ଚାଷୀଙ୍କ ଦୁର୍ଦ୍ଦଶା ଲାଘବ କରିବାରେ ସରକାର ବିଫଳ , ସଂଯୁକ୍ତ କିଷାନ ମୋର୍ଚ୍ଚା ସମାବେଶ ୧୦ରେ



କେନ୍ଦ୍ରାପଡ଼ା,୮ା୧ : ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଳନ ହେବ। କେନ୍ଦ୍ରାପଡାରେ ଏହାକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଖଡ଼ିଅଙ୍ଗସ୍ଥିତ ଓଡିଶା କୃଷକସଭା ଜିଲ୍ଲା କାର୍ଯ୍ୟାଳୟରେ ବୁଧୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୃଷକ ନେତାମାନେ କହିଥିଲେ ଡ଼ିସେମ୍ବର ଶେଷ ସପ୍ତାହରେ ୨୧ଟି ଜିଲ୍ଲାରେ ଲଘୁରୂପ ଜନିତ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି। ଓଡ଼ିଶାରେ ମୁଖ୍ୟ ଫସଲ ଅମଳ ହେବା ପୂର୍ବରୁ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି। ସରକାର ଚାଷୀ ଏବଂ ଭାଗଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପରିବର୍ତ୍ତେ ଘରୋଇ ବୀମା କମ୍ପାନୀମାନଙ୍କ ଦୟାରେ କ୍ଷତି ଭରଣା ହେବ ବୋଲି ବୟାନ ଦେଇଛନ୍ତି ଯାହା କଟା ଘା’ରେ ଚୂନ ଦେବା ସହ ସମାନ। ଭାଗଚାଷୀମାନଙ୍କୁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ରୋକଠୋକ୍ ମନା କରିବା ଯୋଗୁଁ ଭାଗଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଏହି ଭୟଙ୍କର ହତାଶ ଭିତରେ ରାଜ୍ୟରେ ୧୪ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଜଣ ଚାଷୀଙ୍କ ଜୀବନ ଦୀପ ଲିଭି ଗଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆବଶ୍ୟକ ଧାନମଣ୍ଡି ନଖୋଲିବା ଯୋଗୁଁ ଚାଷୀ ଏବଂ ଭାଗଚାଷୀମାନେ ଅଭାବୀ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ଲାଘବ କରିବାରେ ସଂପୂର୍ଣ ବିଫଳ ହୋଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “କୃଷକ ଚେତାବନୀ ଦିବସ’ ବିକ୍ଷୋଭ ଜରିଆରେ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଧାନ ଫସଲ କ୍ଷତି ପାଇଁ ଏକର ପିଛା ସର୍ବନିମ୍ନ ୨୫,୦୦୦ ଟଙ୍କା, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକର ପିଛା ସର୍ବନିମ୍ନ ୪୦,୦୦୦ଟଙ୍କା କ୍ଷତିପୂରଣ ରାଶି ଦେବାପାଇଁ ମୋର୍ଚ୍ଚା ଦାବି କରିଛି। ସରକାର ପ୍ରଦାନ କରିବା କ୍ଷତିପୂରଣ ରାଶିରୁ ଭାଗଚାଷୀଙ୍କୁ ୭୫% ଏବଂ ଜମି ମାଲିକଙ୍କୁ ୨୫% ଅନୁପାତରେ ବଣ୍ଟନ କରାଯାଉ। ମୃତ କୃଷକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଋଣଛାଡ଼ ଏବଂ ଉକ୍ତ ପରିବାର ବଞ୍ଚିବା ପାଇଁ ଆତ୍ମନିଯୁକ୍ତି ନିମନ୍ତେ ବିନା ସୁଧରେ ନୂତନ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଦାବି ହୋଇଛି। ଜିଲ୍ଲାବ୍ୟାପୀ ଆବଶ୍ୟକତା ଅନୁସାରେ ବ୍ୟବସ୍ଥିତ ମଣ୍ଡି ତୁରନ୍ତ ଖୋଲି ଅଭାବୀ ବିକ୍ରିକୁ ନିୟନ୍ତ୍ରିତ କରିବା ଲାଗି ମୋର୍ଚ୍ଚା ଦାବି କରିଛି। ବୈଷ୍ଣବ ସ୍ୱାଇଁଙ୍କ ସଭାପତିତ୍ୱର ଅନୁଷ୍ଠିତ ବୈଠକରେ ଆବାହକ ଗୟାଧର ଧଳ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମଣୀ ରଞ୍ଜନ ରାଉତରାୟ, ଫକୀର ଖଟୁଆ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଜଗତଜୀବନ ଦାଶ, ପ୍ରକାଶ ମହାନ୍ତି, ମାଧବ ଦାସ, ମହେନ୍ଦ୍ର ପଟ୍ଟନାୟକ,ବିଧୂଭୁଷଣ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading