
ପଟ୍ଟାମୁଣ୍ଡାଇ ତା ୬/୨-ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ଏକ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ଜଣାଶୁଣା । ବନ୍ୟା ବିପନ୍ନ ଏହି ପଂଚାୟତ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ମାତୃ ସ୍ଥାନୀୟ ପ୍ରଶାସନ ଓ ପଂଚାୟତ ପ୍ରତିନିଧିଙ୍କ ସହଯୋଗରେ ପର୍ଯ୍ୟାୟକ୍ରମେ ଅନେକ ସମସ୍ୟାର ସମାଧାନ କରାଯାଇଛି । ଏହି ପଂଚାୟତର ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ବିଦ୍ୟୁତ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପଂଚାୟତବାସୀଙ୍କ ଗମନାଗମନ ସୁବିଧା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ନିକଟରେ ନିର୍ମାଣ କରାଯାଇ ଥିବା ଢ଼ଳେଇ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି । ଖାଲି ଗୋଟିଏ ଦୁଇଟି ସ୍ଥାନରେ ନୁହେଁ ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ପ୍ରାୟ ୩୭ଟି ବିଦ୍ୟୁତ ଖୁଣ୍ଟ ରହିଛି । ଯାହାକି ଗମନାଗମନ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରିବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ରାତି ନୁହେଁ ଦିନ ବେଳା ମଧ୍ୟ ଦୁର୍ଘଟଣା ଘଟୁଛି । ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିବାରୁ ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ସେଵା ଯୋଗାଇବା ପାଇଁ ଆମ୍ବୁଲାନ୍ସ ସେବା ବ୍ୟାହତ ହେଉଛି । ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିବାରୁ ଆମ୍ବୁଲାନ୍ସ ଗାଡି ଯାତାୟାତରେ ବାଧା ସୃଷ୍ଟି ହେଉଛି । ଏପରିକି ବିଦ୍ୟୁତ ଖୁଣ୍ଟ ରାସ୍ତା ମଝିରେ ଥିବାରୁ ଅନାହୁତ ବିପଦ ଆଶଙ୍କାରେ ଜନସାଧାରଣ ଭୟଭୀତ ଅବସ୍ଥାରେ ଯାତାୟାତ କରିବା ଦେଖାଯାଉଛି । ବଳଭଦ୍ର ପୁର ସରପଞ୍ଚ ପ୍ରିୟବ୍ରତ ଓଝା ଓ ସମିତି ସଭ୍ୟ କୈଳାଶ ପରିଡାଙ୍କ
ନେତୃତ୍ୱରେ ଗୋପୀନାଥ ରାଉଳ, ବିଜୟ ନାୟକ, ବଲ୍ଲଭ ଦାସ, ବାବାଜୀ ନାୟକ,କୈଳାଶ ନାୟକ, ମଧୁସ୍ମିତା ପରିଡା, ସୁକାନ୍ତ ପରିଡା ସୁଶୀଲ ସୂତାର, ପ୍ରଦୀପ ଦାସ, ବିଦ୍ୟାଧର ବେହେରା, ମନୋଜ ସାହୁ, ହୃଷିକେଶ ବେହେରା, ପରମାନନ୍ଦ ନାୟକ, ପରୀକ୍ଷିତ ଦାସ ଅନୁସୂୟା ନାୟକ, ସୁଶାନ୍ତ ଦାସ ମମତା ଦାସ, ଭରତ ବେହେରା ନିରୋଦ ଦାସ, ହୃଷିକେଶ ରାଉଳ ଅରବିନ୍ଦ ରାଉଳ, ଦାମୋଦର ଦାସ ପ୍ରମୁଖ ସ୍ଥାନୀୟ ଅଧିବାସୀ ବାରମ୍ବାର ବିଦ୍ୟୁତ ବିଭାଗ କତୃପକ୍ଷ ଙ୍କୁ ଭେଟି ତୁରନ୍ତ ରାସ୍ତା ମଝିରୁ ବିଦ୍ୟୁତ ଖୁଣ୍ଟ ଅପସାରଣ କରିବା ପାଇଁ ଦାବୀ କରିଥିଲେ ମଧ୍ୟ ବାସ୍ତବ ରେ କିଛି କରାଯାଇନାହିଁ । ଏଥି ନେଇ ବଳଭଦ୍ରପୁର ପଂଚାୟତ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହିତ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ କତୃପକ୍ଷ ଆସନ୍ତା ୧୩ ତାରିଖ ମଧ୍ୟରେ ବଳଭଦ୍ରପୁର ପଂଚାୟତର ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ହଟା ନଗଲେ ଆସନ୍ତା ୧୪ ତାରିଖରେ ବିଦ୍ୟୁତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ କତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।











