୭୨ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ


  • ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
  • ୧୫ ଦିନର ରିଲିଫ ଯୋଗାଇବା ନେଇ ବିକାଶପରିଷଦର ଦାବୀ


ପଟ୍ଟାମୁଣ୍ଡାଇ ୨୪/୮ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ବନ୍ୟା ସମୟ ଥିବାରୁ ଧୋୟାଂଚଳ ଲୋକମାନେ ଅନୁପସ୍ଥିତି ଥିବାବେଳେ ମୁଖ୍ୟତଃ ଗୋଖାଦ୍ୟ ପାନୀୟଜଳ ଗୋଶାଳା ନିର୍ମାଣ ଓଏସଆଇଆର ଉପରେ ଫୋକସ କରାଯାଇ ଅଭିଯୋଗ ଆଗତ ହୋଇଥିଲା । ମୋଟ ୮୬ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୭୨ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୂହିକ ଅଭିଯୋଗ ଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୨୦ଟି ମାମଲାର ସ୍ଥଳରେ ତୁରନ୍ତ ସମାଧାନ କରାଯାଇଥିଲା। ସେହିପରି ୪ଜଣଙ୍କୁ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୧୬ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଏବଂ ପ୍ରଭାବଶାଳୀ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ତୁରନ୍ତ ପ୍ରେରଣ କରାଯାଇଛି।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଏହି ଅଭିଯୋଗ ଶୁଣାଣିରେ ଜିଲାପାଳ ଆର ଆୟାର, ଅତିରିକ୍ତ ଏସପି ସୁଧାକର ସାହୁ ଜିଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଶୀତଲ ଅଗ୍ରୱାଲ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣି ଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ୟାଂଚଳରେ ୭ଦିନ ରିଲିଫ ୧୫ଦିନ ଗୋଖାଦ୍ୟ ଓ ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଇ ଦେବାକୁ ଜିଲାପାଳଙ୍କ ନିକଟରେ ଦାବୀ କରିଥିଲେ । ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଦୁର୍ଗମ ସିଂହଗାଁ ପଂଚାୟତକୁ ଆବଶ୍ୟକ ଡ଼ଙ୍ଗା ରିଲିଫ ଗୋଖାଦ୍ୟ ପାଲ ପାନୀୟଜଳ ଓ ଔଷଧ ଯୋଗାଇବା ପାଇଁ ଦାବୀ କରିଥିଲେ । ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ ପେଣ୍ଠପାଳ ପଂଚାୟତର ବିପନ୍ନ ଲୋକମାନଙ୍କୁ ପାନୀୟଜଳ ଓ ଗୋଖାଦ୍ୟ ଯୋଗାଇ ଦେବାକୁ ଦାବୀ କରିଥିଲେ । ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା ପାଣି ଘେରରେ ଥିବା ୧୫୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସମସ୍ତ ସରକାରୀ ସୁବିଧା ଯୋଗାଇବା, ପଂଚାୟତକୁ ଆସୁଥିବା ସରକାରୀ ଅନୁଦାନର ସଦବିନିଯୋଗ କରି ସମସ୍ତ ୱାର୍ଡ ବିକାଶ ପାଇଁ ଖର୍ଚ୍ଚ କରିବା ଦିଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଜିଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ ଏସ ଆଇ ଆର ନାଁରେ କଟା ଯାଇଥିବା ଯୋଗ୍ୟ ଭୋଟର ତାଲିକାଭୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଶାସନ ସରପଂଚ ସଂଗ୍ରାମ ବାରିକ ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ନୂତନ ଟ୍ରାନସଫର୍ମର ସ୍ଥାପନ ପାଇଁ ଦାବୀ କରିଥିଲେ । ପୂର୍ବତନ ସରପଂଚ ପ୍ରଭାତ ପ୍ରଧାନଙ୍କ ସମେତ ଅନେକ ଯୋଗ୍ୟ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ପାଇଁ ହୋଇଥିବା ଚକ୍ରାନ୍ତ ସମ୍ପର୍କରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ମୋଟାମୋଟି ଭାବେ ଗୋଖାଦ୍ୟ ଗୋଶାଳା ପାନୀୟଜଳ ଯୋଗାଣ ଉପରେ ଜନଶୁଣାଣୀ ଶିବିରରେ ଫୋକସ କରାଯାଇଥିଲା । ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

ବନ୍ୟା ବିପନ୍ନଙ୍କୁ ୧୫ ଦିନର ରିଲିଫ ଯୋଗାଇବା ନେଇ ବିକାଶପରିଷଦର ଅଭିଯୋଗ


ପଟ୍ଟାମୁଣ୍ଡାଇ ଧୋୟାଂଚଳର ନୀଳକଣ୍ଠପୁର ବାଛରା ବାଲିପାଟଣା ପଂଚାୟତ ଓ ପୌରାଂଚଳର ବନ୍ୟାବିପନ୍ନ ୧୧ଟି ୱାର୍ଡକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଘେରିବନ୍ଧ ନିର୍ମାଣ,ବନ୍ୟାବିପନ୍ନ ରନ୍ଧା ଖାଦ୍ୟ ପାଲ ଗୋ ଖାଦ୍ୟ ପାନୀୟଜଳ ଓ ୧୫ଦିନ ରିଲିଫ ଯୋଗାଇବା, ବର୍ଷା ବନ୍ୟା କ୍ଷତିଗସ୍ତ ରାସ୍ତାଘାଟ ମରାମତି ସହ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବା, ପୌରପରିଷଦର ତଳିଆ ଅଂଚଳରେ ଥିବା ସମସ୍ତ ବସ୍ତି ବାସିନ୍ଦା ଲୋକମାନଙ୍କୁ ରିଲିଫ ଯୋଗାଇବା ଓ ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହିତ ପଟ୍ଟାମୁଣ୍ଡାଇ ପୌରାଂଚଳରେ ହେଉଥିବା ଘନ ଘନ ଚୋରୀ ରୋକିବା ପାଇଁ କଡା ପୋଲିସ ପାଟ୍ରୋଲିଙ୍ଗ ବ୍ୟବସ୍ଥା ଓ ଦୁର୍ଘଟଣା ରୋକିବା ପାଇଁ ବାଇପାସ ବିଜୁ ପଟ୍ଟନାୟକ ଛକରେ ପୋଲିସ ମୁତୟନ କରିବା ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ଦାବୀପତ୍ର ପ୍ରଦାନ କରିଥିଲେ ।

ଗୋ ଶାଳା ନିର୍ମାଣ ପାଇଁ ଦାବୀପତ୍ର


ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ସ୍ଥାୟୀ ଗୋଶାଳା ନିର୍ମାଣ ପାଇଁ ଖଣତା ସରପଂଚ ଅନିଲ ଲେଙ୍କା ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ରାସ୍ତାଘାଟରେ ବୁଲୁଥିବା ବୁଲା ଗୋରୁଙ୍କ ସୁରକ୍ଷା, ଆହତ ଗୋସମ୍ପଦଙ୍କ ଚିକିତ୍ସା ଏବଂ ସହରରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଗୋଶାଳାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି।ଜିଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଜମି ଚିହ୍ନଟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଶୀଘ୍ର ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପାଟ ନାଳୀ ଅବରୋଧ ଜଳ ନିଷ୍କାସନରେ ସମସ୍ୟା ଚାଷକାର୍ଯ୍ୟ ବାଧା


ଚନ୍ଦନନଗର- ଓଉପଦା ପାଟ ନାଳୀ ଉପରେ ପୋଲ ନିର୍ମାଣ ପାଇଁ ଅସ୍ଥାୟୀ ଭାବେ ବନ୍ଧା ଯାଇଥିବା ବନ୍ଧକୁ କାର୍ଯ୍ୟ ସମାପ୍ତି ପରେ ମଧ୍ୟ ଠିକାଦାର ଖୋଳି ନଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଏହା ଫଳରେ ନାଳୀରେ ପାଣି ଜମି ରହୁଥିବା ସହ ଆଖପାଖ ଅଂଚଳରେ ଜଳାବଦ୍ଧତା ସମସ୍ୟା ଦେଖାଦେଇଛି। ସେହିପରି ଅନେକ ସ୍ଥାନରେ ନାଳୀ ଅବରୋଧ ହୋଇଥିବାରୁ ପାଣି ଜମିରେ ଅଟକି ରହୁଛି। ଫଳରେ ଚାଷ ଜମିରୁ ଜଳ ନିଷ୍କାସନ ହେଉନଥିବାରୁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶୀଘ୍ର ନାଳୀ ସଫେଇ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ପାଇଁ ଚନ୍ଦନ ନଗର ପଂଚାୟତର ବାସୀ ସମାଜିକକର୍ମି ଇଶ୍ୱର ମଲିକ, ରାଜେନ୍ଦ୍ର ମଲିକ ଗୋବିନ୍ଦ ମଲିକଙ୍କ ସମେତ ଚାଷୀମାନେ ଜନଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରି ବନ୍ଧ ଓ ଅବରୋଧ ହଟାଇବାକୁ ଅଂଚଳବାସୀ ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.