
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏଥିପାଇଁ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଆରମ୍ଭ ହୋଇଥିବା ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଚିନ୍ନୟ ପ୍ରସାଦ ବେହୁରା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ.(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଶ୍ରମିକ ନେତା ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା, ଲକ୍ଷ୍ମୀଧର ପଲେଇ ପ୍ରମୁଖ ଶତାଧିକ ଲୋକ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ତୀବ୍ର ନିନ୍ଦା କରିବା ସହିତ ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ । ଆନ୍ଦୋଳନକୁ ଆହୁରି ତୀବ୍ରତ୍ତର କରିବା ପାଇଁ ଆସନ୍ତାକାଲି କ୍ରିୟାନୁଷ୍ଠାନ କମିଟିର ସାଧାରଣ ପରିଷଦ ବୈଠକ ବସୁଥିବା ବେଳେ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ଅନୁରୋଧପତ୍ର କମିଟି ପାଖରେ ପହଞ୍ଚିଥିବା ଜଣାପଡିଛି । ମାତ୍ର ଏହିପତ୍ର ପହଞ୍ଚିବାରେ ବିଳମ୍ବ ହୋଇଥିବା ଏବଂ ପତ୍ରର ବିଷୟବସ୍ତୁ ଉପରେ ଆସନ୍ତାକାଲି ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇ ଆନ୍ଦୋଳନର ଭବିଷ୍ୟତ ପନ୍ଥା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କମିଟି ସୂଚନା ଦେଇଛି ।











