
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଆରା ଢଙ୍ଗରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଯାକଯମକରେ ପାଳିତ ହୋଇଯାଇଛି ବିଶ୍ୱକର୍ମା ପୂଜା । ରବିବାର ପ୍ରତ୍ୟୁଷରୁ ବିଶ୍ୱ ସର୍ଜନାର ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବ ମୁଖର ହୋଇପଡିଥିଲା । ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ପ୍ରଭୁ ବିଶ୍ୱକର୍ମାଙ୍କ ସଦୃଶ୍ୟ ମୃଣୟ ମୂର୍ତି ଶୋଭା ପାଉଥିବାବେଳେ ଆକର୍ଷଣୀୟ ସାଜସଜ୍ଜା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମନଲୋଭା ହୋଇଥିଲା । ନିର୍ମାଣ ଦାୟିତ୍ୱରେ ଥିବା ବଡ଼ବାବୁ ଠାରୁ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ ଏକାକାର ହୋଇ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାରେ ମାତିଥିଲେ । ଏହି ପୂଜାରେ ବିଭିନ୍ନବର୍ଗର ଲୋକମାନେ ସାମିଲ ହେବା ସହିତ ଭାଇଚାରାର ଭିନ୍ନ ମାହୋଲ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଉଠାଜଳସେଚନ ବିଭାଗ, ଜଳସମ୍ପଦ ବିଭାଗ, ପୂର୍ତ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ଆଦି ବିଭିନ୍ନ ମାସିନାରୀ ସଂସ୍ଥାରେ ବିଶ୍ୱ ସର୍ଜନାର ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଯାକଯମକରେ ପାଳନ କରାଯାଇଥିଲା । ବିଭିନ୍ନ ବିଭାଗର ସହନିର୍ବାହୀଯନ୍ତ୍ରୀ ଇଂ ରଞ୍ଜନ ଲେଙ୍କା, ଇଂ ରାଜଶ୍ରୀ ବେହେରା, ଇଂ ପ୍ରଭାତ ସାହୁ, ଇଂ ବିନୋଦ ଦାସ, ଓ ସହସହକାରୀ ଯନ୍ତ୍ରୀ ଇଂ ସୁଦାମ ସାହୁ ନେତୃତ୍ୱ ନେଇ ପୂଜା କାର୍ଯ୍ୟକ୍ରମ କୁ ଆକର୍ଷଣୀୟ କରିଥିଲେ । ଘରୋଇ ଅନୁଷ୍ଠାନ ମଧ୍ୟରେ ବିଭିନ୍ନବର୍ଗର ନିର୍ମାଣ ଶ୍ରମିକ ଓ କାରିଗରମାନେ ନିଜ ନିଜ ଘରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଆୟୋଜନ କରିଥିଲେ ।
ବିଶ୍ୱକର୍ମା ପୂଜା ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଶରତ ପଣ୍ଡା, ପୌରାଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ବିଜୁ ଯୁବବାହିନୀ ସମ୍ପାଦକ ଦିଲ୍ଲୀପ ସାହୁ, ସମାଜସେଵୀ ସୁଶାନ୍ତ ପଣ୍ଡା ପ୍ରମୁଖ ବିଭିନ୍ନ ବିଶ୍ୱକର୍ମା ମଣ୍ଡପ ବୁଲି ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ନିର୍ମାଣ ଶ୍ରମିକ ଭାଇ ଭଉଣୀ ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେହିପରି ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା , ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ସାହୁ, ନଗର ବିଜେପି ସଭାପତି ବିଶ୍ୱରଞ୍ଜନ ପାତ୍ର ଓ ପ୍ରାକ୍ତନ ସଭାପତି ପଦ୍ମନାଭ ପଣ୍ଡା ପ୍ରମୁଖ ବିଭିନ୍ନ ବିଶ୍ୱକର୍ମା ପୂଜା ମଣ୍ଡପ ବୁଲି ଦେଖିବା ସହିତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆୟୋଜିତ ବିଶ୍ୱକର୍ମା ପୂଜାରେ ଜନସାଧାରଣ ଯୋଗ ଦେଇ ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ନିଜ ନିଜର ଯାନବାହନ ପୂଜା କରିଥିଲେ । ବିଭିନ୍ନବର୍ଗର ନିର୍ମାଣ ଶ୍ରମିକ ଓ କାରିଗରମାନେ ନିଜ ନିଜ ଘରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଆୟୋଜନ କରିଥିଲେ । ମୋଟାମୋଟି ଭାବେ ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳରେ ବିଶ୍ୱ ସର୍ଜନାର ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।










