ବିପତ୍ତି ବେଳେ ପ୍ରଚାରର ରାଜନୀତି , ପରିଦର୍ଶନ ଏବେ ଫଟୋ ଉଠାରେ ସୀମିତ



ଭୁବନେଶ୍ୱର ୩୧/୭ – ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଆକସ୍ମିକ ଦୁର୍ଘଟଣା, ଦୁର୍ଦ୍ଦିନ ସମୟରେ ବିପନ୍ନଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇବା ଜଣେ ନେତା ଓ ଅଧିକାରୀଙ୍କ ନୈତିକ କର୍ତ୍ତବ୍ୟ। ମାତ୍ର ଆଜିକାଲି ଦୁଃଖୀ-ରଙ୍କିଙ୍କ ସେବା କରିବା ପରିବର୍ତ୍ତେ ଏହା ଏକ ‘ପବ୍ଲିସିଟି ସ୍ଟଂଟ’ ବା ପ୍ରଚାରର ମାଧ୍ୟମ ପାଲଟିଯାଇଛି। ବାତ୍ୟା, ବନ୍ୟା କିମ୍ବା ଅନ୍ୟ କୌଣସି ଆପଦସମୟରେ ପ୍ରଭାବିତ ଅଞ୍ଚଳରେ ନେତା ଓ ସରକାରୀ ଅଧିକାରୀଙ୍କ ପରିଦର୍ଶନ ଏବେ କେବଳ ଫଟୋ ଉଠାଇବା ମଧ୍ୟରେ ସୀମିତ ରହିଯାଉଛି। ପ୍ରକୃତ ପୀଡ଼ିତଙ୍କ ପାଖରେ ରିଲିଫ୍ ଓ ସହାୟତା ପହଞ୍ଚୁ କି ନପହଞ୍ଚୁ, ସୋସିଆଲ ମିଡିଆ ସ୍ଥାନ ପାଇବା ପାଇଁ ଏକ ଅସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି। ସେବା ନାଁରେ ଚାଲିଥିବା ଏହି ଦେଖାଣିଆ ସାହାଯ୍ୟର ମୁଖା ଏବେ ସାଧାରଣ ଜନତାଙ୍କ ଆଗରେ ଖୋଲିବାରେ ଲାଗିଛି।
ରାଜ୍ୟର ଉପକୂଳ ଜିଲା କେନ୍ଦ୍ରାପଡାରେ ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ନୂଆ କଥା ନୁହେଁ। ଓଡିଶାରେ ପ୍ରତିବର୍ଷ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ହଜାର ହଜାର ଲୋକ ବାସଗୃହ ଓ ଜୀବିକା ହରାଇ ଦୁର୍ଦ୍ଦିନ ମଧ୍ୟରେ ଦିନ କାଟନ୍ତି। ବିପର୍ଯ୍ୟୟ ସମୟରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ତୁରନ୍ତ ସହାୟତା ଏବଂ ପ୍ରଶମନ କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମାତ୍ର ବାସ୍ତବ ଚିତ୍ର ଏବେ ସମ୍ପୂର୍ଣ୍ଣ ଭିନ୍ନ। ଜଳବନ୍ଦୀ ଅଞ୍ଚଳ ହେଉ କିମ୍ବା ଭଙ୍ଗା ଘର ଆଗରେ, ପୀଡ଼ିତଙ୍କ ହାତରେ ମୁଠାଏ ଚୁଡ଼ା, ଚିନି କିମ୍ବା ଗୋଟିଏ ତ୍ରିପାଲ୍ ଟେକିଦେବା ସମୟରେ ନେତା ଓ ଅଧିକାରୀଙ୍କ ଚାରିପାଖରେ କ୍ୟାମେରାର ଭିଡ଼ ଜମିଯାଏ। ଦୁଃଖର ବିଷୟ, ସାହାଯ୍ୟର ପରିମାଣ ଯେତିକି ନୁହେଁ, ତାହାକୁ ନେଇ କରାଯାଉଥିବା ଆଡ଼ମ୍ବର ଓ ପ୍ରଚାର ଅନେକ ଗୁଣା ଅଧିକ। ପ୍ରଭାବିତ ଲୋକଙ୍କ ଆଖିର ଲୁହ, ପେଟର ଭୋକ ଏବଂ ଅସହାୟତାଠାରୁ କ୍ୟାମେରା ଆଗରେ ଦିଆଯାଉଥିବା ‘ପୋଜ୍‌’ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଛି। ଅନେକ ସମୟରେ ଦେଖାଯାଏ ଯେ ବିପର୍ଯ୍ୟୟ ବେଳେ ପ୍ରଭାବିତ ଅଞ୍ଚଳକୁ ନେତା-ମନ୍ତ୍ରୀମାନେ ହେଲିକପ୍ଟରରେ ଆକାଶମାର୍ଗରୁ ପରିଦର୍ଶନ କରିବା ଏବେ ସରକାରୀ ଆଡ଼ମ୍ବର ଓ ଦାୟିତ୍ୱହୀନତାର ଚରମ ନମୁନା ପାଲଟିଛି। ଛାତିଏ ପାଣିରେ ବୁଡ଼ି ରହିଥିବା ଜନତାଙ୍କ ଦୁଃଖକୁ ଆକାଶରୁ ଦେଖି ଅନୁଧ୍ୟାନ କରିବାର ଏହି ‘ଭିଆଇପି ସଂସ୍କୃତି’ ପ୍ରଶାସନର ସମ୍ବେଦନହୀନତାକୁ ପଦାରେ ପକାଉଛି। ଲକ୍ଷ ଲକ୍ଷ ଟଙ୍କାର ସରକାରୀ ତହସିଲ୍‌ରୁ ହେଲିକପ୍ଟର ତେଲ ପୋଡ଼ି ସମୀକ୍ଷା କରିବାର ନାଟକ କରାଯାଏ, ମାତ୍ର ଭୂମିରେ ପୀଡ଼ିତଙ୍କ ପାଖରେ ମୁଠାଏ ଶୁଖିଲା ଭୋଗ କିମ୍ବା ପାନୀୟ ଜଳ ପହଞ୍ଚିପାରେ ନାହିଁ। ଆକାଶରୁ ଫଟୋ ଉଠାଇ ପ୍ରଚାର ସାଉଣ୍ଟିବା ଅପେକ୍ଷା କାଦୁଅ-ପାଣିରେ ପଶି ଜନତାଙ୍କ ପ୍ରକୃତ ଯନ୍ତ୍ରଣା ବୁଝିବାକୁ ଏହି ଆସନମୋହୀ ପ୍ରଶାସନ ପାଖରେ ସାହସ ଓ ଆନ୍ତରିକତାର ଘୋର ଅଭାବ ରହିଛି।
ଏହି କ୍ୟାମେରାସର୍ବସ୍ୱ ସେବା କେବଳ ନେତାଙ୍କ ମଧ୍ୟରେ ସୀମିତ ନାହିଁ । ଏହି ଦୌଡ଼ରେ ସରକାରୀ ଅଧିକାରୀମାନେ ମଧ୍ୟ ପଛରେ ନାହାନ୍ତି। ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବା ପରିବର୍ତ୍ତେ ନିଜର ପ୍ରଚାର ପାଇଁ ଅଧିକାରୀମାନେ ନିଜସ୍ୱ କ୍ୟାମେରାମ୍ୟାନ୍ ଓ ପାବ୍ଲିକ୍ ରିଲେସନ୍ସ ଟିମ୍ ଧରି ଘଟଣାସ୍ଥଳରେ ପହଞ୍ଚୁଛନ୍ତି। ଉଦ୍ଧାର କାର୍ଯ୍ୟ କିମ୍ବା ରିଲିଫ୍ ବଣ୍ଟନ ଅପେକ୍ଷା କେଉଁ କୋଣରୁ ସୁନ୍ଦର ଫଟୋ ଆସିପାରିବ, ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ସୋସିଆଲ ମିଡିଆରେ “ସେବା”ର ଫଟୋ ପୋଷ୍ଟ କରି ନିଜର ଭାବମୂର୍ତ୍ତି ସୁଧାରିବା ଏବଂ ଉପରସ୍ଥ ଅଧିକାରୀ କିମ୍ବା ରାଜନୈତିକ ଆକାଶର ମାଲିକଙ୍କୁ ପ୍ରସନ୍ନ କରିବା ଏହି ସବୁ ନାଟକ ପଛର ମୂଳ ଉଦ୍ଦେଶ୍ୟ ପାଲଟିଛି।ଏହିପରି ମନୋବୃତ୍ତି ଯୋଗୁଁ ପ୍ରକୃତ ସହାୟତାରୁ ବଞ୍ଚିତ ହେଉଛନ୍ତି ଗରୀବ ଓ ନିରୀହ ଜନତା। ରିଲିଫ୍ ବଣ୍ଟନ ପ୍ରକ୍ରିୟାରେ ସଚ୍ଚୋଟତା ଓ ସମ୍ବେଦନଶୀଳତାର ଅଭାବ ସ୍ପଷ୍ଟ ବାରି ହୋଇପଡୁଛି। ଅସଲି ପ୍ରଶାସନ ଓ ସେବାର ମୂଲ୍ୟବୋଧ ହେଉଛ”ଗୁପ୍ତ ଦାନ ଓ ପ୍ରତ୍ୟକ୍ଷ ସେବା”। ମାତ୍ର ଆଜିର ସମୟରେ ଏହା ସମ୍ପୂର୍ଣ୍ଣ ଓଲଟି ଯାଇ “ପ୍ରତ୍ୟକ୍ଷ ପ୍ରଚାର ଓ ଶୂନ୍ୟ ସେବା”ରେ ପରିଣତ ହୋଇଛି। ଲୋକପ୍ରତିନିଧି ଓ ଅଧିକାରୀମାନେ ମନେରଖିବା ଉଚିତ୍ ଯେ, ଦୁର୍ବିପାକ ସମୟରେ ବିପନ୍ନଙ୍କ ଅସହାୟତାକୁ ନିଜର ପ୍ରଚାରର ମାଧ୍ୟମ କରିବା ଏକ ନୈତିକ ଅପରାଧ। ପ୍ରଚାରପ୍ରସାରର ଏହି ମାୟାଜାଲକୁ ଲୋକେ ବୁଝିସାରିଲେଣି। କ୍ୟାମେରା ଆଗରେ ମିଥ୍ୟା ସହାନୁଭୂତି ଦେଖାଇବା ପରିବର୍ତ୍ତେ, ଯଦି ସଚ୍ଚୋଟତାର ସହ କ୍ଷତିପୂରଣ ଓ ଥଇଥାନ କାର୍ଯ୍ୟ କରାଯାଆନ୍ତା, ତେବେ ତାହା ସେମାନଙ୍କ କାର୍ଯ୍ୟକୁ ଆପେ ଆପେ ପ୍ରଶଂସନୀୟ କରିପାରନ୍ତା। ପ୍ରଚାରର କ୍ୟାମେରା ବନ୍ଦ ହୋଇ ସେବାର ଆନ୍ତରିକତା ପ୍ରକାଶ ପାଇଲେ ହିଁ ସସୀମ ବିପତ୍ତିର ସଠିକ୍ ସମାଧାନ ହୋଇପାରିବ ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ବୃଦ୍ଧିଜିବୀ ମାନେ ମତ ପ୍ରକାଶ କାରିଛନ୍ତି ।


Be the first to comment

Leave a Reply

Your email address will not be published.