
କେନ୍ଦ୍ରାପଡା ୧୨/୧୨ ଗତ ନଭେମ୍ବର ୨୯ତାରିଖ ରାତି ୧୧ଟା ପରେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରି ଧମକ ଦେବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ । ଏହି ଘଟଣାକୁ ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣାକୁ ଜିଲ୍ଲା ଓମ୍ସା ଗୁରୁତର ସହ ବିଚାରକୁ ନେଇ ରାଜ୍ୟ ଓମ୍ସା ସହିତ ଆଲୋଚନା କରି କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ଆସନ୍ତା ସୋମବାର ମଧ୍ୟରେ ଆସାମୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଜିଲ୍ଲା ଓମ୍ସାର କାର୍ଯ୍ୟରତ ଡାକ୍ତରମାନେ ମଙ୍ଗଳବାରଠାରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଓମସାର ସୂଚନା ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣାରେ ମଙ୍ଗଳବାର ଦିନ ଓମସା ପକ୍ଷରୁ ଆନ୍ଦୋଳନ ପାଇଁ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଯଦି ମଙ୍ଗଳବାର ସୁଦ୍ଧା ଡାକ୍ତର ଓ ସିକୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିଥିବା ଆସାମୀଙ୍କୁ ଗିରଫ ନ କରାଯାଏ ତେବେ ବୁଧବାରଠାରୁ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟ କରିବେ ନାହିଁ ଓ ପୋଲିସ ପ୍ରଶାସନର ଆଇନଗତ କାର୍ଯ୍ୟ ଉପରେ କୌଣସି ଭାବେ ସହଯୋଗ କରିବେ ନାହିଁ ଏବଂ ସ୍ୱାସ୍ଥ୍ୟଗତ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ।
ଘଟଣାରୁ ପ୍ରକାଶ ଯେ ଗତ ନଭେମ୍ବର ୨୯ତାରିଖ ରାତିରେ ମରିଚାପଲ୍ଲୀ ଗ୍ରାମର ମୁନା ପାଲ୍ ଓ ତାଙ୍କର ସହଯୋଗୀମାନେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ବାରିକଙ୍କ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାକୁ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଦୁଇଦିନ ଭିତରେ ଆସାମୀମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହା ଭିତରେ ୧୨ଦିନ ବିତିଯାଇଥିଲେ ସୁଦ୍ଧା ଥାନା ଅଧିକାରୀ ଏହି ଅଭିଯୋଗ ରଖି ଏକ ମାମଲା ଋଜୁ କରିବା ଛଡା ଆସାମୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ସୋମବାରଦିନ ବିଳମ୍ବିତ ରାତିରେ ରାଜନଗର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜନଗରର ଜଗା ସେଠୀ ଓ ତାହାର ସହଯୋଗୀମାନେ କାର୍ଯ୍ୟରତ ସିକୁରିଟି ଗାର୍ଡ କୁମର ମଲ୍ଲିକକୁ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ସେଠାରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ରାଜନଗର ଥାନାରେ ଅଭିଯୋଗ ହୋଇଛି । ତେଣୁ ଜିଲ୍ଲାରେ ସରକାରୀ ଭାବେ କାର୍ଯ୍ୟରତ ଡାକ୍ତରମାନେ ମଙ୍ଗଳବାର ଦିନ ଏକ ଜରୁରୀ ବୈଠକରେ ରାଜ୍ୟ ଓମସାର ଅନୁମତିକ୍ରମେ ଜିଲ୍ଲା ଓମସାର ଅଧିନସ୍ତ ଡାକ୍ତରମାନେ ବୁଧବାର ଦିନ ସକାଳୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଅସହେଯାଗ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ସମସ୍ତ ସ୍ୱାସ୍ଥ୍ୟ ଗତ କାର୍ଯ୍ୟକ୍ରମକୁ ବର୍ଜନ କରିବେ ଯେ ପର୍ଯ୍ୟନ୍ତ ଆସାମୀମାନଙ୍କୁ ଗିରଫ କରା ନ ଯାଇଛି ଓମସାର ଜିଲ୍ଲା ସଭାପତି ସଞ୍ଜିବ କୁମାର ସେଠୀ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ଓମସାର ସଭାପତି ଶ୍ରୀ ସେଠୀଙ୍କ ସମେତ ସମ୍ପାଦକ ଡା. ନିରଞ୍ଜନ କର, ମୁଖପାତ୍ର ଡା. କିଶୋର ଚନ୍ଦ୍ର ମିଶ୍ର, ପରାମର୍ଶଦାତା ଡା. ଅଶୋକ କୁମାର କର, ଡା. ସଚ୍ଚିଦା ନନ୍ଦ ମିଶ୍ର, ଡା. ନୃପେନ୍ଦ୍ର ଶତପଥି, ଡା. ବିରେନ୍ଦ୍ର ଦାସ, ଡା. ନିରାକାର ପରିଡା, ଡା. ରଶ୍ମିରଞ୍ଜନ ମହାନ୍ତି, ଡା. ଚିତ୍ତରଞ୍ଜନ ବେହେରା, ଡା. ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
















