କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ନିୟମାନୁସାରେ ଡିଜେ ବାଜିବ, କିନ୍ତୁ ଭାଇବ୍ରେଟର୍ ବ୍ୟାନ୍‌: ଶାନ୍ତିପୂର୍ଣ୍ଣ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ସମସ୍ତଙ୍କୁ ସ୍ୱାଗତ


କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍‌ହଲ୍ ପରିସରରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ ମଡ୍‌କର, ଅତରିକ୍ତ ଜିଲ୍ଲାପାଳ( ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଉପଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍‌ଦାର ଅଞ୍ଜଳୀ ତରାଇ, ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଅତରିକ୍ତ ଜିଲ୍ଲାପାଳ( ରାଜସ୍ୱ) ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶାନ୍ତିଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଆୟୋଜନ ନିମନ୍ତେ ଉପସ୍ଥିତ ଶାନ୍ତି କମିଟିର ସଭାପତି, ସମ୍ପାଦକ, ଉପସଭାପତି ଓ କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ । ଚଳିତବର୍ଷ ଉପଜିଲ୍ଲାପାଳଙ୍କଠାରୁ ପୂଜା କମିଟିମାନେ ୨୫ ଅକ୍ଟୋବର ସୁଦ୍ଧା ଅନୁମତିପତ୍ର ସଂଗ୍ରହ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଶୀଘ୍ର ଅନୁମତିପତ୍ର ଆବେଦନ କରିବାକୁ ଉପଜିଲ୍ଲାପାଳ ପ୍ରତ୍ୟେକ ମେଢ଼ର କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ । ପୂଜା କମିଟିମାନେ ଯେପରି ସହଜରେ ଓ ଶୀଘ୍ର ଅନୁମତିପତ୍ର ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ, ଅଗ୍ନିଶମ୍ ଓ ବିଦ୍ୟୁତ ବିଭାଗକୁ ସମସ୍ତ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ଟୋବର ମାସ ୨୮ ତାରିଖରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପଡ଼ୁଥିବା ବେଳେ ପୂର୍ଣ୍ଣାହୁତି ଓ ବିସର୍ଜନ ନଭେମ୍ବର ମାସ ୩ ତାରିଖରେ ହେବ । ନୂଆ ବସଷ୍ଟାଣ୍ଡଠାରୁ ଥାନପତିଙ୍କ ଆସନ ତ୍ୟାଗ ଓ ପୁରୁଣା ବସଷ୍ଟାଣ୍ଡଠାରେ ମେଲଣ ପାଇଁ ନଭେମ୍ବର ୪ ତାରିଖ ଚୂଡ଼ାନ୍ତ ହୋଇଥିବା ବେଳେ ଭସାଣୀ ପର୍ବ ନଭେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ । ପୂଜା ପୂର୍ବରୁ ରାସ୍ତାଘାଟ ଓ ଡ୍ରେନ୍ ମରାମତି କାର୍ଯ୍ୟ ଶେଷ କରିବା, ପୂଜା ସମୟରେ ନିରବଚ୍ଛନ୍ନ ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ପରି ଏ ବର୍ଷ ପୌରପାଳିକା ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଅସ୍ଥାୟୀ ଚାରୋଟି ଘାଟ ବିସର୍ଜନ ନିମନ୍ତେ ବ୍ୟବହାର ହେବ ଓ ଏହି ଘାଟ ପ୍ରସ୍ତୁତି ପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ୬୮ଟି ମେଢ଼ ମଧ୍ୟରୁ ଚଳିତଥର ୪୮ଟି ମେଢ଼ ଭସାଣୀ ପର୍ବରେ ଭାଗ ନେବେ । ସାଆନ୍ତସାହି ପୋଲ ଆଡ଼କୁ ୨୨ଟି ମେଢ଼ ଯିବାକୁ ସ୍ଥିର ହୋଇଥିବା ବେଳେ ୨୬ଟି ମେଢ଼ ଯିବ ନୂଆ ବସ୍‌ଷ୍ଟାଣ୍ଡ ଆଡ଼କୁ । ଆଲ୍‌କହଲ୍‌ମୁକ୍ତ ଭସାଣୀ ପାଇଁ ଜନସାଧାରଣଙ୍କୁ ପୋଲିସ୍ ପ୍ରଶାସନ ପକ୍ଷରୁ ନିବଦେନ କରାଯାଇଛି । ବାଣ ଫୁଟାଇବାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ ଗେଟ୍‌ଗୁଡ଼ିକୁ ଉଚ୍ଚା ଓ ଚଉଡ଼ା କରିବା ପାଇଁ ପୂଜା କମିଟିକୁ ନିବେଦନ କରାଯାଇଛି । ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷାକରି ଶାନ୍ତିପୂର୍ଣ୍ଣ ପୂଜା ପାଳନ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ନିବେଦନ କରିଛନ୍ତି । ସେହିପରି ଜିଲ୍ଲାପାଳ କହିଛନ୍ତି ନିୟମାନୁସାରେ ୬୫ ଡେସିବଲ୍ ଭିତରେ ଡିଜେ ବାଜିବ, ମାତ୍ର ଭାଇବ୍ରେଟର୍‌କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ବେଆଇନ୍ ଚାନ୍ଦା ଆଦାୟ, ଡ୍ରେନ୍ ସଫେଇ, ବ୍ଲିଚିଙ୍ଗ୍ ପାଉଡର୍ ପକାଇବା, ବାସିଖାଦ୍ୟ ବିକ୍ରି ଉପରେ ଚଢ଼ାଉ କରିବା, ଆମ୍ବୁଲାନ୍ସ ସେବା ଯୋଗାଇଦେବା, ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ଉପରେ ଜିଲ୍ଲପାଳ ଗୁରୁତ୍ୱାରୋପ କରିଥିଲେ । ପୂଜା ସମୟରେ କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ତିନୋଟି ଡିଜି ସେଟର୍ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ପୂଜା ଓ ଭସାଣୀ ସମୟରେ କୌଣସି ଅଶ୍ଲୀଳ ଗୀତ ବା ନାଚକୁ ଅନୁମତି ପ୍ରଦାନ କରାଯିବ ନାହିଁ । ଶେଷରେ କେନ୍ଦ୍ରାପଡ଼ା ତହସିଲ୍‌ଦାର ଅଞ୍ଜଳୀ ତରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ରାସ୍ତା ଓ ଗୃହ ନିର୍ମାଣ, ଜନସ୍ୱାସ୍ଥ୍ୟ, ଟିପିସିଓଡିଏଲ୍‌, ଜଳସେଚନ ବିଭାଗ, ଅଗ୍ନିଶମ ବିଭାଗ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ମେଢ଼ର କର୍ମକର୍ତା, ଶାନ୍ତି କମିଟି ଓ ପୌରପରିଷଦର କାଉନ୍‌ସିଲର୍ ଯୋଗ ଦେଇଥିଲେ ।


Next Post

କେନ୍ଦ୍ରାପଡା ପୌର ପରିଷଦ ସାଧାରଣ ବୈଠକ

Wed Oct 11 , 2023
  କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକ ଆଜି ପୌର ପରିଷଦ ପୌରପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶଶି ଭୂଷଣ ବେହେରା ଯୋଗ ଦେଇ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ପୌର ପରିଷଦକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ କହିଥିଲେ […]

You May Like