ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରୀୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ କେନ୍ଦ୍ରାପଡା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା । ଆମ ଲୋକମାନଙ୍କର ମୁଖ୍ୟ ଜୀବିକା କୃଷି ହୋଇଥିଲେ ମଧ୍ୟ ଜଳସେଚନ, ଜଳ ନିଷ୍କାସନ, କୃଷି ଉତ୍ପାଦନ ଗୁଡିକର ସଂରକ୍ଷଣ, ପ୍ରକ୍ରୀୟାକରଣ ପ୍ରଭୃତି କୃଷି ଭିତ୍ତିଭୂମିର ଅଭାବ ସାଙ୍ଗକୁ ଅଭାବୀ ବିକ୍ରୀ ଓ ବନ୍ୟା ,ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଆମର କୃଷି ଓ କୃଷକ ଆଜି ବିପନ୍ନ । ଶିଳ୍ପ ବିହୀନ ଏହି ଜିଲ୍ଲାରେ ନିଯୁକ୍ତି ସୁଯୋଗ ଅଭାବରୁ ପ୍ରାୟ ୮୦ପ୍ରତିଶତ ଯୁବକ ଦାଦନ ଖଟିବାକୁ ଦେଶରୁ ବିଦେଶ ଯାଏଁ ଘୁରି ବୁଲୁଛନ୍ତି । ଦାରିଦ୍ର‌୍ୟ ଓ ଅନଗ୍ରସରତା କାରଣରୁ ଏହି ଜିଲ୍ଲା ମୁଣ୍ଡପିଛା ଆୟରେ ରାଜ୍ୟର ୨୯ତମ ଜିଲ୍ଲା ଭାବେ ସ୍ଥାନିତ । ସବୁଠାରୁ ବିଡମ୍ବନାର କଥା ହେଉଛି ଶିଳ୍ପ ବିହୀନ ହୋଇ ମଧ୍ୟ ଏହି ଜିଲ୍ଲା ଶିଳ୍ପର ଯାତନା ଭୋଗେ । ଏହାର ଉପକଣ୍ଠରେ ଥିବା ପାରାଦୀପ ଶିଳ୍ପାଞ୍ଚଳ ଓ ରାଜ୍ୟର ଖଣିଜ ଏବଂ ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ସଂଯୋଗ କରିବା ନିମନ୍ତେ ଦୈତାରୀ -ପାରାଦୀପ ଜାତୀୟ ରାଜପଥ ଓ ବର୍ତ୍ତମାନର ହରିଦାସପୁର-ପାରାଦୀପ ରେଳପଥ ପାଇଁ ଜିଲ୍ଲାବାସୀ ହରାଇଛନ୍ତି ହଜାର ହଜାର ଏକର ଚାଷଜମି ଓ ଭିଟାମାଟି । ସେହି ତ୍ୱରିତ ଜାତୀୟ ରାଜପଥ କାରଣରୁ ବାରମ୍ବାର ଦୂର୍ଘଟଣାର ଶିକାର ହେଉଥିବା ଜିଲ୍ଲାବାସୀଙ୍କ ପାଇଁ ଆଶୁ ଚିକିତ୍ସାର ଅଭାବ ଯୋଗୁଁ ପ୍ରତିବର୍ଷ ଶତାଧରକ ଲୋକଙ୍କ ଜୀବନ ହାନୀ ହେବା ସହ ବିକଳାଙ୍ଗର କାରଣ ପାଲଟିଛି । ଏଥିସହିତ ପାରାଦୀପର ଶିଳ୍ପ କାରାଖାନା ଗୁଡିକରୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ ପାଇଁ ଏହି ଜିଲ୍ଲାର ହଜାର ହଜାର ଅଧିବାସୀ ହୃଦରୋଗ, ଚର୍ମରୋଗ ଓ ଯକ୍ଷ୍ମା ଭଳି ଅନେକ ଦୁରାରୋଗ୍ୟରେ ପିଡିତ ହେଉଥିଲେ ମଧ୍ୟ ଉନ୍ନତ ଚିକିତ୍ସା ଲାଭର ସୁଯୋଗରୁ ବଞ୍ଚିତ ହୋଇଛି । ଜିଲ୍ଲାର ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶିକା ଅନୁଯାୟୀ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକ ହେଉଥିବା ବେଳେ ଆମ ଜିଲ୍ଲାରେ ୧୦ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ବି ନାହାନ୍ତି । ଷ୍ଟାଫନର୍ସଙ୍କ ସଂଖ୍ୟା ସରକାରଙ୍କ ଅନୁମୋଦିତ ସଂଖ୍ୟାର ଅଧାବି ନୁହେଁ । ବହୁ ପିଏଚସି ଏବଂ ସିଏଚସି ବିନା ଡାକ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ଅର୍ପିତ । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୁଖ୍ୟତଃ କ୍ୱାକମାନଙ୍କ ଉପରେ ନିର୍ଭରଶୀଳ । ଏପରି ସ୍ଥିତିରେ ଆମ ଲୋକମାନେ ବାଧ୍ୟବାଧକତାରେ ଚିକିତ୍ସା ନିମନ୍ତେ ଜିଲ୍ଲା ବାହାରକୁ ଯାଆନ୍ତି ଏବଂ ସେଠାରେ ଆର୍ଥିକ ଶୋଷଣର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ଆର୍ଥିକ ଦୃଷ୍ଟିରୁ ଏହି ଅନଗ୍ରସର ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉକୃଷ୍ଟତା ପ୍ରତିପାଦନ କରୁଥିଲେ ମଧ୍ୟ ଡାକ୍ତରୀ ଶିକ୍ଷା ପାଇଁ ଏଠାରେ ସୁଯୋଗର ଅଭାବରୁ ବାହାରକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଏବଂ ଅନେକ ଏଥିରୁ ସବୁଦିନ ପାଇଁ ବଞ୍ଚିତ ରହୁଛନ୍ତି । ଏଠାରେ ମେଡିକାଲ କଲେଜର ସ୍ଥାପନ ଜିଲ୍ଲାର ଆର୍ଥିକ ବିକାଶ ସହ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୁରଣ କରିବା ସହିତ ସମଗ୍ର ରାଜ୍ୟର ଡାକ୍ତର ଆବଶ୍ୟକତାକୁ ପୁରଣ କରିପାରିବ । ସମଗ୍ର ରାଜ୍ୟର ବିକାଶ ନିମନ୍ତେ ଆମ ଜିଲ୍ଲାର ଅବଦାନ କିଛି କମ ନୁହେଁ । ହେଲେ ଏହା ବିକାଶ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ଭାବରେ ପଛରେ ପଡିଛି । ବିଗତ ୨୪ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ରୁ ବୃଦ୍ଧି ପାଇ ୧୦ରେ ପହଞ୍ଚିଥିଲେ ମଧ୍ୟ ଆମ ଜିଲ୍ଲା ସେଥିରେ ସାମିଲ ନହୋଇପାରିବା ଅତ୍ୟନ୍ତ ପରିତାପର ବିଷୟ । ପ୍ରାୟ ୧୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲା ଆଜି ମେଡିକାଲ କଲେଜ ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ତା’ର ପ୍ରାପ୍ୟ ବୋଲି ବିଚାର କରି ଦୃଢ ଦାବି ଉପସ୍ଥାପନ କରୁଛି । ଏଥିନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ଧାରଣା ଆନ୍ଦୋଳନ ସଂଗଠିତ କରିସାରିଛନ୍ତି । ଏହି ଦାବିରେ ଜିଲ୍ଲା ବ୍ୟାପି ଶୋଭାଯାତ୍ରା ମଧ୍ୟ ହୋଇସାରିଛି । ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ବର୍ତ୍ତମାନ ସରକାରର ସର୍ବଶକ୍ତିମାନ ୫-ଟି ସଚିବଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହିତ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ପ୍ରଭୃତି ନିର୍ବାଚିତ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକରୁ ଏହି ଦାବିରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ପ୍ରେରିତ ହୋଇଛି । ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ପରି ବୋଧ ହେଉନାହିଁ । ତେଣୁ ଜିଲ୍ଲାବାସୀଙ୍କ ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡିତ ଏହି ନ୍ୟାୟୋଚିତ ଦାବିକୁ ହାସଲ କରିବା ନିମନ୍ତେ ଆସନ୍ତା ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟି ିପକ୍ଷରୁ ସଭାପତି ଅଧ୍ୟାପକ ସାମଲ ଓ ସମ୍ପାଦସକ ରମଣୀରଞ୍ଜନ ରାଉତରାୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ଗୟାଧର ଧଳ, ଆଦିକନ୍ଦ ରାଉଳ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ତିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading