କବାଡିଆ ବେପାରୀଙ୍କ କବଜାରେ ଫୁଟ୍‌ପାଥ


କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ ବାଇପାସ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଅଧିକାଂଶ ଅଂଶ ଏବେ ଜବରଦଖଲରେ ଥିବା ଦେଖିବାକୁ ମିଳିଛି। କେତେକ ଦୁଇଚକିଆ ଗାଡି ଗ୍ୟାରେଜ ବାଲା ଏହି ଫୁଟ୍‌ପାଥ ଉପରେ ଭଙ୍ଗାଦଦରା ଗାଡି ସବୁ ଗଦେଇ ରଖିଥିବା ବେଳେ ଅନ୍ୟ କେତେକ କବାଡ଼ିଆ ବେପାରୀ ଏଠାରେ ବିଭିନ୍ନ ପ୍ରକାରର ସାମଗ୍ରୀ ଗଦା କରି ବ୍ୟବସାୟ କରୁଛନ୍ତି। ଏହାଦ୍ୱାରା ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନଷ୍ଟ ହୋଇଯାଇଛି। ସେହିପରି ଫୁଟ୍‌ପାଥରେ ଲୋକମାନେ ଚାଲି ଚାଲି ଯିବା ଆସିବା କରିବା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା ହୋଇଥିଲା। ହେଲେ ଫୁଟ୍‌ପାଥରେ କବାଡିଆ ବେପାରୀ ବିଭିନ୍ନ ପ୍ରକାରର ସାମଗ୍ରୀ ଗଦା କରି ରଖିଥିବାରୁ ଯିବା ଆସିବା କରିବା ସମ୍ଭବପର ହେଉନାହିଁ। ଫଳରେ ସରକାରୀ ଅର୍ଥ ପାଣିରେ ପଡିଲା ବୋଲି ଅଭିଯୋଗ ହୋଇଛି। ସୂଚନା ଥାଉକି ଦୁଇ ବର୍ଷ ତଳେ ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗୋବରୀ ନଦୀର ଗୋଟିଏ ପାଶ୍ୱର୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି ଅର୍ଥରେ ନଦୀ ପାଶ୍ୱର୍ରେ ଫେବର ବ୍ଲକ ଫୁଟ୍‌ପାଥ ନିର୍ମାଣ କରାଯାଇଥିଲା। ଏଥିସହ ସୁନ୍ଦର ଆଲୋକୀକରଣ ମଧ୍ୟ କରାଯାଇଥିଲା। ଲକ୍ଷ୍ୟ ରହିଥିଲା ସହରବାସୀ ସନ୍ଧ୍ୟା ସମୟରେ ଗୋବରୀ ନଦୀ କୂଳରେ ବୁଲାବୁଲି କଲେ ସେମାନଙ୍କ ମାନସିକ ଅବସ୍ଥାରେ ଉନ୍ନତି ଘଟିବ। ଲୋକେ ନଦୀକୂଳରେ କିଛି ସମୟ ବିତାଇଲେ ସେମାନଙ୍କ ମନ ହାଲୁକା ହେବ। ରକ୍ଷଣାବେକ୍ଷଣା ଦାୟିତ୍ୱ ରହିଥିଲା ପୌରପାଳିକାର। କିନ୍ତୁ ଏବେ ସୌନ୍ଦର୍ଯ୍ୟକରଣ ସ୍ଥାନକୁ କେତେକ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି। ଏ ନେଇ ପୌରପାଳିକା ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ନିର୍ଭିକ ଭାବେ ବ୍ୟବସାୟୀମାନେ ସରକାରୀ ଜାଗାକୁ ଜବରଦଖଲ କରିଛନ୍ତି। ଏହାଦ୍ୱାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ଏ ନେଇ ସମାଜସେବୀ ରମଣୀରଞ୍ଜନ ରାଉତରାୟ କହିଛନ୍ତି ସରକାର ଯେଉଁ ଯୋଜନା କରନ୍ତି ତାହା ଲୋକଙ୍କ ପାଇଁ। ଗଣତନ୍ତ୍ର ହେଉଛି ଲୋକଙ୍କ ସରକାର। ଗଣତନ୍ତ୍ରର ପ୍ରକୃତ ମାଲିକ ହେଉଛନ୍ତି ଜନତା। ତେଣୁ ସାଧାରଣ ଜନତା ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣା କରିବାର ମାନସିକତା ଆପଣାଇବା ଉଚିତ। ହେଲେ ଏ କ୍ଷେତ୍ରରେ ସାଧାରଣ ଜନତା ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି। ଏହି ମାନସିକତାରୁ ସେମାନେ କ୍ଷାନ୍ତ ରହିବା ଉଚିତ। ଏ ଦେିଗରେ ପୌରପାଳିକା କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ପୌରପାଳିକାର ନିର୍ବାହୀ ଅଧିକାରୀ ଆଶୁତୋଷ ଗøରବ କରଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ସେ ବ୍ୟକ୍ତିଗତ ଭାବେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ପ୍ରଥମେ ବ୍ୟବସାୟୀମାନଙ୍କୁ ସଚେତନ କରିବେ। ଯଦି ସେମାନେ ନିୟମ ନ ମାନନ୍ତି ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Discover more from

Subscribe now to keep reading and get access to the full archive.

Continue reading