
କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଚୋରୀ ଓ ଡକାୟତି କରିଥିବା ଜଣାପଡିଛି । ରାଜନଗର ବ୍ଲକ ସଦର ମହକୁମା (ବାରମାଣିଆ) ର ରାଜନଗର ମଙ୍ଗରାଜପୁର ରାସ୍ତା ପାଶ୍ୱର୍ରେ ଥିବା ରମାକାନ୍ତ ନାୟକଙ୍କ ଘରୁ ଏହି ଗ୍ୟାଙ୍ଗ ଗତ ଅଗଷ୍ଟ ମାସ ୧୮ ତାରିଖ ରାତି ପ୍ରାୟ ୧୦ଟା ୧୫ମିନିଟ୍ ମଧ୍ୟରେ ଡକାୟତି କରିଥିଲେ । ଗୃହକର୍ତା ରମାକାନ୍ତଙ୍କୁ ବାନ୍ଧି ବନ୍ଧୁକ ବେକରେ ଲଗାଇ ବାଥରୁମ୍ ଭିତରେ ପୂରାଇଥିଲେ । ତାଙ୍କ ସ୍ତ୍ରୀଙ୍କୁ ଭୂଜାଲି ଦେଖାଇ ଆଲମିରା ଚାବି ନେଇ ସୁନା ଚେନ, ୧୦ଟି ସୁନା ମୁଦି, ତିନିହଳ ସୁନା କାନଫୁଲ, ସୁନାସାଙ୍ଖି ୪ହଳ ଓ ନଗଦ ୩୫ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ କେଶ ନଂ- ୫୪୯/୨୩ରେ ମାମଲା ରୁଜୁକରି ଅନୁସନ୍ଧାନ ଜାରି ରଖିଥିଲା । ନିକିରାଇ ପୋଲିସ ଚୋରୀ କେଶ ନଂ୨୫୧/୨୩ର ଅନୁସନ୍ଧାନ ସମୟରେ ଡାକାୟତି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଥିଲା । ସେମାନଙ୍କୁ ପଚରାଉଚରା ପରେ ରାଜନଗରରେ ହୋଇଥିବା ଡାକାୟତିରେ ସେମାନେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ । ଏହି ଗ୍ୟାଙ୍ଗରେ ୯ଜଣ ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଓ ୩ଜଣ ଜିନିଷ ରଖିଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଆସାମୀ ଡେରାବିଶ ଥାନା ଅନ୍ତର୍ଗତ ନୋଳସାହିର ବାବୁନା ଦାସଙ୍କୁ ନିକିରାଇ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆପାଳର ଏଣ୍ଡୁଆ ଓରଫ ବଳିଆ ଦାସ, ଆଳି ଥାନା ସିଙ୍ଗିରି ଗ୍ରାମର ଧନ ଦାସ, ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ବଡଜରିଆ ଗ୍ରାମର ଜଡା ଓରଫ ଅର୍ଜୁନ ଦାସ ଓ ଚନ୍ଦନନଗର ଗ୍ରାମର ନାବାଳକ ବିଲେଇ ଓରଫ ଗୈାରାଙ୍ଗ ଦାସ ଏବଂ ଚୋରୀ ଜିନିଷ ରଖିଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ମାଟିଆ ଗ୍ରାମର ପ୍ରସନ୍ନ ସାହୁଙ୍କୁ ଗିରଫ କରି ରାଜନଗର ଥାନାକୁ ଆଣିଥିଲେ । ଏନେଇ ରାଜନଗର ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳଧର ଜାଲି ଏକ ସାମ୍ବାଦିକ ସମ୍ମିଳନୀରେ ୫ଟି ସୁନାଶଙ୍ଖା, ୪ଟି ସୁନା ମୁଦି, ହଳେ ସୁନା କାନଫୁଲ, ୩ଟି ସୁନା ପଦକ, ଗୋଟିଏ ଛୋଟ ସୁନାରିଙ୍ଗ ଓ ନଗଦ ୨ହଜାର ୪୪୫ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ଦେଇଥିଲେ । ଆହୁରି ମଧ୍ୟ ୪ଜଣ ଡକାୟତ ଫେରାର ଥିବା ଓ ସେମାନଙ୍କୁ ଧରିବାକୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କ୍ଷମାସାଗର ପଣ୍ଡା, ରାଜନଗର ଆଇଆଇସି ଅଜୟକୁମାର ଜେନା ଉପସ୍ଥିତ ଥିଲେ ।











