କେନ୍ଦ୍ରାପଡାରେ ଏକାଠି ଲଢିବ ଇଣ୍ଡିଆ ମେଣ୍ଟ


କେନ୍ଦ୍ରାପଡ଼ା, ୨୦ା୧୨: ଇଣ୍ଡିଆ ମେଣ୍ଟର କଂଗ୍ରେସ, ସିପିଆଇଏମ୍‌, ସିପିଆଇ ଓ ଆମ୍ ଆଦମୀ ପାର୍ଟିର ଏକ ମିଳିତ କର୍ମୀ ସମ୍ମିଳନୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ କଂଗ୍ରେସ ଭବନ କଜଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନମତେ ଚାରିଗୋଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ସେଗୁଡିକ ହେଲା, କେନ୍ଦ୍ର ମୋଦୀ ସରକାରର ଦୂରାଚା. ସ୍ୱେଚ୍ଛାଚାର ଓ ଭ୍ରଷ୍ଟାଚାର ବିରୋଧରେ ମେଣ୍ଟ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବ ଓ ପ୍ରତ୍ୟେକ ନାଗରିକର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଲଢେଇ କରିବ । ସଂସଦକୁ ଗଣତନ୍ତ୍ରର କବରସ୍ଥାନ କରି ୧୪୧ଜଣ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦଙ୍କ ନିଲମ୍ବନ ଆଦେଶ ଅବିଳମ୍ବେ ପ୍ରତ୍ୟାହାର କରାଯାଉ ଓ ସଂସଦରେ ପାର୍ଲ୍ୟାମେଣ୍ଟର ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଆଲୋଚନା କରାଯାଉ । ବିଜେଡି, ବିଜେପି ମଧୁଚନ୍ଦ୍ରିକା ରାଜ୍ୟ ତଥା ଜିଲ୍ଲା ସ୍ୱାର୍ଥ ପରିପନ୍ଥୀ ବୋଲି ସମ୍ମିଳନୀ ଉଦ୍‌ବୋଧନ କରିବା ସହ ଉଭୟଙ୍କ ମଧ୍ୟରେ ଥିବା ଅଲିଖିତ ଚୁକ୍ତିର ପର୍ଦ୍ଦାଫାସ କରିବାକୁ ଇଣ୍ଡିଆ ମେଣ୍ଟ ଲୋକଙ୍କ ନିକଟକୁ ଯିବ ।

କେନ୍ଦ୍ରାପଡା ଜିଲ୍ଲା ସମସ୍ୟା ଯଥା ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, କେନ୍ଦ୍ରାପଡାରେ ମେଗା ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚଳାଚଳକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ । ଏଥିସହ ଆସନ୍ତା ୨୨ତାରିଖରେ ଏହି ଚାରିଦଳ ତରଫରୁ ମିଳିତଭାବେ ୧୪୧ଜଣ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ନିଷ୍ପତ୍ତି ନିଆଯାଇଛି ।

ଏହି ସମ୍ମିଳନୀରେ କଂଗ୍ରେସ ତରପରୁ ପିସିସି ସଭ୍ୟ ପ୍ରଫୁଲ୍ଲ ଦାସ, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ମୁକ୍ତାର ଖାଁ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅଖତର, ସିପିଆଇଏମ୍ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇଏମ୍ ନେତା ମାଧବ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ ନେତା ଆଦିକନ୍ଦ ରାଉଳ, ଜିଲ୍ଲା ଆମ୍ ଆଦମୀ ପାର୍ଟି ସଭାପତି ସନ୍ଦୀପ୍ତ କୁମାର ଦାସ, ଆପ୍‌ନେତା ଅଶୋକ କୁମାର ତ୍ରିପାଠୀ, ଆପ୍ ନେତ୍ରୀ ସାଗରିକା ଦାସ ବକ୍ତବ୍ୟ ରଖି ମିଳିତ ଭାବେ ବିଜେଡି ଓ ବିଜେପି ବିରୋଧରେ ଲଢେଇ କରିବା ସହ ଗଣେଶ୍ୱର ବେହେରାଙ୍କ ହାତମୁଠା ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମିଳନୀ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୧୪୧ଜଣ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା ।

ଏହି ମିଳିତ କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ପାର୍ଥସାରଥୀ, ମହମ୍ମଦ୍ ସାଲିଲ ଫାଇଜଲ୍‌, ଜାନକୀ ସେଠୀ, ଅବଦୁଲ୍ କାହିର, କାଉନସିଲର ରମେଶ ଚନ୍ଦ୍ର ଦାସ, ଅନନ୍ତ କୁମାର ସ୍ୱାଇଁ, ଉମାଶଙ୍କର ଜେନା, ବିଚିତ୍ର ଲେଙ୍କା, ବିଜୟ ଦାସ, ରମେଶ ପ୍ରଧାନ, ସୁନାକର ବିଶ୍ୱାଳ, ବୃଷଭାନୁ ଦାସ, ବସନ୍ତ କୁମାର ରାଉତ, ବିଶ୍ୱଜିତ୍ ମହାନ୍ତି, ଦୀପକ ଭଦ୍ର, ଗଦାଧର ମଲ୍ଲିକ, ନିରଞ୍ଜନ ଦାସ, ସୂର୍ଯ୍ୟକାନ୍ତ ପରିଡା, ମହମ୍ମଦ ଇସମାଇଲ, ପିତାମ୍ବର ଜେନା, ନାରାୟଣ ଜେନା, ପୂର୍ବତନ ସରପଞ୍ଚ କ୍ଷମାନିଧି ସାମଲ, ଆଶିଷ ମେକାପ, ରତିକାନ୍ତ ସାମଲ, ସୌମେନ୍ଦ୍ର ପୃଷ୍ଟି, ନରେଶ କୁମାର ଜେନା, ଅପୂର୍ବ ରଞ୍ଜନ ସେଠୀ, ଶରତ କୁମାର ସ୍ୱାଇଁ, ଅମୂଲ୍ୟ ସେଠୀ, ବିଷ୍ଣୁଚରଣ ବରାଳ,ନଟବର ଜେନା ଓ ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading