

କେନ୍ଦ୍ରାପଡ଼ା (୨୬/୭)-ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଅଧିଷ୍ଠାତ୍ରୀ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ବର ଅନ୍ତିମ ପର୍ଯ୍ୟାୟ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଶ୍ରୀଜୀଉମାନଙ୍କର ରଥ ଉପରେ ଦୁର୍ଲଭ “ରଘୁନାଥ ବେଶ” ଦର୍ଶନ ଏବଂ ପରବର୍ତ୍ତୀ ସମୟରେ ରଥାରୂଢ଼ ବିଗ୍ରହମାନଙ୍କର ଶ୍ରୀମନ୍ଦିରକୁ “ନୀଳାଦ୍ରି ବିଜେ” ନୀତିକାନ୍ତି ଲକ୍ଷାଧିକ ଭକ୍ତଙ୍କ ମନପ୍ରାଣକୁ ଆପ୍ଲୁତ କରିଛି। ତୁଳସୀକ୍ଷେତ୍ରର ଏହି ଅନନ୍ୟ ଆଧ୍ୟାତ୍ମିକ ପରମ୍ପରା ପୁରୀ ଶ୍ରୀକ୍ଷେତ୍ରଠାରୁ କେତେକାଂଶରେ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥିବାରୁ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ରଥ ଉପରେ ଶ୍ରୀବଳଦେବଜୀଉଙ୍କ ଦୁର୍ଲଭ ରଘୁନାଥ ବେଶ
ଗୁଣ୍ଡିଚା ଯାତ୍ରା ଶେଷ ହେବା ପରେ ଏବଂ ବାହୁଡ଼ା ଯାତ୍ରାର ଅବ୍ୟବହିତ ପୂର୍ବରୁ କିମ୍ବା ରଥ ଉପରେ ଶ୍ରୀବଳଦେବଜୀଉ, ପ୍ରଭୁ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କର ଶ୍ରୀରାମଚନ୍ଦ୍ରଙ୍କ ରଘୁନାଥ ଅବତାର ରୂପକୁ ଆଧାର କରି ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ।ଏହି ଦିବ୍ୟ ବେଶରେ ପ୍ରଭୁ ବଳଭଦ୍ର ବା ଶ୍ରୀବଳଦେବଜୀଉ ଶ୍ରୀରାମଚନ୍ଦ୍ରଙ୍କ ରୂପରେ ଏବଂ ପ୍ରଭୁ ଜଗନ୍ନାଥ ଲକ୍ଷ୍ମଣ ରୂପରେ ବିରାଜମାନ ହୋଇଥିଲେ। ଠାକୁରମାନଙ୍କୁ ସୁବର୍ଣ୍ଣ ଓ ବିଭିନ୍ନ ପାରମ୍ପରିକ ଅଳଙ୍କାର, ଧନୁ-ଶର, କିରୀଟ ଏବଂ ପୁଷ୍ପମାଲ୍ୟରେ ସଜ୍ଜିତ କରାଯାଇଥାଏ।
ବୈଷ୍ଣବ ପରମ୍ପରାରେ ଶ୍ରୀକୃଷ୍ଣ, ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଶ୍ରୀବଳଦେବଜୀଉଙ୍କର ଏହି ରଘୁନାଥ ବେଶ ଭକ୍ତମାନଙ୍କୁ ତ୍ରେତୟା ଯୁଗର ଶ୍ରୀରାମ ଅବତାରର ସ୍ମରଣ କରାଇଥିଲା। ରଥ ଉପରେ ଠାକୁରଙ୍କର ଏହି ନୟନପ୍ରିୟ ରୂପ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି।
ସେବାୟତଙ୍କ ନୀତିକାନ୍ତି ଶ୍ରୀଜୀଉମାନଙ୍କର ଭାବପୂର୍ଣ୍ଣ ନୀଳାଦ୍ରି ବିଜେ
ରଘୁନାଥ ବେଶ ଦିନ ସକାଳୁ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତି, ଅବକାଶ, ମୋହନ ଭୋଗ ଓ ଅନ୍ୟାନ୍ୟ ନୀତି ସେବାୟତମାନଙ୍କ ଦ୍ୱାରା ନିଷ୍ଠାର ସହ ସମ୍ପାଦିତ ହୋଇଥିଲା। ଏହା ପରେ ଠାକୁରମାନଙ୍କୁ ରଘୁନାଥ ବେଶରେ ସଜ୍ଜିତ କରାଯାଇଥିଲା।ରଥ ଉପରେ ରାମ-ଲକ୍ଷ୍ମଣ-ସୀତା ରୂପୀ ଦେବତାଙ୍କୁ ଦର୍ଶନ କରିବା ପାଇଁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଚାରିପାଖରେ ଜନସମୁଦ୍ର ସୃଷ୍ଟି ହୋଇଥିଲା। “ଜୟ ଜଗନ୍ନାଥ”, “ଜୟ ବଳଦେବଜୀଉ” ଧ୍ୱନିରେ ଗଗନ ପବନ ମୁଖରିତ ହୋଇଉଠିଥିଲା। ଭକ୍ତମାନେ ହରିବୋଲ, ହୁଳହୁଳି, ଖୋଳ-କରତାଳ ର ଶବ୍ଦ ମଧ୍ୟରେ ପ୍ରଭୁଙ୍କର ଏହି ଦିବ୍ୟ ରୂପକୁ ଆଖିପୂରାଇ ଦେଖିବା ସହ ଜୀବନକୁ ଧନ୍ୟ ମନେକରିଥିଲେ। ଏହାପରେ ରଥ ଉପରେ ଅଧର ପଣା ନୀତି ହୋଇଥିଲା। ଅଧରପଣା ନୀତି ଶେଷ ହେବା ପରେ ରଥ ଉପରେ ବିଭିନ୍ନ ଦିବ୍ୟ ନୀତି ଓ ଦର୍ଶନ ଶେଷ ହେବା ପରେ ଶ୍ରୀଜୀଉମାନଙ୍କର ରଥରୁ ରତ୍ନସିଂହାସନକୁ ଫେରିବାର ନୀତି ନୀଳାଦ୍ରି ବିଜେ ସମ୍ପନ୍ନ ହୋଇଛି। ପାରମ୍ପରିକ ଧାଡ଼ି ପାହଣ୍ଡି କିମ୍ବା ଗୋଟି ପାହଣ୍ଡି ବିଜେ ମାଧ୍ୟମରେ ସେବାୟତମାନେ ବଡ଼ଠାକୁର ଶ୍ରୀବଳଦେବ, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ରଥରୁ ଓ ଷସଗ୍ଦ ।ରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଗର୍ଭଗୃହକୁ ନେଇଥିଲେ। ରତ୍ନସିଂହାସନାରୂଢ଼ ପରେସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ଗୁପ୍ତ ନୀତି ପରେ ଚତୁର୍ଦ୍ଧାମୂର୍ତ୍ତି ପୁନର୍ବାର ସେମାନଙ୍କର ନିଜସ୍ୱ ରତ୍ନସିଂହାସନରେ ବିରାଜମାନ ହୋଇଥିଲେ। ନୀଳାଦ୍ରି ବିଜେର ମୁଖ୍ୟ ଆକର୍ଷଣ ସ୍ୱରୂପ ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ସମର୍ପଣ କରିବାର ପାରମ୍ପରିକ ନୀତି ମଧ୍ୟ ଶ୍ରଦ୍ଧାର ସହ ପାଳିତ ହୋଇଥିଲା।
ସମ୍ବର୍ଦ୍ଧିତ ଉତ୍ସବ
ରଘୁନାଥ ବେଶ ପରେ ରଥ ନିର୍ମାଣରେ ସଂପୃକ୍ତ ଥିବା ମହାରଣା ସେବକ, ଦରଜି ସେବକ, ଭୋଇ ସେବକ, କମାର ସେବକ ଓ ଅନ୍ୟାନ୍ୟ ୧୫୦ରୁ ଊର୍ଦ୍ଧ୍ୱ ସେବକଙ୍କ ମଥାରେ ସିରିପା ବନ୍ଧାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରବିବାର ରଥ ଉପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲବ ନୀତି, ଦ୍ୱିପହର ଧୂପ, ଉଠାଣି ଭୋଗ, ଆଳତୀ ଓ ସନ୍ଧ୍ୟା ଧୂପ ହୋଇଥିଲା। ରାତିରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିରରେ ପ୍ରବେଶ କରିବା ପରେ ରାତ୍ର ଧୂପ ଓ ପରେ ବଡ଼ ସିଂହାର ବେଶ ହୋଇ ପହଡ଼ ପଡିଥିଲା।
ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମ ବେଦୀରେ ଲୀଳା ସାରିବା ପରେ ରତ୍ନବେଦୀକୁ ଫେରିଛନ୍ତି। ରତ୍ନବେଦୀକୁ ଫେରିବା ପୂର୍ବରୁ ଶ୍ରୀଜୀଉମାନଙ୍କୁ ରବିବାର ରଥ ଉପରେ ରଘୁନାଥ ବେଶ କରାଯାଇଥିଲା। ରୂପା ଖଚିତ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପିନ୍ଧା ଯାଇଥିଲା। ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରଟି, ଧନୁ, ତୀର, ହାର ଇତ୍ୟାଦି ରୂପାରେ ନିର୍ମିତ ହୋଇଥିଲା। ଏହି ରୂପା ଅଳଙ୍କାରକୁ ଶ୍ରୀଜୀଉମାନଙ୍କୁ ପିନ୍ଧା ଯାଇଥିଲା। ଫଳରେ ଚତୁର୍ଦ୍ଧାଭୂର୍ତ୍ତି ଏହି ବେଶରେ ବେଶ ଝଟକିଥିଲେ। ଏହି ସ୍ୱତନ୍ତ୍ର ଓ ମନଲୋଭା ବେଶ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ କୋଣ ଅନୁକୋଣ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲେ। ଏହି ବେଶ ସାଢେ ୬ଟା ପର୍ଯ୍ୟନ୍ତ ରହିଥିଲା। ସନ୍ଧ୍ୟା ସାଢେ ୬ଟା ପରେ ବେଶ ଓଲାଗି ହୋଇଥିଲା। ପୁରୀ ସୁନା ବେଶରେ ଯେଉଁ ସବୁ ଅଳଙ୍କାର ବ୍ୟବହାର କରାଯାଏ ଠିକ ଅନୁରୂପ ଭାବେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ହୋଇଥିବା ରଘୁନାଥ ବେଶରେ ରୂପାରେ ତିଆରି ଅଳଙ୍କାରରେ ଠାକୁରମାନଙ୍କୁ ସଜିତ କରାଯାଇଥିଲା।

Leave a Reply