ଜନକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ମୋ ସରକାର ଭଳି ଏକ ଅଭିନବ ଓ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଜନସାଧାରଣଙ୍କୁ ମିଳୁଥିବା ସେବା ଆଚରଣ ଓ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରାଯାଇ ଅଧିକାରୀଙ୍କ ଆଚରଣ ସହ ବୃତିଗତ ଦକ୍ଷତାରେ ପରିବର୍ତନ ଆଣିବା ମୋ ସରକାରର ଲକ୍ଷ୍ୟ ରହିଛି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ଏବେ ବି କିଛି ଅଧିକାରୀ, ଯନ୍ତ୍ରୀ କର୍ମଚାରୀ ଏହାକୁ ଭ୍ରୂପେକ୍ଷ ନ କରି ବେଫିକର ହୋଇ ନିଜ ଅନ୍ଦାଜରେ କାର୍ଯ୍ୟ କରୁଛନ୍ତି । ନା ସେମାନେ ଅଫିସକୁ ଆସୁଛନ୍ତି ନା ସେମାନେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଫଳରେ ସରକାରଙ୍କ ଏହି ଅଭିନବ ପ୍ରୟାସ ଏବେ ବାଟବଣା ହେବାରେ ଲାଗିଛି ।
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟରେ କେତେକ ପଦବୀ ଖାଲି ପଡିଥିବା ବେଳେ ଅଧିକାଂଶ ପଦବୀରେ କର୍ମଚାରି କାର୍ଯ୍ୟକରୁଛନ୍ତି । ପଂଚାୟତ ସମିତିର ଇଂଜିନିୟରିଂ ବିଭାଗରେ ୨ ଜଣ ସହକାରୀ ଯନ୍ତ୍ରୀ ଓ ୬ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ହେଲେ ସେମାନେ ମଧ୍ୟରୁ ୨/୩ ଜଣଙ୍କୁ ଛାଡି ଦେଲେ ଅନ୍ୟ ମାନେ ନିୟମିତ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଫଳରେ ପିଅନମାନେ ହିଁ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଯଦି ଜିଲ୍ଲା ପ୍ରଶାସନଙ୍କ କୌଣସି ଆବାସିକ ମିଟିଂ ହୁଏ ତେବେ ସେମାନେ ଦୃଶ୍ୟମାନ ହୁଅନ୍ତି । ସଦାବେଳେ କ୍ୱାଟରରେ ରହି ନିଜେ ନିଜେ ବ୍ୟକ୍ତିଗତ ଆସିଷ୍ଟାଣ୍ଡ ରଖି କାମ କରୁଛନ୍ତି । ଗ୍ରାମଂଚଳରେ ହେଉଥିବା ଉନ୍ନତି ମୁଳକ କାର୍ଯ୍ୟ ମଧ୍ୟ ଆସିଷ୍ଟାଣ୍ଡଙ୍କ ଦ୍ୱାରା ତନଖି କରାଯାଉଛି । ଫଳରେ ସରକାରୀ କାମର ମାନରେ ଅନିୟମିତତା ସୃଷ୍ଟିହେଉଛି ବୋଲି ସାଧାରଣରେ ଦୃଢ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ବ୍ଲକରେ ସିନିୟର କିରାଣୀ ପ୍ରିୟରଞନ ସାମଲ ପ୍ରାୟ ସମୟରେ କର୍ଯ୍ୟାଳୟ ଆସୁନାହାନ୍ତି । ଫଳରେ ଲୋକେ ବହୁ ଦୂର ଦୁରାନ୍ତରରୁ ଅଯଥା ଖର୍ଚ୍ଚ ।ନ୍ତ ହୋଇ ଆସି କୌଣସି କାର୍ଯ୍ୟ କରି ନପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ ଏଭଳି ଅନିୟମିତା ଓ ବିଡିଓଙ୍କ ବାବୁରାଜକୁ ବିରୋଧ କରି ରାଜନଗର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ନେତା, କର୍ମୀ ଓ ଜନସାଧାରଣ ବିଡିଓଙ୍କ ନିଜସ୍ୱ କାର୍ଯ୍ୟାଳୟରେ ହୋ ହଲ୍ଲା କରି ବିଡିଓଙ୍କୁ ଘେରି ଯାଇଥିଲେ । ସେହିପରି ଭାଜପା ପକ୍ଷରୁ ମଧ୍ୟ ବ୍ଲକରେ ଚାଲିଥିବା ଦୁର୍ନୀତି ଓ ସାଧାରଣ ଲୋକ ନ୍ୟାୟ ପାଉ ନ ଥିବା ଦାବିକରି ଘେରାଉ କରିଥଲେ । ହେଲେ ଏହାପରେ ମଧ୍ୟ ବିଭାଗୀୟ ଅଧିକାରୀ ଭ୍ରୂୃପେକ୍ଷ ନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ବ୍ଲକରେ ପ୍ରୋଗ୍ରେସିଭ ଆସିଷ୍ଟାଣ୍ଡ, ୨ ଜଣ, ଜଣେ ଜିିପିଓ, ଜଣେ ବିଏସଏସଓ, ୧୧ ଜଣ ପଂଚାୟତ ଅଫିସର ଓ ୨ ଟି ଜୁନିଅର କିରାଣୀ ପଦବୀ ଖାଲି ପଡ଼ିଛି । ଏବାବଦରେ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।