କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର ଦୃଶ୍ୟ ଦେଖି ବିଚଳିତ ହେବା ସହ ନିକଟରେ ଥିବା ଡଙ୍ଗା କାତରେ କୁମ୍ଭୀରକୁ ପିଟିଥିଲା । ଏହାସତ୍ୱେ କୁମ୍ଭୀର ଅଭୟକୁ ନଦୀ ଭିତରକୁ ନେଇ ଯାଇଥିଲା । ସବୁଦିନ ବ୍ରାହ୍ମଣୀ ନଦୀପଠା(ରାଜପୁର ପାଳ) ଅଭୟ ମଇଁଷି ପଲ ବାନ୍ଧି ଘରକୁ ଚାଲି ଆସେ । ଗୁରୁବାର ଦିନ ପ୍ରାୟ ୯ଟା ସମୟରେ ଅଭୟ ନିଜ ପୁଅ ଅନିଲ ଓ ଗାଁର ଅଶୋକ ରାଉତଙ୍କ ସହ ହୁଲିଡଙ୍ଗା ନେଇ ପାଳକୁ ଯାଇଥିଲେ । ସେଠାରେ ଅଭୟ ଡଙ୍ଗାରୁ ଓହ୍ଲାଇ ସାରିବା ପରେ ଅଇଁଠା ବାସନକୁ ନଦୀରେ ଧୋଇ ଉଠିବା ବେଳକୁ ଅଭୟକୁ ପଛପଟରୁ ଝାମ୍ପି ନେଇଥିଲା କୁମ୍ଭୀର । ପ୍ରତ୍ୟେକ୍ଷଦର୍ଶୀ ଥିବା ଅଶୋକ ପାଣି ମଡାଇବାକୁ ପାଳକୁ ଯାଇଥିଲେ । ଉଭୟେ ଅଶୋକ ଓ ଅନିଲ କାତ ସାହାଯ୍ୟରେ ପିଟିଥିଲେ ମଧ୍ୟ କୁମ୍ଭୀର ତାଙ୍କୁ ଛାଡିନଥିଲା । ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ସହ ଆଖପାଖ ଗାଁର ଶତାଧିକ ଲୋକ ନଦୀକୂଳକୁ ଆସିଥିଲେ । ଗାଁର ଦୁଇଟି ବୋଟ ସହ ଅଗ୍ନିଶମ ବାହିନୀର ବୋଟ ଓ ବନବିଭାଗର ବୋଟ ନଦୀ ମଧ୍ୟରେ ଖୋଜିଥିଲେ ମଧ୍ୟ ଅଭୟର କୈାଣସି ସନ୍ଧାନ ପାଇନଥିଲେ । ଅପରପକ୍ଷରେ ସଂପୃକ୍ତ ପ୍ରାୟ ୨୦ଫୁଟର କୁମ୍ଭୀରଟି ତିନିଥର ଭାସୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ରାଜପୁର ଗ୍ରାମ ସହ ନଦୀକୂଳିଆ ଗ୍ରାମବାସୀଙ୍କ ମଧ୍ୟରେ କୁମ୍ଭୀର ଆତଙ୍କ ନେଇ ଛନକା ପଶିଛି ।