
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୈାଣସି ସଙ୍କେତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାହଲକୁ ନିଶ୍ଚିନ୍ତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ତ୍ୱେ ପୁରା ଦମ୍ ଲଗାଇ ଦେଇଛି । କମିଟିର କର୍ମକର୍ତ୍ତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ଆନ୍ଦୋଳନ ମୁହାଁ କରିବାକୁ ଉଦ୍ୟମ କରୁଥିବା ବେଳେ ଆଜି ରାଜକନିକା ବ୍ଲକର ଲୋକମାନେ ବହୁ ସଂଖ୍ୟାରେ ଗଣଧାରଣାସ୍ଥଳରେ ଉପସ୍ଥିତ ହୋଇ ଆନ୍ଦୋଳନର ଦାୟୀତ୍ୱ ବହନ କରିଥିଲେ । ସେଠାରେ କନିକା ଗଣଆନ୍ଦୋଳନର ବରିଷ୍ଠ ନେତା ଦାମୋଦର ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ ନେତା କାଳି ପ୍ରସାଦ ନାୟକ, ଯୁବନେତା ମଙ୍ଗୁଳି ଚରଣ ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଭାଗୀରଥି ଜେନା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ କେନ୍ଦ୍ରାପଡାବାସୀଙ୍କ ପ୍ରତି ସରକାରଙ୍କ ଲଗାତର ଅବିଚାର ତଥା ବୈମାତୃକ ମନୋଭାବର କଡା ସମାଲୋଚନା କରିବା ସହ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଅପରାହ୍ନରେ ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ବୈଷ୍ଣବ ଚରଣ ସ୍ୱାଇଁ, ସେକ ଜଲାଲଉଦ୍ଦିନ, ସୁହାନା ବିବି, ତନୁଜା ଥାପ୍ପା ପ୍ରମୁଖ ଜନଚେତନା କାର୍ଯ୍ୟକ୍ରମରେ ବାହାରି ମେଡିକାଲ କଲେଜ ଦାବି ପ୍ରତି କେନ୍ଦ୍ରାପଡା ସହରର ବ୍ୟବସାୟୀ ଭାଇମାନଙ୍କ ସହଯୋଗ ଲୋଡା ଯିବା ସହ ଗଣପାଣ୍ଠି ସଂଗ୍ରହ କରିଥିଲେ ।

