
ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ମିଶନଶକ୍ତି ମହିଳାମାନଙ୍କ ମହାସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ପ୍ରାକ୍ତନ ଅଧ୍ୟକ୍ଷା ତଥା ମିଶନଶକ୍ତି ଉପଦେଷ୍ଟା ଡ଼ ଲୋପାମୁଦ୍ରା ବକ୍ସିପାତ୍ର ପ୍ରକାଶ କରିଛନ୍ତି । ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଭାଷଣ ଦେଇ ମିଶନଶକ୍ତି ଉପଦେଷ୍ଟା ଡ଼ ବକ୍ସିପାତ୍ର କହିଲେ ଯେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମିଶନଶକ୍ତି ବସ୍ତୁତଃ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସାମିଲ ହୋଇ ନିଜକୁ ଉପାର୍ଜନକ୍ଷମ କରି ସଶକ୍ତ କରିବା ସହିତ ନୂଆ ଓଡିଶା ଗଠନର ସାରଥୀ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏସ ଏସ ଜି ମହିଳାଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ଧାନ ମଣ୍ଡି,, ବିଦ୍ୟୁତ ବିଲ ଆଦାୟ, ସ୍ୱଚ୍ଛ ସାଥୀ, ବ୍ୟାଙ୍କ ମିତ୍ର, ଗୋ ମିତ୍ର ମଧ୍ୟାହ୍ନ ଭୋଜନ, ଆହାରକେନ୍ଦ୍ର ପରିଚାଳନା, ସ୍କୁଲ ୟୁନିଫର୍ମ ପ୍ରସ୍ତୁତି, ସାଧାରଣବଂଟନ ବ୍ୟବସ୍ଥା ପରିଚାଳନା ଆଦି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ଆଚାର, ମହମବତୀ, ଧୂପ, ବିୟୁଟି ପାର୍ଲର, ମାଛ, କୁକୁଡା ଚାଷ , ଆଦି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହ ୬୦ଭାଗ ସବସିଡି ଯୋଗାଇ ଦେଇ ମହିଳା ସଶକ୍ତିକରଣ ପାଇଁ ପଥ ପରିଷ୍କାର କରିଛନ୍ତି । ସମ୍ପ୍ରତି ମିଶନଶକ୍ତି ଗୃହ, ଅଡ଼ିଟୋରିୟମ ଓ ମାର୍କେଟ କମ୍ପେ୍ଲନ ଗୃହ ପାଇଁ ପ୍ରତି ପଂଚାୟତକୁ ୨୫ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଂଚାୟତକୁ ଦିଆଯାଉଥିବା ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ମଧ୍ୟରେ ୬ଲକ୍ଷ ଟଙ୍କା ମିଶନଶକ୍ତି ଗୃହ ପାଇଁ ନିର୍ଦ୍ଧିଷ୍ଟ କରାଯାଇଛି । ସେହିପରି ପୌରାଂଚଳରେ ମିଶନଶକ୍ତି ମହିଳା ପାଇଁ ବିଭିନ୍ନ ସରକାରୀ ଯୋଜନା ସହ ମୁକ୍ତା ଯୋଜନାରେ ୧୦ଲକ୍ଷ ଟଙ୍କା ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମା ଭଉଣୀ ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାଁହୁଥିବାରୁ ମା ଭଉଣୀମାନେ ତାଙ୍କ ସ୍ୱପ୍ନ ସାକାର କରି ନିଜକୁ ସଶକ୍ତ କରିବା ସହିତ ନୂଆ ସମୃଦ୍ଧ ଶକ୍ତିଶାଳୀ ଓଡିଶା ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ଜରିଆରେ କରିଥିବା ମହିଳା ସଶକ୍ତିକରଣ ସାରା ଭାରତରେ ଅନନ୍ୟ ଉଦାହରଣ ସୃଷ୍ଟି କରିବା ସହିତ ବସ୍ତୁତଃ ଇତିହାସ ସୃଷ୍ଟି କରିଛି । ମିଶନଶକ୍ତି ଓଡିଶାର ପ୍ରକୃତ ଶକ୍ତି ହୋଇଥିବାରୁ ମିଶନଶକ୍ତି ମା ଭଉଣୀ ମାନେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେଇ ନିଜକୁ ସଶକ୍ତ କରିବା ନୂଆ ଓଡିଶାର ବିନ୍ଧାଣୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଥିଲେ ।. ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଓସିଡିପି ଓ ମନୋରମା ସ୍ୱାଇଁ ସ୍ୱାଗତଭାଷଣ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବନଜାନନ୍ଦିନୀ ମିଶ୍ର ଧନ୍ୟବାଦ ଦେଇଥିଲେ । ଜୀବିକା ମିଶନ ସଂଯୋଜିକା ସୁମିତ୍ରା ବିଶ୍ୱାଳ, ସସ୍ମିତା ରାଉତ, ମିଶନ ଶକ୍ତି ମହାସଂଘ ସଭାପତି ସୁପ୍ରଭା ଦାସଙ୍କ ସଂଯୋଜନାରେ ମିଶନଶକ୍ତି ଉପଦେଷ୍ଟା ମିଶନଶକ୍ତି ମା ଭଉଣୀଙ୍କ ସହିତ ବିଭିନ୍ନ ବିଷୟରେ ସିଧାସଳଖ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ । ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡ଼ ପାତ୍ର ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ବଡ଼ମୂଳବସନ୍ତ, ବାଲିପାଟଣା ଓ ବାଛରା ଆଦି ପଂଚାୟତକୁ ଯାଇ ମିଶନଶକ୍ତି ମହିଳା ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ମିଶନଶକ୍ତି ଜିଏଲଏଫଓବିଏଲଏଫ ଲିଡର ଗୋଷ୍ଠୀର ମହାସମ୍ମିଳନୀରେ ବ୍ଲକର ୩୧ପଂଚାୟତ ଓ ପୌର ପରିଷଦର ୨୦ ୱାର୍ଡର ମିଶନଶକ୍ତି ମହିଳାମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।










