ସତୀର୍ଥର ବାର୍ଷିକ ସ୍ୱନକ୍ଷେତ୍ର ଦିବସ ଉତ୍ତମ ସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କ ଭୂମିକା ଅବିସ୍ମରଣୀୟ



କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡ଼ା ବ୍ଲକ କୋରୋ ଗ୍ରାମର ସିଦ୍ଧବଟ ଠାରେ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ଏକାଦଶ ବାର୍ଷିକ ସ୍ୱନକ୍ଷେତ୍ର ଷଠୀପୂଜା ଓ ସାସ୍ୱତ ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି । ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତାଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. କୁମାରବର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ନିରୁପମା ବରାଳ, କବି ସ୍ୱପ୍ନାଂଶୁ ଦାସ, କବୟିତ୍ରୀ କବିତା ମୁଦୁଲି, ନାଟ୍ୟକାର ସଂଜିତ ପଟ୍ଟନାୟକ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ, କୋର ପଞ୍ଚାୟତର ସରପଞ୍ଚ ରଞ୍ଜିତ କୁମାର ଜେନା ଯୋଗ ଦେଇଥିଲେ। ଆୟୋଜିତ ସାରସ୍ୱତ ମହାକୁମ୍ଭରେ ଯୋଗଦେଇ ଅତିଥିମାନେ କହିଲେ ଲିଓ ଟଲଷ୍ଟୟ, ସକ୍ରେଟିସ, ରବୀନ୍ଦ୍ରନାଥ ଟାଗୋର ସାହିତ୍ୟ ସର୍ଜନା କରି ଦାର୍ଶନିକ ହୋଇଛନ୍ତି। ସେହିପରି ସାହିତ୍ୟିକମାନେ ସମାଜ ବିଜ୍ଞାନୀ ଅଟନ୍ତି। ସେମାନଙ୍କ କଲମ ଚାଳନାରେ ସମାଜରେ ବ୍ୟାପକ ପରିବର୍ତ୍ତନ ଆସିଥାଏ। ଉତ୍ତମ ସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କ ଭୂମିବା ଅବିସ୍ମରଣୀୟ ବୋଲି ଅତିଥିମାନେ କହିଥିଲେ। ସେହିପରି ପୁରସ୍କାର ପାଇବା ପାଇଁ ସାହିତ୍ୟର ସୃଷ୍ଟି ହୋଇ ନଥାଏ। ସାହିତ୍ୟ ପାଇଁ ପୁରସ୍କାର ସୃଷ୍ଟି ହୋଇଥାଏ। ତେଣୁ ସାହିତ୍ୟିକମାନେ ପୁରସ୍କାର ପାଇବା ଆଶାରେ ସାହିତ୍ୟ ସୃଷ୍ଟି କରିବା ଉଚିତ ନୁହେଁ। ସାହିତ୍ୟିକମାନେ ଦାର୍ଶନିକ ଦୃଷ୍ଟିଭଙ୍ଗୀ ରଖି ସାହିତ୍ୟ ସର୍ଜନା କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ସତୀର୍ଥ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି କଥାକାର ଯଜ୍ଞଦତ୍ତ ଆର୍ଯ୍ୟଙ୍କୁ ସତୀର୍ଥ କଥା ସମ୍ମାନ ଓ କବୟିତ୍ରୀ ସୁନନ୍ଦା ପ୍ରଧାନଙ୍କୁ ବିଦ୍ୟୁତଲତା ଦେବୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଂପାଦକ କବି ମନ୍ମଥ ନାଥ ବରାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ। ରାଜକିଶୋର ଜେନା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କବି ଫକୀର ଖଟୁଆ, ଜାମିନି ଦାସ, ଶଙ୍କର ସାହୁ, ରାଜୁ ସାମଲ, ଅପର୍ତ୍ତୀ ସେଠୀ, କୃପାସିନ୍ଧୁ ବିଶ୍ୱାଳ ପ୍ରମୁଖ ୬୦ କବି କବିତା ପାଠ କରିଥିବା ବେଳେ କବି ନିକୁଞ୍ଜ ପୃଷ୍ଟି, କବି ଅଶୋକ ସାହୁ କବିତା ପାଠୋତ୍ସବକୁ ସଂଯୋଜନା କରିଥିବା ବେଳେ ମଞ୍ଚ ସହେଯାଗୀତା କରିଥିଲେ । ଅତିଥି ପରିଚୟ ଦେଇଥିଲେ ପଣ୍ଡିତ ପ୍ରତାପ ପତି। ଧନ୍ୟବାଦ ଦେଇଥିଲେ ଭାଗୀରଥୀ ଜେନା। କାର୍ଯ୍ୟକ୍ରମ ପରିଚାଳନାରେ ଭାଗବତ ଷଡ଼ଙ୍ଗୀ, ମହେଶ୍ୱର ନାୟକ, କୈଳାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ। ଉତ୍ସବ ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ପ୍ରଜ୍ଞା ପାରମିତା ରାଉତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading