କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ମହାସଙ୍ଘର ସମାବେଶ


କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ମହାସଙ୍ଘର ଏକ ସମାବେଶ ଓ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ସଦରବ୍ଲକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ଜିଲ୍ଲା ସଭାପତି ରଞ୍ଜନ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାସଙ୍ଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି(ଅଜୁଭାଇ) ଓ ମୁଖ୍ୟବକ୍ତା ଭାବେ ସମ୍ପାଦକ ଚୈତନ୍ୟ ପ୍ରଧାନ ଯୋଗଦେଇ ଡ୍ରାଇଭର ମହାସଙ୍ଘର ବିଗତ ଦିନର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏହାସହ ଆଗାମୀ ନିର୍ବାଚନ ପୂର୍ବରୁ ସେହି ପ୍ରତିଶୃତି ଗୁଡିକୁ ପୁରଣ କରାନଗଲେ ଡ୍ରାଇଭର ମହାସଙ୍ଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ସମାବେଶରେ ଯୋଗଦେଇଥିବା ରାଜ୍ୟର ୨୯ଟି ଜିଲ୍ଲାର ଡ୍ରାଇଭର ସଙ୍ଘର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜିଲ୍ଲା ଉପସଭାପତି ମହମ୍ମଦ ଅଜମଲ, ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କେନ୍ଦ୍ରାପଡା ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ଦାସ, ଉପସଭାପତି ସନ୍ତୋଷ ଦାସ, ସମ୍ପାଦକ ରାଜା ମୁସ୍ତାକିମ, ସହସମ୍ପାଦକ ସାଗର ଶର୍ମା, କୋଷାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଉପଦେଷ୍ଟା ପ୍ରଦୀପ ଦାସ, ସଂଯୋଜକ ସେକ ନିଜାମ୍ ଓ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସମାଜସେବୀ ନିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗାଡି ଚଳାଇବା ବେଳେ ସାବଧନତା ଅବଲମ୍ବନ କରିବା, ନିଶାଦ୍ରବ୍ୟ ସେବନ ନକରିବା, ଦୂର୍ଘଟଣାକୁ ଏଡାଇବା ପାଇଁ ଡ୍ରାଇଭର ବନ୍ଧୁମାନେ ଅଧିକ ସଚେତନ ହୋଇ ଗାଡି ଚଳାଇଲେ ଶୂନ୍ୟ ମୃତ୍ୟୁ ଲକ୍ଷ ପୁରଣ ହୋଇପାରିବ ବୋଲି ସଚେତନ କରାଯାଇଥିଲା । ରାଜ୍ୟ ମହାସଙ୍ଘରୁ ଆସିଥିବା କର୍ମକର୍ତ୍ତାମାନେ ଇଛାପୁରରେ ପହଞ୍ଚି ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ଏକ ବିରାଟ ରାଲିରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିବା ପରେ ସଂଗଠନ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍ଥାନୀୟ କଳାକାରଙ୍କ ପକ୍ଷରୁ ଏହି ସମାବେଶରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଅଂଶଗ୍ରହଣ କରିଥିଲେ ।


Next Post

ଶ୍ରୀମନ୍ଦିରର ଚାରି ଦ୍ୱାରା ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Mon Nov 27 , 2023
କେନ୍ଦ୍ରାପଡ଼ା, ୨୬ା୧୧ : ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆସନ୍ତା ଡିସେମ୍ବରମାସ ୧ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ […]

KANIKA