ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣା ତୃତୀୟ ଦିନରେ,ପ୍ରଶାସନ ପ୍ରତିଶୃତି ରକ୍ଷା କଲାନାହିଁ , ଆନ୍ଦୋଳନ ଜାରି ରହିବ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ବର୍ଷବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଚିନ୍ନୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ.(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ବିଜେପି ନେତା ସନ୍ତୋଷ ଜେନା, ଭାଗୀରଥି ଜେନା, କେଦାର ସାମନ୍ତରାୟ, ଶ୍ରୀଧର ମହାନ୍ତି ପ୍ରମୁଖ ଶତାଧିକ ଲୋକ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର କଠୋର ସମାଲୋଚନା କରିବା ସହିତ ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ ।

ଅପରାହ୍ନ ପ୍ରାୟ ୨ଟା ବେଳକୁ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ପ୍ରଶାସନ ସହିତ ଆଲୋଚନା ନିମନ୍ତେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଚାମ୍ବରରେ ପହଞ୍ଚିଥିଲେ । ସେହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ମହାପାତ୍ର, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ତହସିଲଦାର ଅଞ୍ଜଳି ତରାଇ, ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ସନ୍ତୋଷ ଜେନା, ଭାଗୀରଥି ଜେନା, କେଦାର ସାମନ୍ତରାୟ, ମୁକ୍ତାର ଖାଁ, ଅଭିମନ୍ୟୁ ରାଉତ, ଫକୀର ଚରଣ ଖଟୁଆ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ସୁପାରିଶ କରି ତାହାର ନକଲ ଆନ୍ଦୋଳନକାରୀମାନଙ୍କୁ ପ୍ରଦାନ କରିବା ସର୍ତ୍ତରେ ପ୍ରଶାସନର ଅନୁରୋଧ କ୍ରମେ ଚାଲିଥିବା ଗଣଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ କ୍ରିୟାନୁଷ୍ଠାନ କମିଟି ସମ୍ମତି ଜଣାଇଥିଲା । କିନ୍ତୁ ରାତି ସାଢେ ୮ଟା ସୁଦ୍ଧା ପ୍ରଶାସନ ଠାରୁ ଏସମ୍ପର୍କିତ କୈାଣସି ପତ୍ର ନପାଇବାରୁ ଆସନ୍ତାକାଲି ପୂର୍ବପରି ଆନ୍ଦୋଳନ ଚାଲୁ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading