ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ଓ ମହାବିଦ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ


କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର କରାଯିବା ଏବଂ କଲେଜରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତରଙ୍କ ନେତୃତ୍ୱ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ୨୯ଲକ୍ଷ ଟଙ୍କାର ମହାଦୁର୍ନୀତି, ଚାରା କିଣାରେ ଦୁର୍ନୀତି, ଗାନ୍ଧୀ ଭବନ ଉଦଘାଟନୀ ଉତ୍ସବ ଆୟୋଜନ ପାଇଁ ବ୍ୟୟରେ ଦୁର୍ନୀତି, ୨କୋଟି ଟଙ୍କା ବିଶ୍ୱବ୍ୟାଙ୍କ ଅନୁଦାନରେ ବିନା ଟେଣ୍ଡରରେ ଉପକରଣ କିଣାଯିବାରେ ଦୁର୍ନୀତୀ, ନାମୀଦାମୀ କମ୍ପାନୀର ଲାପଟପ ବଦଳରେ ଆସେମ୍ବ୍ଲିଂ ଲାପଟପ କିଣାରେ ଦୁର୍ନୀତି ପ୍ରଭୃତି ଚରମ ସୀମାରେ ପହଞ୍ଚିଛି । ତେଣୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ମହାଦୁର୍ନୀତିର ଭିଜିଲାନ୍ସ ବିଭାଗ ଦ୍ୱାରା ତୁରନ୍ତ ତଦନ୍ତ ଆରମ୍ଭ କରାନଗଲେ ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା କ୍ଷେତ୍ରର ଛାତ୍ର ସଭାପତି ବିକାଶ କୁମାର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ଉମେଶ ପାଢୀ, ମହମ୍ମଦ ନଦୀମ, ମୋଜାଇଦ ଖାନ, ଆଫ୍ରୋଜ ଖାନ୍‌, ବାଦଲ କୁମାର ମଲ୍ଲିକ, ରାଧେଶ୍ୟାମ ସାହୁ, ସାହିଦ ଅକ୍ତର, ବବି, ରଞ୍ଜନ ଦାସଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading