
କେନ୍ଦ୍ରାପଡା,୩ା୧୨: ନେସନାଲ ପିପୁଲସ ପାର୍ଟି(ଏନ୍ପିପି)ର କେନ୍ଦ୍ରାପଡ଼ା ଜିଲା ସଭାପତି ଭାବେ ଆଇନ୍ଜୀବୀ ଡଃ. ଅପୂର୍ବ ରଞ୍ଜନ ସେଠୀ ମନୋନୀତ ହୋଇଛନ୍ତି। ତାଙ୍କୁ ଦଳର ରାଜ୍ୟ ସଭାପତି ସୋମନାଥ ରାଉତ ଓ ସାଧାରଣ ସଂପାଦକ ଅରୁଣ କୁମାର ମହାପାତ୍ର ଏହି ଦାୟିତ୍ୱ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ଡଃ ଅପୂବ ଏହି ଦଳରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟ ସଭାପତି ତାଙ୍କୁ ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ଦେଇଥିଲେ । ଡଃ. ସେଠୀ ପୂର୍ବରୁ ଆମ ଆଦମୀ ପାର୍ଟିର ଜିଲା ଉପସଭାପତି ଥିଲେ। ସେହିପରି ସେ ଆମ୍ବେଦକର ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ସୂଚାର ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେ ବିନା ମୂଲ୍ୟରେ ଗରିବ ଲୋକଙ୍କୁ ଆଇନ୍ ସେବା ପ୍ରଦାନ କରନ୍ତି। ଦୀର୍ଘଦିନ ହେବ ସେ କେନ୍ଦ୍ରାପଡ଼ା ଜିଲାରେ ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଏସ୍ସି/ଏସ୍ଟି ଲୋକଙ୍କ ଉନ୍ନତି ପାଇଁ ସେ ଦୀର୍ଘଦିନ ହେବ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ ବିପନ୍ନମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହାୟତାର ହାତ ବଢାଇଥାନ୍ତି। ଏନ୍ପିପି ଭଳି ଏକ ଜାତୀୟ ଦଳର ଜିଲା ସଭାପତି ଦାୟିତ୍ୱ ନେବା ପରେ ଡଃ. ସେଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ସଭାପତି ଶ୍ରୀ ରାଉତ ଓ ସମ୍ପାଦକ ଶ୍ରୀ ମହାପାତ୍ର ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ଦେଇଥିବାରୁ ଡଃ ସେଠୀ ତାଙ୍କୁ କୃତଜ୍ଞତା ଦେଇଛନ୍ତି ।











