ପୋଖରୀରେ ବୁଡ଼ି ୧୧ ବର୍ଷର ନାବାଳକ ଛାତ୍ରଙ୍କ ମୃତ୍ୟୁ



ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପେଣ୍ଠପାଳ ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ୧୧ ବର୍ଷୀୟ ନାବାଳକ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଉଛନ୍ତି ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ୧୧ ବର୍ଷର ପୁଅ ପ୍ରକାଶ ବିଶ୍ୱାଳ ବୋଲି ଜଣାପଡିଛି। ପ୍ରକାଶ ପେଣ୍ଠପାଳ ପ୍ରୋଜେକ୍ଟ ସ୍କୁଲରେ ପଂଚମ ଶ୍ରେଣୀରେ ପଢ଼ୁଥିଲେ। ବୁଧବାର କୌଣସି କାରଣବଶତଃ ସେ ସ୍କୁଲ ଯାଇ ନଥିଲେ। ମଧ୍ୟାହ୍ନ ସମୟରେ ସେ ଗ୍ରାମର ଶିଳପଡିଆ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ତେବେ ଶୌଚ ହେବା ସମୟରେ ଅସାବଧାନତା ବଶତଃ ସେ ପୋଖରୀର ଗଭୀର ପାଣି ଭିତରକୁ ଖସି ପଡ଼ି ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ପ୍ରକାଶ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହରେ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ଦମକଳ ବାହିନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପାଣିରୁ ଉଦ୍ଧାର କରାଯାଇ ତୁରନ୍ତ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ବର୍ଗଙ୍କ କାନ୍ଦବୋବୋଳିରେ ଗ୍ରାମର ପରିବେଶ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପଟ୍ଟାମୁଣ୍ଡାଇ ଥାନା ପୋଲିସ ମୃତଦେହକୁ ଜବତ କରି ଆବଶ୍ୟକୀୟ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Be the first to comment

Leave a Reply

Your email address will not be published.