
କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଜିର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟକ୍ଷଙ୍କ ଅନୁମତିରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିଥିବା ଗୃହକୁ ତୁରନ୍ତ ନିର୍ମାଣ କରିବାକୁ ଏବଂ ଏଥିନିମନ୍ତେ ଯେଉଁ ସମସ୍ୟା ଅଛି ସେ ସମ୍ପର୍କରେ ୨୦ ଦିନ ଭିତରେ ବିଡିଓଙ୍କ କାର୍ଯ୍ୟାଳୟରେ ଜଣାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏଥିସହିତ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଉପରେ ଅଲୋଚନା ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିଶେଷ କାର୍ଯ୍ୟ ହୋଇପାରୁନଥିବାରୁ ସରପଞ୍ଚମାନେ କ୍ଷୋଭ ପ୍ରକାଶ କରିଥିଲେ । କର୍ମଚାରୀ ଅଭାବରୁ ଗ୍ରାମ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଥିଲେ । ଭତ୍ତା ପାଇଁ ଅନେକ ହିତାଧିକାରୀ ଅପେକ୍ଷା କରିଥିବାବେଳେ ଭତ୍ତା ଯୋଗାଇ ଦେବାକୁ ସରପଞ୍ଚମାନେ ଦାବି କରିଥିଲେ । ବୈଠକଟି ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହୋଇଥିଲା । ଏହି ବୈଠକରେ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ଲିଲିତା ଦାସ, ଦୁଷ୍ମନ୍ତ ରାଉତ, ସମିତି ସଭ୍ୟ ପ୍ରସନ୍ନ ରାଉତ, ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ସମିତି ସଭ୍ୟା ଚିନ୍ମୟୀ ସାହୁ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ବଗଡା ସରପଞ୍ଚ ସୁବନି ସାହୁ, ଭାଗବତପୁର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ଅକ୍ରୁର ସେଠୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।











