ଅଟୋନୋମି ଟିମ ଗସ୍ତର ୮ଦିନ ପୂର୍ବରୁ ୭୧ଲକ୍ଷ ବ୍ୟୟ ଦର୍ଶାଇ ହରିଲୁଟ ଅଭିଯୋଗ
କେନ୍ଦ୍ରାପଡ଼ା, ୮ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ କଲେଜ ଅର୍ଥ ହରିଲୁଟ ହୋଇଥିବା ଘଟଣା ପଦାକୁ ଆସିବାରେ ଲାଗିଛି । ପୂର୍ବରୁ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ପ୍ରାୟ ୩୦ଲକ୍ଷ ଟଙ୍କା ହରିଲୁଟ ହୋଇଥିବା, ଚାରା ରୋପଣରେ ୫ହଜାରକୁ ୪୦ହଜାର ଦର୍ଶାଇ ୩୫ହଜାର ଟଙ୍କା ହଡପ କରାଯାଇଥିବା ବେଳେ,ଗାନ୍ଧୀ ଭବନ ଉଦଘାଟନୀ ଉତ୍ସବରେ ୨ଲକ୍ଷ ଟଙ୍କା ମିଥ୍ୟା ବିଲ କରାଇନେବା ଅଭିଯୋଗ ଆସିଥିଲା । ପରେ ମହାବିଦ୍ୟାଳୟ କ୍ୟାଣ୍ଟିନ ସମ୍ମୁଖ ଗାର୍ଡେନର ପାଚେରୀ ନିର୍ମାଣରେ ୬ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଥିବା ଏବଂ ଉଭିଦ୍ଦ ବିଜ୍ଞାନ ବିଭାଗ ମରାମତି ଓ ରଙ୍ଗ ଦେବାରେ ପ୍ରା୭ ୭ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ମହାବିଦ୍ୟାଳୟର ବିଭିନ୍ନ ଉପକରଣ କିଣାରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ବେଳେ ଲାପଟପ କିଣାରେ ମଧ୍ୟ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏବେ ଆହୁରି ସଙ୍ଗୀନ ଅଭିଯୋଗ ଆସିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଅଟୋନୋମି ଟିମ ଗସ୍ତର ମାତ୍ର ୮ଦିନ ପୂର୍ବରୁ ୭୧ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ କରାଯାଇଥିବା ଦର୍ଶାଇ ୫୦ଲକ୍ଷରୁ ଅଧିକ ଅର୍ଥ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ସେହି ବ୍ୟୟ ମଧ୍ୟରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ପାଇଁ କମ୍ପ୍ୟୁଟର, ପ୍ରିଣ୍ଟର ଓ ଅଫିସ ଆସବାବପତ୍ର କିଣିବାରେ ୨ଲକ୍ଷ ୬୦ହଜାର, ମହାବିଦ୍ୟାଳୟ ମୁଖ୍ୟ ବିଲଡିଂକୁ ରଙ୍ଗଦେବା ପାଇଁ ୧୯ଲକ୍ଷ, ଚେଆର, ଟେବୁଲ, ଆଲମିରା, ଷ୍ଟ୍ଟିଲ ର୍ୟାକ, କମ୍ପ୍ୟୁଟର, ପ୍ରୋଜେକ୍ଟର ପ୍ରଭୃତି କିଣିବାରେ ୪ଲକ୍ଷ ୯୦ହଜାର, ଷ୍ଟାଫ ରିଫ୍ରେସମେଣ୍ଟ ପାଇଁ ଏକଲକ୍ଷ ୧୬ହଜାର, ସଫେଇ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୯୦ହଜାର, ବିଦ୍ୟୁତକରଣ ଓ ଇନଭଟର ପାଇଁ ୨ଲକ୍ଷ ଟଙ୍କା, ବିଭିନ୍ନ ବିଭାଗ ଏବଂ କମନରୁମର ମରାମତି ଓ ଉନ୍ନତିକରଣ ପାଇଁ ୫ଲକ୍ଷ ୫୦ହଜାର, ଇନାଗୁରେସନ ଷ୍ଟୋନ କିଣାଯିବା ପାଇଁ ୫୦ହଜାର, ଟ୍ୟାଙ୍କ ରଙ୍ଗଦେବା ଓ ଟାଇଲ ବିଛାଯିବା ପାଇଁ ୫ଲକ୍ଷ ୫୫ହଜାର, ହ୍ୱାଇଟବୋର୍ଡ, ସାନିଟାରୀ ଓ ମିସଲାନିୟସ ପାଇଁ ୨ଲକ୍ଷ, ଏସି ଓ ଫ୍ରିଜ କିଣାଯିବା ପାଇଁ ଏକଲକ୍ଷ ୪୦ହଜାର, ମିନି କନଫରେନ୍ସ ହଲ ପାଇଁ ଅଡିଓସିଷ୍ଟମ କିଣାଯିବା ଏକଲକ୍ଷ, ଇ – ବ୍ୟାଟେରୀ କାର କିଣାଯିବା ପାଇଁ ୨ଲକ୍ଷ ୫୦ହଜାର, କଟକ-ଚାନ୍ଦବାଲି ରାସ୍ତା ନିକଟ କଲେଜ ମୁଖ୍ୟ ଫାଟକ ନିକଟରୁ କଲେଜ ମୁଖ୍ୟ ବିଲଡିଂ ଫାଟକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବାଲି ବିଛାଇବା ପାଇଁ ୩ଲକ୍ଷ ୩୫ହଜାର, ପ୍ରୋଜେକ୍ଟର କିଣାଯିବା ପାଇଁ ୪ଲକ୍ଷ ୭୦ହଜାର, ବେଞ୍ଚ ଡେସ୍କ କିଣା ବାବଦକୁ ୫ଲକ୍ଷ ୮୦ହଜାର ଟଙ୍କା ମାତ୍ର ୮ଦିନ ମଧ୍ୟରେ ବ୍ୟୟ କରାଯାଇଥିବା ଘଟଣା କଲେଜର ଛାତ୍ରଛାତ୍ରୀଙ୍କ ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗକୁ ପ୍ରମାଣିତ କରୁଛି ବୋଲି ପୁରାତନ ଛାତ୍ରମାନେ କହିଛନ୍ତି । କିଣାଯାଇଥିବା ବେଞ୍ଚ ଓ ଡେସ୍କ ଗୁଡିକର ମାପ ଯାହା ବିଲରେ ପଡିଛି ତାହା ଠାରୁ ଢେର କମ୍ ମାପର ବେଞ୍ଚ ଓ ଡେସ୍କ ସଂପୃକ୍ତ ସଂସ୍ଥା କଲେଜକୁ ଦେଇଛି । ଏଥିସହିତ ଏଗୁଡିକ ନିମ୍ନମାନର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅନେକ କ୍ଷେତ୍ରରେ କିଣା ଯାଇଥିବା ଜିନିଷ ଗୁଡିକ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ଜିନିଷ ପ୍ରକୃତରେ କଲେଜରେ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାବ୍ୟତିତ ପ୍ରକୃତ ବ୍ୟୟ ଠାରୁ ବହୁ ମାତ୍ରାରେ ଲକ୍ଷାଧିକ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିବା ଦର୍ଶାଯାଇ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇଛି । ଏସମ୍ପର୍କରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ମଳୟରଞ୍ଜନ ପରିଡା, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର, ଦୈତାରୀ ସେଠୀ, ଶରତ ସିଂ, ଚିନ୍ମୟ ବଳ, ଅଭିନାଶ ମଲିକ, ସତ୍ୟରଞ୍ଜନ ସେନାପତି, ପ୍ରଦୀପ ସାହୁ, ବରଦାପ୍ରସନ୍ନ ମହାନ୍ତି ପ୍ରମୁଖ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି ।










