ବସ ଦୁର୍ଘଟଣାର ସୁଯୋଗ ନେଇ ଚୋରି: ୭ଟି ଭିଭୋ ମୋବାଇଲ ଉଦ୍ଧାର, ହେଲପର ଗିରଫ



ପଟ୍ଟାମୁଣ୍ଡାଇ ୨୭/୯ – ବସ ଦୁର୍ଘଟଣାର ସୁଯୋଗ ନେଇ ମୋବାଇଲ ଚୋରି ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଚୋରି ହୋଇଥିବା ୭ଟି ଦାମୀ ଭିଭୋ ମୋବାଇଲ ଫୋନ୍ ଉଦ୍ଧାର କରିବା ସହ ଅଭିଯୁକ୍ତ ହେଲପରକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ରାଜନଗର ଥାନା ଅନ୍ତର୍ଗତ ଦାରୁଓରା ଗ୍ରାମର ନିରଞ୍ଜନ ସେଠୀଙ୍କ ୨୨ ବର୍ଷୀୟ ପୁଅ ବିଚିତ୍ର ସେଠୀ ବୋଲି ଗ୍ରମାଂଚଳ ପୋଲିସ ସୁଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୯ ତାରିଖ ଅପରାହ୍ନରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ପ୍ରୀତମ କୁମାର ସାହୁ ତାଳଚୁଆ ପଠାଇବା ପାଇଁ ୧୦ଟି ନୂଆ ଭିଭୋ ମୋବାଇଲ ଗୌରୀଶଙ୍କର ନାମକ ବସ ନଂ-ଓଡି ୨୯ ଏଫ-୬୯୬୬ର ଡ୍ରାଇଭରଙ୍କୁ ହସ୍ତାନ୍ତର କରିଥିଲେ। ତେବେ ସେହିଦିନ ଅପରାହ୍ନ ପ୍ରାୟ ୩ଟାରେ କଖାରୁଣି ଠିକିରୀ ପୋଲ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ମୋବାଇଲଗୁଡ଼ିକ ଗାଏବ ହୋଇଯାଇଥିବା ନେଇ ବସ କର୍ମଚାରୀ ସୂଚନା ଦେବା ପରେ ପ୍ରୀତମ ସେପ୍ଟେମ୍ବରର ୧୦ରେ ଗ୍ରାମାଂଚଳ ଥାନାରେ ଅଭିଯୋଗ ଦେଇ ସ୍ୱୟଂଚାଳିତ ଆଇଏମଇଆଇ ଟ୍ରାକିଂ ମାଧ୍ୟମରେ ନଜର ରଖିଥିଲେ। ତେବେ ସେପ୍ଟେମ୍ବରର ୨୪ରେ ଚୋରି ହୋଇଥିବା ଗୋଟିଏ ମୋବାଇଲରେ ନୂଆ ସିମ୍ କାର୍ଡ ପକାଯିବାରୁ ଆଲର୍ଟ ମିଳିଥିଲା। ଏହା ପରେ ପ୍ରୀତମ ବସ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଗାଳିଗୁଲଜ ଓ ଧମକ ଦେଇଥିଲେ। ପରେ ସେ ଗ୍ରମାଂଚଲ ଥାନାରେ ଜଣାଇବାରୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ମାମଲା କେସ ନଂ- ୪୪୮/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବସ କଣ୍ଡକ୍ଟର ରତିକାନ୍ତ ସେଠୀଙ୍କ ବୟାନ ନିଆଯାଇଥିଲା । ଦୁର୍ଘଟଣା ଦିନ ବିଚିତ୍ର ସେଠୀ ବସରେ ହେଲପର ଭାବେ କାମ କରୁଥିଲେ । ମାତ୍ର ଦୁର୍ଘଟଣା ପରେ ଏକ ବ୍ୟାଗ ନେଇ ସେ ଫେରାର ହୋଇଯାଇଥିଲେ ବୋଲି ବୟାନ ଦେଇଥିଲେ। ତାଙ୍କ ବୟାନ ଆଧାରରେ ପୋଲିସ ଦାରୁଓରା ଗ୍ରାମସ୍ଥିତ ବିଚିତ୍ରଙ୍କ ଘରେ ଚଢ଼ାଉ କରି ଲୁଚାଯାଇଥିବା ୭ଟି ଭିଭୋ ମୋବାଇଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ରବିବାର ପୋଲିସ ବିଚିତ୍ରଙ୍କୁ ପଟ୍ଟାମୁଣ୍ଡାଇ କୋର୍ଟରେ ହାଜର କରି ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି। ସରକାରୀ ଓକିଲ ଧୀରେନ୍ଦ୍ର ସାହୁଙ୍କ ଦୃଢ଼ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ ପରେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବିଚାରପତି ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ବିଚିତ୍ରଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।


Be the first to comment

Leave a Reply

Your email address will not be published.