କେନ୍ଦ୍ରାପଡା, ଡାକ୍ତର କଳାବ୍ୟାଚ ପିନ୍ଧି କରୁଛନ୍ତି ରୋଗୀସେବା , ପ୍ରଶାସନିକ କାର୍ଯ୍ୟକୁ ବର୍ଜନ



କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଠପ ହୋଇଯାଇଛି । ନଭେମ୍ବର ମାସ ୨୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତମାନେ ପଶି ଡାକ୍ତରଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଓଡିଶା ମେଡିକାଲ ଆସୋସିଏସନ(ଓମସା) ନିଷ୍ପତି କ୍ରମେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଡାକ୍ତରମାନେ କଳାବ୍ୟାଚ ପିନ୍ଧି ରୋଗୀସେବା କରିବାକୁ ନିଷ୍ପତି ନେଇଥିଲେ । ମାତ୍ର ପ୍ରଶାସନିକ କାର୍ଯ୍ୟ ଯଥା- ଶବ ବ୍ୟବଛେଦ, ଗିରଫ ଅଭିଯୁକ୍ତ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଭୃତିକୁ ଅସହଯୋଗ କରିବାକୁ ସଂଘ ଡାକରା ଦେଇଥିଲା । ତଦନୁଯାୟୀ, ବୁଧବାରଠାରୁ କଳାବ୍ୟାଚ ପିନ୍ଧି ଡାକ୍ତର ଓ କର୍ମଚାରୀମାନେ ରୋଗୀସେବା କରୁଥିବା ବେଳେ ଅନ୍ୟ ସମସ୍ତ ପ୍ରଶାସନିକ କାର୍ଯ୍ୟକୁ ବର୍ଜନ କରିଛନ୍ତି । ଯାହାଫଳରେ ଦୁଷ୍କର୍ମ ଅଭିଯୁକ୍ତ ଓ ଗହୀରମଥାର ନିଷିଦ୍ଧାଂଚଳରେ ବେଆଇନ ଭାବେ ଟ୍ରଲରରେ ମାଛ ଧରି ଗିରଫ ହୋଇଥିବା ମତ୍ସ୍ୟଜିବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନକରିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇନାହିଁ । ଏନେଇ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କୁ ପଚାରିବାରୁ ଓମସାର ଆହ୍ୱାନକ୍ରମେ ଆମେ କଳାବ୍ୟାଚ ପିନ୍ଧି ରୋଗୀ ସେବା କରୁଛୁ । ପ୍ରଶାସନିକ କାର୍ଯ୍ୟକୁ ଆମେ ସହଯୋଗ କରୁନାହୁଁ ବୋଲି କହିଛନ୍ତି ।


Next Post

ଟ୍ରଲର ଜବତ, ୯ ଜଣ ମତ୍ସ୍ୟଜିବୀ ଗିରଫ

Fri Dec 15 , 2023
କେନ୍‌ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରୁ ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଗୋଟିଏ ଭିଏଚଏଫ, ୭ଟି ଜାଲ ଓ ୫କ୍ୟୁଟାଂଲ ମାଛ ଜବତ କରିଛନ୍ତି । ମତ୍ସ୍ୟଜିବୀମାନେ ଅମର ମଳିକ, ରତିକା” ସିହ୍ନା, ରଂଜିତ […]

You May Like