା । ଦେଶର ସ୍ୱାର୍ଥକୁ ସର୍ବାଗ୍ରେ ରଖୁବା ଲାଗି ଉପର ସ୍ତରରେ ଥିବା ବ୍ୟକ୍ତିମାନେ ଉଦ୍ୟମ କରିବା ଆବଶ୍ୟକ। ଯୁବପିଢିଙ୍କ ପାଇଁ ବରିଷ୍ଠ ବର୍ଗ ତ୍ୟାଗ କରିବାକୁ ଚାହିଁବା ଦରକାର । ୨୦୨୫ ଦେଶ ପାଇଁ କିଭଳି ଏକ ଭିଜନ୍ର ବର୍ଷ ହୋଇପାରିବ ଓ ସକାରାତ୍ମକ ହାୱା ବହିବ, ସେହି ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା । ନାଗରିକଙ୍କୁ ଭାଙ୍ଗି ନୁହେଁ, ସେମାନଙ୍କୁ ଗଢ଼ିବାର ପ୍ରୟାସ ହେଲେ ଦେଶ ବାସ୍ତବ ବିକାଶ ପଥରେ ଆଗେଇ ଯିବ। ସେଥିପାଇଁ ସରକାରୀ ତଥ୍ୟ କିମ୍ବା ଭାଷଣରେ ଜଣାଇବା ଦରକାର ନୁହେଁ। ଏଥିସହିତ ମନେରଖୁବାକୁ ହେବ ଯେ ୨୦୨୫ କେବଳ ଏକ ନବବର୍ଷ ନୁହେଁ, ଏହା ଏକ ନୂତନ ଦଶନ୍ଧିର ଶୁଭାରମ୍ଭ । ଏହି ଅନ୍ଧକାରମୟ ସମୟରେ ଆମର ପାଠକପାଠିକା ଓ ଶୁଭେଚ୍ଛୁଙ୍କର ଏକ ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛୁ।