ଭାରତୀୟ ଜ୍ଞାନ ବ୍ୟବସ୍ଥା ଦର୍ଶନ ସଂସ୍କୃତି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରେରଣା ଯୋଗାଇଥାଏ


ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫


ପଟ୍ଟାମୁଣ୍ଡାଇ ୨୨/୩ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଠାରେ ଜୀବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଡ.ପ୍ରତିଭା ମହାରଥୀ ଯୋଗ ଦେଇ ଉତ୍ସବକୁ ସମ୍ବୋଧିତ କରିଥିଲେ। ସେ ତାଙ୍କ ଅଭିଭାଷଣରେ ପ୍ରାଚୀନ ଭାରତୀୟ ଜ୍ଞାନ ପ୍ରଣାଳୀ, ଚିନ୍ତାଧାରା ଓ ଦର୍ଶନର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାରତୀୟ ଦର୍ଶନ, ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରେରଣା ଯୋଗାଇଥାଏ। ଆମର ଦର୍ଶନ ବସୁଧୈବ କୁଟୁମ୍ବକମ ଅର୍ଥାତ ଏକ ସ୍ଥାନ, ଜିଲା, ରାଜ୍ୟ, ଦେଶ, ମହାଦେଶ ଏବଂ ପୃଥିବୀ (ବସୁଧା) ଏକ ପରିବାରରେ ବିଶ୍ୱାସ କରେ ବୋଲି ଜଣେ ମାଳି ଦୋକାନୀ ଓ ମନ୍ଦିର ପୂଜକର ଉଦାହଣଦେଇ କହିଥିଲେ। ପ୍ରାଚୀନ ଭାରତର ବେଦ, ଉପନିଷଦ ଓ ପୁରାଣରେ ପ୍ରତିଫଳିତ ହୋଇଥିବା ସଂସ୍କୃତି ଭାରତୀୟ ଦର୍ଶନ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଗୋଟିଏ ବିଶ୍ୱ ଗୋଟିଏ ପରିବାରର ସାମାଜିକ ମୂଲ୍ୟବୋଧରେ ସମୃଦ୍ଧ କରିଥିଲା। ବିଶ୍ୱର ମଙ୍ଗଳ ପାଇଁ ଭାରତର ଜ୍ଞାନ ଓ ଚିନ୍ତାଧାରାକୁ ପ୍ରତିଫଳିତ କରିବାକୁ ସେ ଅନୁରୋଧ କରିଥିଲେ। ମୂଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଯୋଗ ଦେଇ କେବଳ ନିଜ କୁଟୁମ୍ବ ବିଚାରିବାର ପ୍ରବଣତା ମଧ୍ୟରୁ ଉତୀର୍ଣ୍ଣ ହୋଇ ସମଗ୍ର ଦେଶରୁ ମହାଦେଶ ଓ ବିଶ୍ୱର ବସୁଧାକୁ ନିଜ କୁଟୁମ୍ବ ମନେ କରିବାର ଶୁଦ୍ଧ ଚେତନା ମଧ୍ୟରୁ ଜନ୍ମ ନେଇଛି ଏହି ଅମୃତମୟ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ । ଏହି ଦିବ୍ୟ ଆହ୍ୱାନ ଭିତରେ ମଣିଷ ନିଜକୁ ଏକ ଐଶ୍ୱରୀୟ ଚେତନାର ନିକଟବର୍ତୀ କରିବାର ସୁଯୋଗ ପାଇଥାଏ। ଥରେ ଏହି ଚେତନାର ସ୍ପର୍ଶ ମିଳିଲେ ମଣିଷ ନିଜକୁ ବିସ୍ତାରିତ ମନେକରେ ବୋଲି କହିଥିଲେ। ଏହି ପ୍ରତିଭା ଉତ୍ସବରେ ବହୁ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ପ୍ରଫେସର ଦୁର୍ଯ୍ୟୋଧନ ପରିଡା. ପ୍ରଫେସର କୈଳାସ ପାତ୍ରଙ୍କ ସମେତ ୧୪ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପଟ୍ଟାମୁଣ୍ଡାଇ ସରକାରୀ ଡାକ୍ତରଖାନାରେ ବରିଷ୍ଠ ନର୍ସ ଭାବେ କାର୍ଯ୍ୟ କରି ଅବସର ନେଇଥିବା ରେଣୁବାଳା ଦାସଙ୍କୁ(ରେଣୁ ଦିଦିଙ୍କୁ) ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ରାଜନଗର ବ୍ଲକ ୨୦୨୪ ମାଟ୍ରିକ ଟପ୍ପର ଆୟଶା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ଆବାହକ ରଂଜନ ପ୍ରଧାନ, ବ୍ରଜବନ୍ଧୁ ଦାଶ, ଅଭିରାମ ପତି ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading