ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୦ୱାର୍ଡସଭ୍ୟ/ସଭ୍ୟାଙ୍କ ସ୍ୱାକ୍ଷର ମେଳ କଲେ ଉପଜିଲ୍ଲାପାଳ


 

କେନ୍ଦ୍ରାପଡ଼ା,୨୮ା୭:କେନ୍ଦ୍ରାପଡା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସୋମବାର ତାହାର ଦସ୍ତଖତ ମେଳକ କରାଯାଇଛି। ତିଖିରୀ ଗ୍ରାମପଞ୍ଚାୟତର ୨୦ଜଣ ୱାର୍ଡ ସଭ୍ୟ ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ପୂର୍ବରୁ ଯେଉଁ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ଦରଖାସ୍ତ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ସେହି ଦସ୍ତଖତ ସେମାନଙ୍କର କି ନୁହେଁ ତାହାକୁ ଉପଜିଲ୍ଲାପାଳ ଯାଞ୍ଚ କରିଥିଲେ। ଦସ୍ତଖତଗୁଡିକ ମେଳ ହୋଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ଥାଉକି ଚାମେଲି ବିଜେପି ସମର୍ଥନରେ ୨୦୨୨ ମସିହାରେ ତିଖିରୀ ଗ୍ରାମ ପଞ୍ଚାୟତରୁ ସରପଞ୍ଚ ପଦରେ ବିଜୟୀ ହୋଇଥିଲେ। ହେଲେ ଏକ ମାସ ପୂର୍ବରୁ ମହାକାଳପଡ଼ା ବ୍ଲକରେ ଚାମେଲୀକୁ ନେଇ ଅପ୍ରୀତିକର ଘଟଣା ଘଟିଲା। ଏହି ଘଟଣା କିଛିଦିନ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଥିଲା। କିନ୍ତୁ ଘଟଣଟି ଶିଥିଳ ପଡି ଯାଇଥିଲା। ପୁନର୍ବାର ଚାମେଲୀ ଏହି ଘଟଣାକୁ ନେଇ ରାଜଧାନୀରେ ଆନ୍ଦୋଳନ କଲେ। ସେ ମହାକାଳପଡ଼ାର ତତ୍‌କାଳୀନ ବିଡିଓ ଓ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେ। କିନ୍ତୁ ତାଙ୍କ ଦାବି ଶୁଣାଗଲା ନାହିଁ। କାରଣ ସେ ଯେଉଁ ଦାବି କରୁôଥଲେ ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି ତାଙ୍କ ବିରୋଧୀମାନେ କହିଥିଲେ। ତାଙ୍କ ଦାବି ସରକାର ନ ଶୁଣିବାରୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ପଞ୍ଚାୟତର ବିକାଶ କାର୍ଯ୍ୟରେ ମନୋନିବେଶ ନ କରି ରାଜଧାନୀରେ ରହି ରାଜନୀତି କରିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ ହେଲୁ ବୋଲି ୱାର୍ଡସଭ୍ୟମାନେ କହିଛନ୍ତି। ସୂଚନା ଥାଉକି ଗତ ୨୩ ତାରିଖରେ ଚାମେଲୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା। ଉପଜିଲ୍ଲାପାଳ ଦସ୍ତଖତ ମେଳ ପାଇଁ ସୋମବାର ଦିନ ଧ୍ୟାର୍ଯ୍ୟ କରିଥିଲେ। ଉପଜିଲ୍ଲାପାଳ କହିଛନ୍ତି ୨୨ ୱାର୍ଡ ବିଶିଷ୍ଟ ତିଖିରୀ ପଞ୍ଚାୟତର ୨୧ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିଲେ। ୨୦ ଜଣ ସଭ୍ୟ ଆସିଥିବା ବେଳେ ସେମାନଙ୍କ ଦସ୍ତଖତ ମେଳ ଖାଇଛି। ଜଣେ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କର ଦସ୍ତଖତ ମେଳକ କରାଯାଇ ପରବର୍ତ୍ତୀ ପନ୍ଥା ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।


Be the first to comment

Leave a Reply

Your email address will not be published.