ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଯୁବ ସ୍ୱାଭିମାନ ଟ୍ରଷ୍ଟ

0
YUBA SWABHIMAN TRUST PAKSHYARU ZILAPALANKU DABIPATRA (1)

କେନ୍ଦ୍ରାପଡାର ଶୋଚନୀୟ ରାସ୍ତା ଅବସ୍ଥାର ତୁରନ୍ତ ସମାଧାନ ଦାବି


କେନ୍ଦ୍ରାପଡ଼ା,୩୦ା୯:କେନ୍ଦ୍ରାପଡ଼ା ସହର ଏବଂ ସହରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥାର ତୁରନ୍ତ ସମାଧାନ ଦାବିରେ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।କେନ୍ଦ୍ରାପଡ଼ା ସହର ଓ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବଡ଼ ବଡ଼ ଖାଲଖମା, ଗର୍ତ୍ତ, ଭଙ୍ଗା ରାସ୍ତା ଏବଂ ବର୍ଷାଜଳ ଜମି ରହିବା ଯୋଗୁଁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହା ଫଳରେ ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧ, ମହିଳା, ଚାକିରିଜୀବୀ ଓ ସାଧାରଣ ଲୋକେ ପ୍ରତିଦିନ ଯାତାୟାତ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ଏହି ସମସ୍ୟା କେବଳ ରାସ୍ତା ମରାମତିର ପ୍ରସଙ୍ଗ ନୁହେଁ ବରଂ ଏହା ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ଦୈନନ୍ଦିନ ଯାତାୟାତ ସହ ଜଡ଼ିତ ଏକ ଗୁରୁତର ଜନସମସ୍ୟା ବୋଲି ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଦର୍ଶାଯାଇଛି।ବର୍ତ୍ତମାନ ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେଉଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି। ତେଣୁ ଆଉ ବିଳମ୍ବ ନକରି ରାସ୍ତାଗୁଡ଼ିକର ତୁରନ୍ତ ମରାମତି, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ଦୀର୍ଘସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ଏହି ଜନ ସମସ୍ୟାରେ ତୁରନ୍ତ ଦୃଶ୍ୟମାନ ପଦକ୍ଷେପ ନିଆନଗଲେ କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଜନଆନ୍ଦୋଳନ କରିବାକୁ ଯୁବ ସ୍ୱାଭିମାନ ଟ୍ରଷ୍ଟ ବାଧ୍ୟ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯୁବ ସ୍ୱାଭିମାନ ଟ୍ରଷ୍ଟର ସଭାପତି ଇଂ. ସ୍ମୃତି ରଞ୍ଜନ ଜେନାଙ୍କ ନେତୃତ୍ୱରେ ଉପଦେଷ୍ଟା ରମଣୀରଞ୍ଜନ ରାଉତରାୟ, ଉପସଭାପତି କୀର୍ତ୍ତିରଞ୍ଜନ ବେଉରା, ଉପସଭାପତି ଦେବାଶିଷ ସ୍ୱାଇଁ, ଉପସଭାପତି ଚନ୍ଦ୍ରକାନ୍ତ ବେହେରା, ସାଂଗଠନିକ ସମ୍ପାଦକ ପୀତବାସ ବେହେରା, ଦୀପ୍ତିରଞ୍ଜନ ମହାପାତ୍ର, ଜୟପ୍ରକାଶ ସ୍ୱାଇଁ, ଦୀପକ ପାଢ଼ୀ, ସତ୍ୟାନନ୍ଦ ମଲ୍ଲ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।


Leave a Reply

Your email address will not be published. Required fields are marked *