ପାର୍କିଂ ବ୍ୟବସ୍ଥା କରୁନାହାନ୍ତି ବ୍ୟବସାୟୀ , ରାସ୍ତାରେ ଗାଡିରଖି ଜାମ କରୁଛନ୍ତି ଗ୍ରାହକ

ପାର୍କିଂ ବ୍ୟବସ୍ଥା କରୁନାହାନ୍ତି ବ୍ୟବସାୟୀ , ରାସ୍ତାରେ ଗାଡିରଖି ଜାମ କରୁଛନ୍ତି ଗ୍ରାହକ


କେନ୍ଦ୍ରାପଡ଼ା,୨୧ା୧: କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ବିଭିନ୍ନ ପ୍ରକାରର ଦୋକାନ ଥିବାବେଳେ ପାର୍କିଂ ସୁବିଧା କରୁନାହାନ୍ତି ବ୍ୟବସାୟୀ। ଯାହାଫଳରେ ଗ୍ରାହକମାନେ ରାସ୍ତାଉପରେ ଗାଡିରଖି ବ୍ୟବବସାୟିକ ପ୍ରତିଷ୍ଠାନକୁ ଜିନିଷ କିଣିବା ପାଇଁ ଯାଉଛନ୍ତି। ଏହାଦ୍ୱାରା ରାସ୍ତା ଜାମ ହେଉଛି। ଘଣ୍ଟା ଘଣ୍ଟା ଧରି ଲୋକେ ଟ୍ରାଫିକ ସମସ୍ୟାରେ ଫସି ରହୁଛନ୍ତି। ଏପରିକି ଅନେକ ସମୟରେ ରୋଗୀମାନଙ୍କୁ ନେଇ ଯାଉଥିବା ଗାଡି ମଧ୍ୟ ଟ୍ରାଫିକ ଜାମରେ ପଡିଯାଉଛି। ଫଳରେ ରୋଗୀଟି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ଗୁରୁତ୍ତର ହୋଇପଡୁଛି। ବିଶେଷ କରି ବଡହାଟରେ ଥିବା ସୁନା ଦୋକାନ ଓ ଲୁଗା ଦୋକାନ ସମ୍ମୁଖରେ ଅଧିକ ଗାଡିମଟର ରାସ୍ତାର ଉଭୟ ପାଶ୍ୱର୍ରେ ରହୁଛି। ଏହି ଗାଡିଗୁଡିକ ରାସ୍ତାର ପଚାଷ ପ୍ରତିଶତ ସ୍ଥାନ ମାଡିବସୁଛି। ଫଳରେ ଏହି ରାସ୍ତା ଦେଇ ଗାଡିମଟର ଯିବାଆସିବା କରିବାରେ ସମସ୍ୟାରେ ପଡୁଛନ୍ତି। ଏନେଇ ସହରର ବୁଦ୍ଧିଜୀବୀମାନେ ଅନେକ ଥର ଟାଉନ ଥାନା ପୋଲିସକୁ ଅବଗତ କରାଇଛନ୍ତି। ହେଲେ ପୋଲିସ ଏହାକୁ ଗୁରୁତ୍ୱ ଦେଇନାହିଁ। କାରଣ ପୋଲିସ ସୁନା ଦୋକାନୀ ଓ ଲୁଗା ଦୋକାନୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ଯାହାଫଳରେ ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଏସଂକ୍ରାନ୍ତରେ ବୁଦ୍ଧିିଜୀବୀ ରମଣୀରଞ୍ଜନନ ରାଉତରାୟ କୁହନ୍ତି ବ୍ୟବସାୟୀ ମାନେ ଗ୍ରାଉଣ୍ଡ ଫ୍ଲୋରକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରି ଉପର ମହଲାରେ ବ୍ୟବସାୟ ପ୍ରତିଷ୍ଠାନ କରିବା ଉଚିତ। ଏହାହେଲେ ଗ୍ରାହକମାନେ ଯେଉଁ ବ୍ୟବସାୟିକ ଜିନିଷ କିଣିବା ପାଇଁ ଯିବେ ସେହି ପ୍ରତିଷ୍ଠାନର ପାର୍କିଂ ସ୍ଥଳରେ ଗାଡି ରଖିବେ। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗ୍ରାହକଙ୍କୁ ଗାଡି ରଖିବାକୁ ପଡିବ ନାହିଁ। ଏହାଦ୍ୱାରା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ। ଉଭୟ ପୋଲିସ ଓ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏସଂକ୍ରାନ୍ତରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ବଡହାଟରେ ଟ୍ରାଫିକ ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି। ଅନେକ ଥର ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି। କିନ୍ତୁ ପାର୍କିଂ ପାଇଁ ସ୍ଥାନ ନଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ରାସ୍ତା ଉପରେ ଗାଡି ରଖୁଛନ୍ତି। ଯଦି ବ୍ୟବସାୟୀମାନେ ନିଜ ଉଦ୍ୟମରେ ସେମାନଙ୍କ ଦୋକାନର ଗ୍ରାଉଣ୍ଡ ଫ୍ଲୋରକୁ ପାର୍କିଂସ୍ଥଳ ଭାବେ ବ୍ୟବହାର କରନ୍ତେ ଓ ବ୍ୟବସାୟ ପାଇଁ ଉପର ମହଲା ନିର୍ମାଣ କରନ୍ତେ ତାହାହେଲେ ଦୀର୍ଘଦିନର ଏହି ସମସ୍ୟା ସମାଧାନ ହୋଇପାରିବ।