ପିଲାମାନେ ଆକାଶ ଛୁଇଁବାକୁ ଉଦ୍ୟମ କରନ୍ତୁ


ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା,୧୨ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପିଲାମାନେ ଆକାଶ ଛୁଇଁବାକୁ ଉଦ୍ୟମ କରନ୍ତୁ। ଛୋଟମୋଟ ଲକ୍ଷ୍ୟ ନରଖି ବଡ ଲକ୍ଷ୍ୟ ରଖି ଜୀବନର ଚଲାପଥରେ ଆଗେଇ ଯିବା ପାଇଁ କମିଶନର ଶ୍ରୀ ଭୋଳ ମତବ୍ୟକ୍ତ କରିଥିଲେ। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷମାନଙ୍କ ଜୀବନୀ ସମ୍ପର୍କରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଅବଗତ କରାଇବା ଜରୂରୀ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଜଗତସିଂହପୁର ଜିଲ୍ଲାର ଉପଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ,ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା। ଉତ୍ସବ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଧୃତିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading