ପ୍ରମିଳା ମଲ୍ଲିକଙ୍କୁ ଠାବ କରି ତାଙ୍କ ପରିବାର ସହ ପୁନଃମିଳନ କରାଗଲା


କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଧିନ ବାଲୁରିଆ ଗ୍ରାମର ସ୍ୱର୍ଗତ କୃଷ୍ଣ ମଲ୍ଲିକଙ୍କ ଝିଅ ପ୍ରମିଳା ମଲ୍ଲିକଙ୍କୁ ଠାବ କରାଯାଇ ତାଙ୍କ ପରିବାର ସହିତ ପୁନଃମିଳନ କରାଯାଇଛି।

ସୂଚନା ଅନୁଯାୟୀ ୧୯୮୬ ମସିହାରେ ପଟ୍ଟାମୁଣ୍ଡାଇ ବ୍ଲକ ନନ୍ଦଲାଲ ପାଟଣା ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ମଲ୍ଲିକଙ୍କ ସହିତ ପ୍ରମିଳାଙ୍କ ବିବାହ ହୋଇଥିଲା। ଉଭୟଙ୍କ ଔରସରୁ ୧୯୮୭ମସିହା ଫେବୃୟାରୀ ୨ତାରିଖରେ ଧ୍ରୁବଚରଣ ନାମକ ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲେ। ପ୍ରମିଳା ନିଜର ମାନସିକ ଅସୁସ୍ଥତା ଯୋଗୁଁ ନିଜ ଶାଶୁଘର ଛାଡ଼ି ବାପଘରେ ରହିବାକୁ ଲାଗିଲେ। ସେହି ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥିବାରୁ ସେ ପରବର୍ତ୍ତୀ ସମୟରେ ନିଜ ପରିବାର ଲୋକଙ୍କୁ କୌଣସି ସୂଚନା ନ ଦେଇ ବାପଘର ଛାଡ଼ି କେଉଁଆଡେ ଚାଲିଯାଇଥିଲେ। ଏହା ପରେ ତାଙ୍କ ସ୍ୱାମୀ ସ୍ୱର୍ଗତ ଦୀନବନ୍ଧୁ ପ୍ରମିଳାଙ୍କ ସାନ ଭଉଣୀ ଉର୍ମିଳାଙ୍କୁ ବିବାହ କରିଥିଲେ। ଉପଲବ୍ଧ ରେକର୍ଡ ଅନୁଯାୟୀ ପ୍ରମିଳା ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ଶିମଲାର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରହିଥିଲେ। ଏହା ପରେ ତାଙ୍କୁ ୨୦୧୮ମସିହା ଜାନୁଆରୀ ୩୦ତାରିଖରେ ଶିମଲାର ନାରୀ ନିକେତନରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୩ମସିହା ଫେବ୍ରୁୟାରୀ ୧୬ତାରିଖରେ ଭାଙ୍ଗରୋଟୁ ସ୍ଥିତ ବୃଦ୍ଧାଶ୍ରମକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ସେ ସେବେଠାରୁ ରହିଆସୁଥିଲେ। ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲା ଅନ୍ତର୍ଗତ ବଲହର ଉପଖଣ୍ଡ ମାଜିଷ୍ଟ୍ରେଟ୍ (ଏସଡିଏମ)ଙ୍କ ନେତୃତ୍ୱରେ ଏକ ଟିମ୍ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ ଏବଂ ଓଡ଼ିଶା ପୋଲିସର ସହାୟତାରେ ପ୍ରମିଳା ମଲ୍ଲିକଙ୍କ ପରିଚୟ ନିର୍ଦ୍ଧାରଣ କରାଯାଇ ତାଙ୍କ ପରିବାର ସଦସ୍ୟଙ୍କ ସନ୍ଧାନ ପାଇଁ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଯାଞ୍ଚ ଏବଂ ସମନ୍ୱୟ ପରେ ତାଙ୍କର ପରିଚୟ ତଥା ପାରିବାରିକ ବିବରଣୀ ମିଳିଥିଲା ଏବଂ ଏହା ନିଶ୍ଚିତ ହୋଇଥିଲା ଯେ ତାଙ୍କ ପରିବାର ଲୋକେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳରେ ବସବାସ କରୁଛନ୍ତି। ପ୍ରମିଳା ନିଜ ପରିବାର ସଦସ୍ୟଙ୍କ ସହ ପୁନଃମିଳିତ ହେବା ପାଇଁ ଏବଂ ଓଡ଼ିଶାରେ ଥିବା ନିଜ ଗ୍ରାମକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତଦନୁଯାୟୀ ଆବଶ୍ୟକୀୟ ତଥ୍ୟ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାଣ୍ଡି ଜିଲ୍ଲା ବଲହ ଏସଡିଏମଙ୍କ ପତ୍ର/ରିପୋର୍ଟର ଏକ ନକଲ ହସ୍ତଗତ ହୋଇଥିଲା। ପ୍ରମିଳାଙ୍କୁ ନିଜ ଗ୍ରାମକୁ ଫେରାଇ ଆଣିବା ଏବଂ ତାଙ୍କ ପରିବାର ସହିତ ପୁନଃମିଳନ କରାଇବା ଲାଗି କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ(ଏସ.ପି.)ଙ୍କ ନିର୍ଦ୍ଦେଶକ୍ରମେ ତା୨୬.୦୯.୨୦୨୬ରିଖରେ କେନ୍ଦ୍ରାପଡ଼ା ଏସ.ପି.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତଦନୁସାରେ ସ୍ୱତନ୍ତ୍ର ଟିମ୍ ହିମାଚଳ ପ୍ରଦେଶ ଗସ୍ତ କରି ଆବଶ୍ୟକୀୟ ନିୟମାବଳୀ ସମ୍ପନ୍ନ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି ଶ୍ରୀମତୀ ମଲ୍ଲିକଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିଥିଲେ। ତା୪.୧୦.୨୦୨୬ ରିଖରେ ପ୍ରମିଳା ମଲ୍ଲିକଙ୍କୁ ସୁରକ୍ଷିତ ଭାବେ ତାଙ୍କ ନିଜ ଗ୍ରାମକୁ ଅଣାଯାଇଥିଲା ଏବଂ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନରେ ଥିବା ତାଙ୍କ ବାସଭବନରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ପୁନଃମିଳନ କରାଯାଇଥିଲା। ତାଙ୍କର ସୁରକ୍ଷା, ସମ୍ମାନ ଏବଂ ସୁସ୍ଥତା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଶାନ୍ତିପୂର୍ଣ୍ଣ ଭାବରେ ଏହି ପୁନଃମିଳନ ସମ୍ପନ୍ନ ହୋଇଥିଲା। ଏହିପରି ଭାବରେ ବହୁ ଦଶନ୍ଧିର ବିଚ୍ଛେଦ ପରେ ପ୍ରମିଳାଙ୍କୁ ସଫଳତାର ସହ ଠାବ କରାଯାଇ ହିମାଚଳ ପ୍ରଦେଶରୁ ଓଡ଼ିଶାରେ ଥିବା ତାଙ୍କ ନିଜ ଗ୍ରାମକୁ ଫେରାଇ ଅଣାଯାଇଥିଲା ଯେଉଁଠାରେ ସେ ନିଜ ପରିବାର ସଦସ୍ୟଙ୍କ ସହ ସୁରକ୍ଷିତ ଭାବେ ପୁନଃମିଳିତ ହୋଇଥିଲେ। ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷ, ଓଡ଼ିଶା ପୋଲିସ ଏବଂ ସ୍ୱତନ୍ତ୍ର ଟିମର ମିଳିତ ଉଦ୍ୟମ ଫଳରେ ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରୀମତୀ ମଲ୍ଲିକଙ୍କର ତାଙ୍କ ପରିବାର ସହିତ ସଫଳ ପୁନଃମିଳନ ସମ୍ଭବପର ହୋଇପାରିଛି ବୋଲି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି।
