କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଅବହେଳା ପରେ ଏବେ ଟେଣ୍ଡର ପରିଚାଳନାରେ ଅନିୟମିତତା ହେଉଛି । ଏପରି ଅଭିଯୋଗ ଉତ୍କଳ ଏଣ୍ଟରପ୍ରାଇଜର୍ସର ମାଲିକ ଶେଖ ମହମ୍ମଦ ନିୟାଜଉଦ୍ଦିନ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗତ ଜୁନମାସ ୧୨ ତାରିଖରେ ଡାକ୍ତରଖାନାର ଆଇଇସି ( ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର) ସମ୍ବନ୍ଧୀୟ ସାମଗ୍ରୀ ପାଇଁ ଟେଣ୍ଡର ବାହାରିଥିଲା । କେନ୍ଦ୍ରାପଡା ଜିଲ୍ଲା ସମେତ ପୁରୀ ଓ ଯାଜପୁର ଜିଲ୍ଲାର ବ୍ୟବସାୟ ଅନୁଷ୍ଠାନ ଏହି ଟେଣ୍ଡରରେ ସାମିଲ ହୋଇଥିଲେ । ଜୁଲାଇ ୭ ତାରିଖରେ ଏହି ଟେଣ୍ଡର ପତ୍ର ଖୋଲାଯାଇଥିଲେ ମଧ୍ୟ ଫାଇନାନସିଆଲ ବିଡକୁ ଜାଣିଶୁଣି ଅଟକା ଯାଇଥିଲା । ସମସ୍ତ ଟେଣ୍ଡର ପତ୍ର ଆବେଦନକାରୀଙ୍କ ସମ୍ମୁଖରେ ଖୋଲାଯିବ ବୋଲି କହିଥିଲେ ମଧ୍ୟ କୌଣସି ସୂଚନା ଦିଆ ନଯାଇ ଗତ ୧୮ ତାରିଖରେ ପୁରୀ ଓ ଯାଜପୁରର ବ୍ୟବସାୟୀଙ୍କୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାକୁ ପ୍ରାଧାନ୍ୟ ଦିଆ ନଯାଇ ବାହାର ଜିଲ୍ଲାର ବ୍ୟବସାୟୀଙ୍କୁ ଟେଣ୍ଡର ମଞ୍ଜୁରୀରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ମନୋରଞ୍ଜନ ରାଉତ କହିଛନ୍ତି ଯେ ସଂପୃକ୍ତ ଟେଣ୍ଡର ପତ୍ର ଦାଖଲକାରୀ କେତେକ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ତେବେ ଏନେଇ ସେ ତଦନ୍ତ କରିବେ ବୋଲି ଡା. ରାଉତ କହିଛନ୍ତି ।