ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ; ୬୨ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ



ପଟ୍ଟାମୁଣ୍ଡାଇ ୧୯/୫  – କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ ।ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ,ଆମ୍ଭେଦକର ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀ, ପୂର୍ବତନ କାଉନସିଲର ଗୋବିନ୍ଦ ସେଠୀ, ଚନ୍ଦନ ପାତ୍ର, ଶରତ ଜେନା ରବୀନ୍ଦ୍ର ସାହୁ, ପ୍ରଭାତ ମଲିକ ପ୍ରମୁଖ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପଟ୍ଟାମୁଣ୍ଡାଇ ବାଇପାସ ଓ କଚେରୀ ପୋଖରୀ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା,ରାସ୍ତା ଉପରେ ବସି ପରିବା ବେପାର କରୁଥିବା ବ୍ୟବସାୟୀଙ୍କୁ ପରିବା ମାର୍କେଟ କରି ଥଇଥାନ କରିବା,ବାଇପାସ ବିଜୁ ପଟନାୟକ ଛକରେ ଦୁର୍ଘଟଣା ଏଡାଇବା ପାଇଁ ଟ୍ରାଫିକ ପୋଲିସ ମୁତୟନ ଓ ସ୍ପିଡ଼ ବେକର ଲଗାଇବା, ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଥିବା ଅଚଳ ଷ୍ଟ୍ରିଟ ଲାଇଟ କୁ ସଚଳ କରିବା,ବିଭିନ୍ନ ବିଦ୍ୟାଳୟ ଶ୍ରେଣୀ ଗୃହ ମରାମତି ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା, ବର୍ଷା ଦିନ ପୂର୍ବରୁ ଜଳ ନିଷ୍କାସନ ପାଇଁ ନୂତନ ଡ୍ରେନ ନିର୍ମାଣ ଓ ପୁରାତନ ଡ୍ରେନ ସଫା କରିବା, ସରକାରୀ ବାଳିକା ହାଇସ୍କୁଲ ଓ ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ଜମି ରହୁଥିବା ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନେବା, ସରକାରୀ ଜମି ଜବରଦଖଲ ମୁକ୍ତ କରିବା ସହିତ ଜନସାଧାରଣଙ୍କ ଉତମ ଗମନାଗମନ ପାଇଁ ରାସ୍ତା ଅବରୋଧ ହଟାଇବା ଆଦି ବିଭିନ୍ନ ଦାବୀ ସମ୍ପର୍କରେ ଦାବୀପତ୍ର ପ୍ରଦାନ କରି ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ସିଂହଗାଁ ସରପଂଚ ଗଣେଶ ଦାସ ଓ ସମିତି ସଭ୍ୟ ଅଭୟ ସ୍ୱାଇଁ ସିଂହଗାଁ ପଂଚାୟତର ରାଉଳିଆଡିଆ – ପାଳିମି ସେତୁ ନିର୍ମାଣ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ଏହାଛଡା ସିଂହଗାଁ ପଂଚାୟତ ନୂଆପାଟଣା ଗ୍ରାମର ନନ୍ଦି ଦାସ ଘର ତାଳ ଗଛରେ ବିପଦଜନକ ଅବସ୍ଥାରେ ବିଦ୍ୟୁତ ସଂଯୋଗ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀରାମପୁର ପଂଚାୟତରେ ଥିବା ସିଦ୍ଧ ରାମ ଚଣ୍ଡୀ ମହିଳା ମହାସଂଘ ବହୁ ଅନିୟମିତତାରେ ସମ୍ପୃକ୍ତ ଥିବା ଓ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ନେଇ ବହୁ ଗ୍ରାମବାସୀ ମିଳିତ ଜନ ଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିବା ସହିତ ଉପଯୁକ୍ତ ତଦନ୍ତ ଓ କାର୍ଯାନୁଷ୍ଠାନ ଦାବୀ କରିଥିଲେ । ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗ୍ରାମରେ ନିର୍ମାଣାଧୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦୀର୍ଘ ଦିନ ଧରି ଅଧା ପନ୍ତରିଆ ଭାବେ ପଡି ରହିଛି ଓ ଜବର ଦଖଲ ଯୋଗୁଁ ରାସ୍ତା କାର୍ଯ୍ୟ ଆଗେଇ ପାରୁନାହଁ ବୋଲି ପ୍ରଶାସନ ଅନୁଭବ କରିବା ପରେ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ପୋଲିସ ପ୍ରଶାସନ ସହଯୋଗରେ ଜବର ଦଖଲ ଉଛେଦ କରିବାର ୭ମାସ ପରେ ମଧ୍ୟ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଯାହାଫଳରେ ଜନସାଧାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି ଶିଶୁମାନେ ଯାତାୟାତ କ୍ଷେତ୍ରରେ ନାହିଁନଥିବା ଅସୁବିଧା ଭୋଗ କରୁଥିବାରୁ ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବାକୁ ଦାବୀ କରିଥିଲେ । ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ ବନ୍ୟା ବିପନ୍ନ ପେଣ୍ଠପାଳ ପଂଚାୟତବାସୀଙ୍କୁ ଉପଯୁକ୍ତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ୧୯୯୨ ମସିହାରୁ ପ୍ରସ୍ତାବିତ ଓ ଜିଲା ପ୍ରଶାସନର ବିଚାରାଧୀନ କୂଳସାହି, କୋଳଥିଆ ଓ ନାହିଆଡିଆ ଗ୍ରାମକୁ ଅବିଳମ୍ବେ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବୀ କରିଥିଲେ । ବଡ଼ ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ପୋହଳ ପାଟନାଳୀ ଉପରେ ପୋଲ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ମିଳିତ ଜନଶୁଣାଣୀ ଶିବିରରେ ଚନ୍ଦନ ନଗର ପଂଚାୟତ ଗୁପ୍ତିରା ଗ୍ରାମର ଭୂମିହୀନ ବିଧବା ମହିଳା ବିମ୍ବଳି ବେୱାଙ୍କୁ ସରକାରୀ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଆଗତ ୬୨ଟି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଜିଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣି ଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।


Next Post

ଅପରେସନ ସିନ୍ଦୁର ସଫଳତା , ଡାମରପୁରରେ ତ୍ରିରଙ୍ଗା ଯାତ୍ରା

Sat May 24 , 2025
ପଟ୍ଟାମୁଣ୍ଡାଇ ତା ୨୪/୫- କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି ।  ଭାରତବର୍ଷର ଏକତା ଅଖଣ୍ତତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଠାରେ ରାଷ୍ଟ୍ରୀ ସୁରକ୍ଷା ନାଗରିକ ସମିତି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା ।  ଡାମରପୁର ପଂଚାୟତର ବିଭିନ୍ନ ସ୍ଥାନ […]

KANIKA