ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ଧୋୟାଂଚଳ ବାସୀ .ବିଦ୍ୟୁତ ଅଫିସ ଘେରିଲା ମାନସ ବିକାଶ ମଂଚ


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳରେ ଅଘୋଷିତ ବିଦ୍ୟୁତକାଟ ହେଉଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ଅଂଚଳବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଏହାର ପ୍ରତିବାଦରେ ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବିଦ୍ୟୁତ ବିଭାଗ ସେକ୍ସନ କାର୍ଯାଳୟ ଘେରାଉ କରିବା ସହିତ ତୁରନ୍ତ ବିଦ୍ୟୁତକାଟ ସମସ୍ୟା ଦୂର କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି ।
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା, ପେଣ୍ଠପାଳ, ଅମୃତମଣୋହି, ବଲୁରିଆ, ତରଡ଼ିପାଳ, ଅଳପୁଆ, ସିଂହଗାଁ ଲୋକମାନଙ୍କୁ ଉତମ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦାଣ୍ଡିସାହି ଠାରେ ବିଦ୍ୟୁତ ବିଭାଗ ସେକ୍ସନ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ବିଦ୍ୟୁତ ସେବାରେ ଆଶାନୁରୂପ ପରିବର୍ତନ ହୋଇନାହିଁ । ବନ୍ୟା ସମୟରେ ବିପନ୍ନ ଲୋକମାନେ ବିଦ୍ୟୁତ ସେବା ପାଇବାରୁ ବଂଚିତ ହେଉଥିବାବେଳେ ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ ସେବା ବନ୍ଦ ରହୁଛି । ଏହା ବାଦ ବିନା କାରଣରେ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । ଏପରିକି ବିଦ୍ୟୁତ ଘଂଟା ଘଂଟା ଧରି ଚାଲିଯିବା ଫଳରେ ଅସହ୍ୟ ଗୁଳଗୁଳିରେ ଲୋକମାନେ ହନ୍ତସନ୍ତ ହେଉଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହେଉଛି । ନିଜ ଘରେ ଥିବା ଶିଶୁ, ବୃଦ୍ଧ ବୃଦ୍ଧା ଓ ରୋଗୀମାନ ବିଦ୍ୟୁତ ଅଭାବରୁ ଯନ୍ତ୍ରଣା ଭୋଗ କରୁଛନ୍ତି । ବିଦ୍ୟୁତ ଅଭାବରୁ ସ୍କୁଲ କଲେଜ, ବ୍ୟାଙ୍କ ସର୍ବୋପରି ସ୍ୱାସ୍ଥ୍ୟ ସେବା ଓ ଜରୁରୀକାଳୀନ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି । ଯାହାକୁ ନେଇ ସାତଟି ପଂଚାୟତରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏ ନେଇ ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ମାନସ ବିକାଶ ମଂଚ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କଶେଖର ବିଶ୍ୱାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ଅଣ୍ଢରା ପୂର୍ବତନ ସରପଂଚ ସଂଜୀବ ମଲ୍ଲିକ, ସାମାଜିକକର୍ମୀ ହିମାଂଶୁ ବିଶ୍ୱାଳ, ନରେନ୍ଦ୍ର ଧଳ, ଶ୍ରୀକାନ୍ତ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଦାଣ୍ଡିସାହି ବିଦ୍ୟୁତ ବିଭାଗ ସେକ୍ସନ କାର୍ଯାଳୟ ଘେରାଉ କରିବା ସହିତ ତୁରନ୍ତ ବିଦ୍ୟୁତକାଟ ସମସ୍ୟା ଦୂର କରିବା ଏକ ଦାବୀପତ୍ର ପ୍ରଦାନ କରି ତୁରନ୍ତ ପ୍ରତିକାର କରାନଗଲେ ମାନସ ବିକାଶ ମଂଚ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓଲ୍‌ହାଇବ ବୋଲି ଚେତାବନୀ ଦେଇଥିଲେ । ଦାଣ୍ଡିସାହି ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଗୋପବନ୍ଧୁ ବାରିକ ଦାବୀପତ୍ର ଗ୍ରହଣ କରି ଏ ଦିଗରେ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading