କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରାମଦ,ଡ୍ରଗ୍ସ,ଗଞେଇ, ଧଳାଜହର କାରବାର ଖୁଲମ୍ଖୁଲା ଭାବେ ବଢ଼ିଚାଲିଛି । ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚେଖୁଲମ୍ଖୁଲା ବେପାର ଚାଲିଛି । ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି ।ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି ।
ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇରେ ନିଶା କାରବାର ରୋକିବା ନିମନ୍ତେ ଅବକାରୀ କାର୍ଯ୍ୟାଳୟ ରହିଛି । ମାତ୍ର ତାହା ସବୁ ସମୟରେ ଖୋଲା ରହୁନି । ବିଭାଗ ଅଧିକାରୀଙ୍କ ଅନୁପସ୍ଥିତ ସୂଚାଇ ଦେଉଛି ଯେ, ଏହି କାରବାର ପଛରେ ବିଭାଗର ପ୍ରଚ୍ଛଦ ହାତ ରହିଛି । ଗାଁ ଗହଳିରେ ଏବେ ଗୋଟିଏ ପରେ ଗୋଟିଏ ଚୋରାମଦ କାଉଂଟର ଖୋଲିବାରେ ଲାଗିଛି ।ଅବକାରୀ ବିଭାଗ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛନ୍ତି । ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି ।
ବୁଦ୍ଧିଜିବୀ ରବିନ୍ଦ୍ର ଭଟ୍ଟ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ଗାଁ ଗହଳିରେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବା ସହିତ ନିଶାରେ ସାରା ଯୁବସମାଜ କବଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିନ ଥିଲା ଅଧିକାଂଶ ଯୁବ ସମାଜ ଅର୍ଥନୈତିକସ୍ତରରେ ପଛୁଆ ରହୁଥିଲେ । କିନ୍ତୁ ଏବେ ଅଧିକାଂଶ ଆର୍ôଥକସ୍ତରରେ ସ୍ୱଚ୍ଛଳ ଥିବା ପରିଲକ୍ଷିତ ହେଉଛି । ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ଟଙ୍କା ସହଜରେ ମିଳିଯାଉଛି । ପିଲାମାନଙ୍କୁ ଟଙ୍କା ମିଳିଯିବାରୁ ସେମାନେ ଏହାର ଦୁରୁପଯୋଗ କରି ନିଶା ସେବନ କରିବାକୁ ପଛାଉ ନାହାନ୍ତି । ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍ଖା, ସିଗାରେଟ୍ ଏପରି କି ମଦ ପିଉଥିବା ନଜରକୁ ଆସୁଛି । ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଡ୍ରଗ ଟେଷ୍ଟିଂ ବାଧ୍ୟତାମୂଳକ କରାଗଲେ ଭଲ ହୁଅନ୍ତା ବୋଲି ଅନେକେ ମତ ଦେଇଛନ୍ତି ।
ଶିକ୍ଷାବିତ ପ୍ରେମାନନ୍ଦ ପାଣ୍ଡା କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ନିଶା ମାଫିଆମାନେ ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକଙ୍କୁ ଟାର୍ଗେଟ ରଖୂଛନ୍ତି । ରାଜ୍ୟରେ ଏବେ ଲକ୍ଷେରୁ ଅଧିକ ଛାତ୍ରଯୁବକ କେବଳ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଏହି ବୟସର ଛାତ୍ରଯୁବକଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ । କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ବେକାର ଯୁବକଯୁବତୀ ନିଶା ମାଫିଆଙ୍କ ଜାଲରେ ଅଧିକରୁ ଅଧିକ ସଂଖ୍ୟାରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦ ଡାକି ଆଣୁଛି । ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନଥିବାରୁ ଆଉ କିଛି ବର୍ଷ ମଧ୍ୟରେ ସ୍ଥିତି ବେକାବୁ ହେବା ଆଶଙ୍କା କରାଯାଉଛି ।
ଅବଶରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାଶ କୁହନ୍ତି , ପଟ୍ଟାମୁଣ୍ଡାଇ ନିଶା ସାମଗ୍ରୀ ମଧ୍ୟରୁ ସବୁଠୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ତା ପଛକୁ ଗଞ୍ଜେଇ ଏବଂ ତା ପରକୁ ରହିଛନ୍ତି ବ୍ରାଉନସୁଗାର ସେବନକାରୀ । ଏହି ତିନି ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍ ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି । ସଚେତନତା ନାଁ’ରେ ପ୍ରଶାସନ ପକ୍ଷରୁ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ଉ ହେଉନାହିଁ । ଫଳରେ ବିଭିନ୍ନନିଶା ଖୋଲାଖୋଲି ବିକ୍ରି ହେଉଛି । କେବଳ ବୈଠକ କରି ନିଜ ନିଜ ପକ୍ଷ ରଖି ସମ୍ମିଳନୀରୁ ବାହାରିବା ପରେ ଅଧିକାରୀମାନେ ଆଉ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ପଟ୍ଟାମୁଣ୍ଡାଇ ଅଂଚଳରେ କିଛି କିଛି ପରିବାରର ପିଲାମାନେ ମଧ୍ୟ ଏଇ ରାସ୍ତାରେ ଏବେ ଚାଲିଛନ୍ତି । ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ।ଏବାଦରେ ଅବକାରୀ ବିଭାଗ ଆଇଆଇସି କମଳ ପାଇକରାୟଙ୍କୁ ପଚାରିବାରେ ବଡ ଏରିଆ ବିଧିବଧ ଚଢାଉ ହୋଇଛି ବୋଲି କହିଥିଲେ ।