
କେନ୍ଦ୍ରାପଡ଼ା, ୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଞ୍ଚାୟତର କୁମାରପାଟଣା ଗ୍ରାମର ପରମେଶ୍ୱର ଗିରିଙ୍କ ପତ୍ନୀ ସରସ୍ୱତୀ ଗିରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଠାରୁ ୫୦ ହଜାର ଟଙ୍କା ଉଧାର ନେଇଥିବା ସେହି ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଅର୍ଥ ଦୀର୍ଘ ଦିନ ଧରି ଫେରସ୍ତ ନକରିବାରେ ତାଙ୍କ ସ୍ୱାମୀ ସେହି ଉଧାର ଅର୍ଥକୁ ଫେରସ୍ତ କରିବାକୁ ଉକ୍ତ ବ୍ୟକ୍ତିକୁ କହିଥିଲେ । ଏଥିରେ ବ୍ୟକ୍ତି ଜଣଙ୍କ ଉତ୍କ୍ଷିପ୍ତ ହୋଇ ଗତ ତା ୧୦.୦୭.୨୦୨୩ରିଖରେ ତାଙ୍କ ପୁଅ ଓ ପତ୍ନୀଙ୍କୁ ଡାକି ଆଣି ପରମେଶ୍ୱରଙ୍କ ତେଜରାତି ଦୋକାନ ନିକଟରେ କାଠ ପିଟଣା, ଠେଙ୍ଗା ଓ ଇଟା ଦ୍ୱାରା ପରମେଶ୍ୱରଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏହି ସମୟରେ ପରମେଶ୍ୱରଙ୍କ ପତ୍ନୀ ଘଟଣାସ୍ଥଳରେ ପହଞ୍ôଚ ଆସାମୀମାନଙ୍କୁ ଅନୁନୟ ଓ ବିନୟ ହୋଇଥିଲେ ମଧ୍ୟ ସେମାନେ ତାଙ୍କ ସ୍ୱାମୀଙ୍କୁ ତଳେପକାଇ ପ୍ରହାର କରି ଚାଲିଥିଲେ । ଲୋକମାନଙ୍କ ପାଟି ଶୁଣି ପରମେଶ୍ୱରଙ୍କ ବଡଭାଇ ଘଟଣାସ୍ଥଳକୁ ଦୌଡି ଆସିବାରେ ଆସାମୀମାନେ ହରିଜନ ଦଫାରେ କେସ କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରମେଶ୍ୱରଙ୍କୁ ପରିବାର ପକ୍ଷରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ ପରମେଶ୍ୱରଙ୍କ ପତ୍ନୀ ସରସ୍ୱତୀ ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଫନଫିରେ ଅଭିଯୋଗ କରିବା ପରେ ପୋଲିସ ଆଇପିସିର ୨୯୪, ୩୦୭ ଓ ୩୪ ଦଫାରେ ଏକ ମାମଲା ରୁଜୁ କରିଥିଲା । କିନ୍ତୁ ଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିନଥିବାରୁ ଅଭିଯୁକ୍ତ ମୋ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସରସ୍ୱତୀ ଅଭିଯୋଗ କରିବା ସହିତ ପୋଲିସର ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।











