ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣା ଦ୍ୱିତୀୟ ଦିନରେ,ପ୍ରଶାସନ ଆନ୍ଦୋଳନକାରୀ ମୁହାଁମୁହିଁ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ଥିବା ଦୟନୀୟ ସ୍ୱାସ୍ଥ୍ୟସେବାରେ ସୁଧାର ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦୀର୍ଘ ଦୁଇବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ଚରମ ରୂପ ନେବାକୁ ଆଭାସ ମିଳୁଛି । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ।

କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ.(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ବିଜେପି ନେତା ସନ୍ତୋଷ ଜେନା, ଭାଗୀରଥି ଜେନା, ମୁକ୍ତାର ଖାଁ, କେଦାର ସାମନ୍ତରାୟ, କର୍ମଚାରୀ ନେତା ଡଃ. ଉପେନ୍ଦ୍ରନାଥ ପ୍ରଧାନ, ଶ୍ରମିକନେତା ଜଗତଜୀବନ ଦାଶ, ତ୍ରିଲୋଚନ ପରିଡା, ଶ୍ରୀଧର ମହାନ୍ତି, ବୈଷ୍ଣବ ସ୍ୱାଇଁ, ନରୋତ୍ତମ ଜେନା, ଆଦିତ୍ୟ ନାରାୟଣ ବରାଳ ପ୍ରମୁଖ ଶତାଧିକ ଲୋକ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ କଠୋର ନିନ୍ଦା କରିବା ସହିତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସପକ୍ଷରେ ଥିବା ଯୁକ୍ତି ଉପସ୍ଥାପନ କରିଥିଲେ ।

ଅପରାହ୍ନପ୍ରାୟ ଗୋଟାଏ ବେଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଅଞ୍ଜଳି ତରାଇ ଓ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ପୋଲିସ ବଳ ସହ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସେ ସ୍ଥାନ ଛାଡି ଯିବା ପାଇଁ କହିଥିଲେ । ମାତ୍ର ଆନ୍ଦୋଳନକାରୀମାନେ କୈାଣସି ପରିସ୍ଥିତିରେ ଧାରଣାସ୍ଥଳ ଛାଡିବା ପାଇଁ ରାଜି ହୋଇନଥିଲେ । ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟ ତହସିଲଦାର ଆନ୍ଦୋଳନକାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଏସମ୍ପର୍କରେ ତାଙ୍କ ଠାରୁ ଲିଖିତ ପ୍ରତିଶୃତି ଚାହିଁଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ଶେଷରେ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହିତ ଆଲୋଚନା ପାଇଁ ଆନ୍ଦୋଳନକାରୀମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କ୍ରୀୟାନୁଷ୍ଠାନ କମିଟି ପ୍ରଶାସନର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ମଧ୍ୟ ଆସନ୍ତାକାଲି ଆନ୍ଦୋଳନ ଚାଲୁ ରହିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading