- ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କହିଲା ଅଭିଯୋଗ ଆମର ନୁହେଁ, ଆଣିଥିଲେ ଅଶୋକ ପ୍ରତିହାରୀ
- ବିଜେଡିର ଦାବି କଂଗ୍ରେସ ବିଧାୟକଙ୍କ ସଂପୃକ୍ତିର ପ୍ରମାଣ ସାର୍ବଜନୀନ କରୁ
କେନ୍ଦ୍ରାପଡା ୨୯/୯ ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ୱ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଦାହ କରାଯିବା ସହ ରାଜନଗର ଡିଏଫଓଙ୍କୁ ଦାବୀପତ୍ର ଦିଆଯାଇଛି । ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ପୂର୍ବତନ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଯେଉଁ ଅଭିଯୋଗ ଆଣିଥିଲେ, ବିଧାୟକ ତାହାକୁ ଖଣ୍ଡନ କରିନଥିବାରୁ ତାଙ୍କର ସଂପୃକ୍ତି ଥିବା ଆମେ ଦାବୀ କରୁଛୁ ବୋଲି କହିଛନ୍ତି । ଅପରପକ୍ଷରେ ବିଜୁ ଜନତା ଦଳ ପକ୍ଷରୁ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କରାବା ସହ କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସଂପୃକ୍ତ ଓ ଜବରଦଖଲର ପ୍ରମାଣ ଅଛି, ତାକୁ ସାର୍ବଜନୀନ କରନ୍ତୁ ଏବଂ ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ପ୍ରେସ ବିବୃତିରେ କହିଛନ୍ତି ।
ଶୁକ୍ରବାର ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ରାଜନଗର ଡିଏଫଓଙ୍କୁ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରଚାରିତ ହୋଇଛି ତାହାର ତଦନ୍ତ ୭ଦିନ ମଧ୍ୟରେ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ରାଜନଗର ନିର୍ବାଚନ ମଣ୍ଡଳୀର ସାନବଡଗୋପାଳପୁର ଛକରେ ବିଧାୟକଙ୍କ କୁଶ ପୁତଳିକା ଦାହ କରିଥିବା ବେଳେ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଡାକବଙ୍ଗଳା ଛକଠାରେ ବିଧାୟକଙ୍କ କୁଶ ପୁତଳିକା ପୋଡା ଯାଇଥିଲା । ଅପରାହ୍ନରେ ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନାଙ୍କ ସହିତ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ଡାଙ୍ଗମାଳ ପଂଚାୟତର ସରପଂଚ ମାଧବ ଚନ୍ଦ୍ର ମାନ୍ନା ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମିରେ ହୋଟେଲ ହୋଇଛି ବୋଲି ବିଧାୟକଙ୍କ ନାଁ ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଅଭିଯୋଗ ଆଣିଥିଲେ । ଆଜିଯାଏଁ ବିଧାୟକ ତାହାକୁ ଖଣ୍ଡନ କରିନାହାଁନ୍ତି । ତେଣୁ ଆମେ ହୋଟେଲରେ ବିଧାୟକଙ୍କ ସଂପୃକ୍ତି ରହିଛି ବୋଲି ଦାବୀ କରୁଛୁ । ଭିତରକନିକାରେ ଯେଉଁ ହୋଟେଲ ହୋଇଛି, ତାହା ଜଣଙ୍କ ବ୍ୟକ୍ତିଗତ ଜାଗା ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମାନ୍ନା ବିଧାୟକଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ଦେଇନପାରି ବିଧାୟକ ସପ୍ତାହକୁ ୩ଦିନ ସେ ହୋଟେଲରେ ରୁହନ୍ତି ବୋଲି କହିଛନ୍ତି । ବିଧାୟକ ଜଙ୍ଗଲ ଜମି ଜବର ଦଖଲ ଓ ହୋଟେଲ କରିଥିବା ନେଇ ଡିଣ୍ଡିମ ପିଟିଥିବା ବେଳେ କୌଣସି ପ୍ରମାଣ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ପାରିନଥିଲେ ।
ଅପରପକ୍ଷରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ ଓ ରାଜନଗର ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ ସଂଯୋଜକ ବିଜୟ ନାୟକ ପ୍ରେସ ବିବୃତିରେ ଭିତରକନିକା ଜାତୀୟ ଉଦ୍ୟାନକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ବିଧାୟକଙ୍କ ଉଦ୍ୟମରେ ଭିତରକନିକା ମହୋତ୍ସବ ଓ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଆସୁଛି । ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ସ୍ଥାନୀୟ ଯୁବକମାନେ ପର୍ଯ୍ୟଟନକୁ ଭିତି କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଏଥିରେ ଈର୍ଷାନ୍ୱିତ ହୋଇ କଂଗ୍ରେସ ନିଜେ ପ୍ରାୟୋଜିତ କରି କପୋଳକଳ୍ପିତ ଖବରକୁ ତିଆର କରି ବିଧାୟକଙ୍କ କୁଶ ପୁତଳିକା ଦାହ କରିବା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ । ରାଜନଗର ବିଧାୟକଙ୍କର କୌଣସି ସ୍ଥାନରେ ହୋଟେଲ ନାହିଁ କିମ୍ବା କୌଣସି ସ୍ଥାନରେ ଜଙ୍ଗଲଜମି ଜବରଦଖଲ କରିନାହାଁନ୍ତି । କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସଂପୃକ୍ତି ଓ ଜବର ଦଖଲର କିଛି ପ୍ରମାଣ ଅଛି, ତାହାକୁ ସାର୍ବଜନୀନ କରନ୍ତୁ । ଗତ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ପ୍ରତ୍ୟାକ୍ଷାତ କରିଥିବା ରାଜନଗରବାସୀ ୨୦୨୪ ଏହାର ଉଚିତ ଜବାବ ଦେବେ ବୋଲି ପ୍ରେସ ବିବୃତିରେ କହିଛନ୍ତି ।