
କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ୧୦ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି। ଏନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, ମାଣିକପାଟଣା, ଚଣ୍ଡିଆଗଡି ଓ ଅରେହିକଣା ଭଳି ଦଶଟି ପଞ୍ଚାୟତ ଦୀର୍ଘଦିନ ହେବ ଅବହେଳିତ ହୋଇ ରହିଛି। ୨୦୦୯ମସିହା ପୂର୍ବରୁ ଏହି ପଞ୍ଚାୟତ ଗୁଡିକ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଥିଲା। କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣ ପରେ ଏଗୁଡିକ ଆଳି ନିର୍ବାଚନ ମଣ୍ଡଳୀକୁ ଆସିଲା। କିନ୍ତୁ ଏହି ପଞ୍ଚାୟତ ଗୁଡିକର ବିଶେଷ ଉନ୍ନତି ହୋଇପାରିଲା ନାହିଁ। ପଞ୍ଚାୟତ ସମୁହର ପୁନର୍ଗଠନ ହେଲେ ଜନ ସଂଖ୍ୟା ଦୃଷ୍ଟିରୁ ଆଉ ୫/୬ଟି ନୂତନ ପଞ୍ଚାୟତ ସୃଷ୍ଟି ହେବ। ତେଣୁ ଏହାକୁ ମିଶାଇ ଏକ ନୂତନ ବ୍ଲକ ଗଠନ କରାଯିବା ପାଇଁ ଦଶ ପଞ୍ଚାୟତ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବ୍ରଜସୁନ୍ଦର ଭୂୟାଁ, ସମ୍ପାଦକ ସୁମନ୍ତ ରାଉତ, ଚଣ୍ଡିଆଗଡି ସରପଞ୍ଚ ସନାତନ ସାହୁ, ସିଙ୍ଗିରି ସରପଞ୍ଚ ଅକ୍ଷୟ କୁମାର ଦାସ, ପୂର୍ବତନ ସରପଞ୍ଚ ସୁମନ୍ତ ଦାସ, ସୁଧିର ଚନ୍ଦ୍ର ମହାନ୍ତି, ଅଭୟ କୁମାର ସାହୁ, ଅଶୋକ କୁମାର ରାଉତ, ଗୋଲେଖ ଚନ୍ଦ୍ର ସାହୁ, ପ୍ରସନ୍ନ ସାହୁ ଓ ଅନାଦି ଦାସ ପ୍ରମୁଖ ଦାବି କରିଛନ୍ତି।











