କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତିଲେ ମହିଳା, ସାହାଯ୍ୟ କଲା ପିନ୍ଧିଥିବା ଶାଢ଼ୀ



ପଟ୍ଟାମୁଣ୍ଡାଇ ୧୧/୭ – ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ କୂଳରେ ପୁଣି ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ। ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳା ଅତର୍କିତ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ବଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି।

 

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଅମ୍ବୃତମଣୋହୀ ଗ୍ରାମର ବେଙ୍ଗୁଲି ସେଠୀ (୫୮) ନାମକ ଜନୈକା ମହିଳା ଶନିବାର ମଧ୍ୟହ୍ନରେ ବ୍ରାହ୍ମଣୀ ନଦୀ ତୁଠରେ ନିଜର ଦୈନନ୍ଦିନ କାମ ସାରୁଥିବା ବେଳେ ହଠାତ୍ ପାଣି ଭିତରୁ ଏକ ବିରାଟକାୟ କୁମ୍ଭୀର ମାଡ଼ି ଆସିଥିଲା। କିଛି ବୁଝିବା ଆଗରୁ କୁମ୍ଭୀରଟି ମହିଳାଙ୍କୁ ଆକ୍ରମଣ କରି ପିନ୍ଧିଥିବା ସାଢୀ ଉପରେ ଜାବ ପାକାଇ ପାଣି ଭିତରକୁ ଟାଣିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ଭୟଭୀତ ନହୋଇ ଉପସ୍ଥିତ ବୃଦ୍ଧି ଖଟାଇ ସେ ନିଜ ପିନ୍ଧିଥିବା ଶାଢ଼ୀର ଖୋଲି ଦେଇଥିଲେ । ଶାଢ଼ୀଟି କୁମ୍ଭୀରର ଆଖି ଓ ମୁହଁରେ ଗୁଡ଼େଇ ହୋଇଯିବାରୁ ସେ କ୍ଷଣିକ ପାଇଁ ଦିଗହରା ହୋଇପଡ଼ିଥିଲା ଏବଂ ମହିଳାଙ୍କ ଉପରୁ ତାର ଧରପଗଡ଼ ଶିଥିଳ ହୋଇଯାଇଥିଲା। ଏହାର ସୁଯୋଗ ନେଇ ମହିଳା ଜଣକ କୂଳରୁୁ ଦୌଡ଼ି ପଳାଇ ଆସିଥିଲେ। ଗ୍ରାମରେ ଖବର ଦେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଥିଲେ ହେଲେ କୁମ୍ଭିରଟି ସେଠାରୁ ପଳାଇଯାଇଥିବା ବେଳେ ସାଢିଟି ଭାସୁଥିବାର ଦେଖିଥିବା ଗ୍ରାମବାସୀ କହିଛନ୍ତି। ମହିଳାଙ୍କର ଏଭଳି ଅଦମ୍ୟ ସାହସକୁ ସମଗ୍ର ଅଂଚଳରେ ପ୍ରଶଂସା କରାଯାଉଛି। ତେବେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦିନକୁ ଦିନ ବଢ଼ୁଥିବାରୁ ନଦୀ ତୁଠକୁ ଯିବା ପାଇଁ ଲୋକେ ଏବେ ଭୟଭୀତ ଅଛନ୍ତି। ପ୍ରଶାସନ ପକ୍ଷରୁ ନଦୀ କୂଳରେ ବାରିକେଡ୍ ନିର୍ମାଣ ଓ ସତର୍କ ସୂଚନା ବୋର୍ଡ ଲଗାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।