ଶ୍ରୀବଳଦେବଜୀୟୁ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ବୈଠକ



କେନ୍ଦ୍ରାପଡ଼ା,୨୦ା୯: ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡ ବୈଠକ ମନ୍ଦିର ଯାତ୍ରୀ ନିବାସ ସଭା ଗୃହରେ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀଜୀୟୁଙ୍କ ବିଭିନ୍ନ ତହସିଲ ଓ ଅନ୍ୟାନ୍ୟ ଅଞ୍ଚଳରେ ଥିବା ବିଭିନ୍ନ କିଷମର ଜମିଜମା ଓ ରାଜସ୍ୱ ଆଦାୟର ସଂପୂର୍ଣ୍ଣ ବିବରଣୀକୁ ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ବୈଠକରେ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପୂର୍ବରୁ ଅତିରିକ୍ତ ଦେବୋତ୍ତର କମିଶନର ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ବେଆଇନ ଭାବେ ବହୁ ମାର୍ଫତଦାର ଜମିକୁ ବେଆଇନ ଦଖଲରେ ଥିବା ବ୍ୟକ୍ତିଙ୍କୁ ଖତିଆନରୁ ଉଚ୍ଛେଦ କରିବା ପାଇଁ ସଂପୃକ୍ତ ତହସିଲଦାର ମାନଙ୍କୁ ଚିଠି ଦ୍ୱାରା ଜଣାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଏସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାପାଳଙ୍କ ସହଯୋଗରେ ଉଚିତ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରାଯିବାକୁ ସ୍ଥିର କରାଯାଇଥିଲା । କେତେକ ଜମିରେ ବେଆଇନ ଦଖଲକାରୀଙ୍କ ବିରୋଧରେ ଜବରଦଖଲ ଉଚ୍ଛେଦ ନିମନ୍ତେ ରାଜ୍ୟ ଦେବୋତ୍ତର କମିଶନରଙ୍କ ଅଦାଲତରେ ଥିବା କେଶ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। କେତେକ ବେଆଇନ ଭାବେ ଦଖଲରେ ଥିବା ଜମିର ଉଦ୍ଧାର ନିମନ୍ତେ ଦେବୋତ୍ତର ଆଇନ୍ ଅନୁଯାୟୀ ରାଜ୍ୟ ଦେବୋତ୍ତର କମିଶନରଙ୍କ ଅଦାଲତରେ କେଶ୍ ଦାଏର କରାଯିବାକୁ ସ୍ଥିର କରାଯାଇଛି । ପୂର୍ବରୁ ଗରଦପୁର ତହସିଲ ଅନ୍ତର୍ଗତ ଗୋବିନ୍ଦପୁର ମୈାଜାରେ ଥିବା ଜମିରେ ବେଆଇନ ଭାବେ ନିର୍ମାଣ କରିଥିବା କଲ୍ୟାଣ ମଣ୍ଡପକୁ ଦଖଲ ଉଚ୍ଛେଦ ନିମନ୍ତେ ଦେବୋତ୍ତର କମିଶନର କୋର୍ଟରେ ବିଚାରଧୀନ ଅଛି ଏବଂ ଏହି କଲ୍ୟାଣ ମଣ୍ଡପକୁ ଟ୍ରଷ୍ଟ ବୋର୍ଡ କିମ୍ବା ଦେବୋତ୍ତର କମିଶନରଙ୍କ ବିନା ଅନୁମତିରେ ବିଦ୍ୟୁତ ଲାଇନ୍ ସଂଯୋଗ ନଦେବାକୁ ମାର୍ଶାଘାଇ ବିଦ୍ୟୁତ ବିଭାଗକୁ ଓଡିଶା ହାଇକୋର୍ଟ ଏକ ମକଦ୍ଦମାରେ ଆଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଲାଇନ ସଂଯୋଗ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥିର କରାଯାଇଛି । ଶ୍ରୀଜୀୟୁଙ୍କ ସିକିମ୍ ସତ୍ତ୍ୱ ଜମିରେ ଘରବାରି ଥିବା ସିକିମ୍ ପ୍ରଜା ଖର୍ଦ୍ଦି କରିବାକୁ ଯଦି ଚାହିଁବେ ତାହାକୁ ଆଇନଗତ ଭାବେ ଉଚିତ୍ ମୂଲ୍ୟ ଦେଇ ନେବାପାଇଁ ଆଲୋଚନା କରାଯାଇଥିଲା । ଶ୍ରୀଜୀୟୁଙ୍କ ମନ୍ଦିରରେ ଥିବା ହୁଣ୍ଡି ବାକ୍ସକୁ ପ୍ରତି ମାସର ପ୍ରଥମ ସପ୍ତାହରେ ଖୋଲାଯାଇ ଗଣତି କରିବାକୁ ସ୍ଥିର କରାଯାଇଛି । ଶ୍ରୀଜୀୟୁଙ୍କ ଦୈନନ୍ଦିନ ଶୃଙ୍ଖଳିତ ବଡସିଂହାର ଦର୍ଶନ ନିମନ୍ତେ ଆବଶ୍ୟକ ପଦକ୍ଷେପ ପାଇଁ ସ୍ଥିର କରାଯାଇଛି । ସେହିପରି ମନ୍ଦିର ମଧ୍ୟରେ କ୍ୟାମେରା ଓ ମୋବାଇଲ ଫୋନରେ ଫଟୋ ଉଠାଇବା ଉପରେ ନିଷେଦ୍ଧ କରାଯାଇଛି । ଶ୍ରୀଜୀୟୁଙ୍କ ରଥ ଖୋଲାଯିବା ପରେ ରଥକାଠ ଗୁଡିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଏକ ପକ୍କା କୋଠାଗୋଦାମ ଘର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମନ୍ଦିରର କେତେକ ନୀତି କାନ୍ତିର ସେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଟ୍ରଷ୍ଟ ବୋର୍ଡ ସଭ୍ୟ ହୃଷୀକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ଧିରେନ କୁମାର ସାହୁ ଓ ଗୋପାଳ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ମନ୍ଦିରର ସୁପରଭାଇଜର ଟୁକୁ ପତ୍ରୀ, ରାଜସ୍ୱ ନିରୀକ୍ଷକ ଶ୍ରୀଧର ବେହେରା, ଭକ୍ତ ପଣ୍ଡା, ମନୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


Be the first to comment

Leave a Reply

Your email address will not be published.