ଅସୁସ୍ଥ ଥିବାବେଳେ ମାଟି ତାଡି ନେଲା ବିଭାଗ ,ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ


କେନ୍ଦ୍ରାପଡ଼ା,୧୯ା୫: ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସଂପଦ ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି। ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେଠାରୁ ନ୍ୟାୟ ନପାଇବାରୁ ଏବେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ବ୍ଲକ ପିକରାଳି ଗ୍ରାମର ସୁବ୍ରତ କୁମାର ମିଶ୍ର ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ତାଙ୍କର ଯକୃତ ଜନିତ ରୋଗ ବାହାରିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୨୦୨୪ ମସିହା ଡିସେମ୍ବର ୧୨ ତାରିଖରେ ତାଙ୍କ ଶରୀରରେ ଯକୃତ ପ୍ରତିରୋପଣ ହୋଇଥିଲା। ଏଥିପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ କଟକ ସିଡିଏ ସେକ୍ଟର-୯ରେ ଥିବା ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ। ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଯକୃତ ପ୍ରତିରୋପଣ ହୋଇଥିଲା। ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଜଳସଂପଦ ବିଭାଗ ତାଙ୍କ ଜମିର ୧୦ ହଜାର ଫୁଟ୍ ଚଉଡା ଓ ୧୫ ଫୁଟ୍ ଗଭୀରତାରୁ ମାଟି ତାଡି ନେଇଥିଲା। ସେ ମେ ୧୩ ତାରିଖରେ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଜଳସଂପଦ ବିଭାଗ ତାଙ୍କ ଜମିରୁ ମାଟି ତାଡି ନେଇଛି। ତେଣୁ ଏ ନେଇ ସେ ଜଳସଂପଦ ବିଭାଗ ପୁନ୍ଦାଳ ଉପଖଣ୍ଡର ସହକାରୀ ଯନ୍ତ୍ରୀ ଗଦାଧର ବାରିକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ କିଛି ଲାଭ ହେଲାନାହିଁ। କାରଣ ସେ ଏହାକୁ ହାଲୁକା ଭାବେ ଗ୍ରହଣ କଲେ। ତେଣୁ ସେ ମହାନଦୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଯୋଗାଯୋଗ କରିଥିଲେ। ଏହାସହ ତାଙ୍କୁ ଅଭିଯୋଗପତ୍ର ଦେଇଥିଲେ। ଅଧୀକ୍ଷଣ ଯନ୍ତ୍ରୀ ଏହି ଘଟଣାର ତଦନ୍ତ କରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯନ୍ତ୍ରୀ ତଦନ୍ତ ନକରି ମୋତେ ଫୋନ କରି କହିଲେ ଯେଉଁ ଜମିରୁ ମାଟି ଉଠିଛି ସେ ଜମି ତୁମର ନୁହେଁ। ଏହାପରେ ସୁବ୍ରତ ତାଙ୍କ ଜମିର ପ୍ରମାଣପତ୍ର ଓ ଯେଉଁ ଜମିରୁ ମାଟି ଖୋଳାଯାଇଛି ତାହାର ଭିଡିଓ କରି ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କ ନିକଟକୁ ପଠାଇଥିଲେ। ଏହାସହ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ମେ ୧୭ ତାରିଖରେ ସହକାରୀ ଯନ୍ତ୍ରୀ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହି ସମୟରେ ଗ୍ରାମର କେତେକ ଭଦ୍ରଲୋକ ଉପସ୍ଥିତ ଥିଲେ। କିନ୍ତୁ ସହକାରୀ ଯନ୍ତ୍ରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗାଁର ଭଦ୍ରଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାଦ୍ୱାରା ସେ ନ୍ୟାୟ ପାଇବାରୁ ବଞ୍ôଚିତ ହୋଇଥିଲେ। ତେଣୁ ବାଧ୍ୟହୋଇ ସେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କୁ ପଚାରିବାରୁ ସେ କହିଲେ ବିଭାଗ ଠିକାଦାରଙ୍କ ସହ ଚୁକ୍ତି କରିଥିଲା ରାସ୍ତା କାମରେ ମାଟି ପକାଇବା ପାଇଁ। ମାଟି ପକା କାର୍ଯ୍ୟ ୪ ମାସ ତଳୁ ଶେଷ ହୋଇଛି। ଆମ ବିଭାଗ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ମାଟି ଯଦି ବ୍ୟବହାର ହୋଇଛି ତେବେ ସେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରନ୍ତୁ। ଠିକାଦାର କେଉଁଠାରୁ ମାଟି ଆଣି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବେ ସେଥିପାଇଁ ବିଭାଗ ଦାୟୀ ନୁହେଁ ବୋଲି ସେ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading